Onn 3

ଆଜିଠୁ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ, ବଢିଛି ଭୋଟର ସଂଖ୍ୟା : ସିଇଓ

State

 

rer

ଭୁବନେଶ୍ବର : ୨୦୨୪ ନିର୍ବାଚନ ପୂର୍ବରୁ ଶେଷ ଥର ଲାଗି ଭୋଟର ତାଲିକା ସଂଶୋଧନ ପାଇଁ ଆଜିଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି ।  ଏ ନେଇ ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ  । ୨୦୨୩ ଡ଼ିସେମ୍ବର ୯ ଯାଏଁ ଭୋଟରମାନେ ଆବେଦନ କରିପାରିବେ  । ୨୦୨୪ ଜାନୁଆରୀ ପହିଲା ସୁଦ୍ଧା ଯେଉଁମାନଙ୍କର ବୟସ ୧୮ ବର୍ଷ ହୋଇଥିବ ସେମାନଙ୍କର ନାମ ଭୋଟର ତାଲିକାରେ ରହିପାରିବ । ଅନଲାଇନ୍ ଓ ଅଫ ଲାଇନ ରେ ଆବେଦନ ହୋଇପାରିବ । ଅଧିକ ସହାୟତା ପାଇଁ ୧୯୫୦କୁ କଲ କରିପାରିବେ । ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ଅନଲାଇନରେ ଆବେଦନର ବ୍ୟବସ୍ଥା ହୋଇଛି ।

ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ଲକ, ତହସିଲ ଓ ବୁଥ ସ୍ତରୀୟ ଅଧିକାରୀଙ୍କୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି । ୨୦୨୩ ଜାନୁଆରୀ ୫ରେ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ, ଓଡ଼ିଶାରେ ବୁଥ ସଂଖ୍ୟା ଥିଲା ୩୭ ହଜାର ୬୦୬ । ଜିଲ୍ଲାପାଳମାନଙ୍କ ପ୍ରସ୍ତାବ ଆଧାରରେ ବୁଥ ସଂଖ୍ୟା ବଢ଼ି  ୩୭ ହଜାର ୮୦୯ ରେ ପହଞ୍ଚିଛି । ଗତବର୍ଷ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ, ୨୦୨୩ ଜାନୁଆରୀ ପହିଲା ସୁଦ୍ଧା ରାଜ୍ୟରେ ମୋଟ ଭୋଟର ସଂଖ୍ୟା ଥିଲା ୩ କୋଟି ୨୩ ଲକ୍ଷ ୫୨ ହଜାର ୧୧୯ । ଶେଷ ସଂଶୋଧନ ସୁଦ୍ଧା ରାଜ୍ୟର ଭୋଟର ସଂଖ୍ୟା ୩ ଲକ୍ଷ ୦୩ ହଜାର ୦୯୪ ବା ୦.୯୪ ପ୍ରତିଶତ ବଢି ୩ କୋଟି ୨୬ ଲକ୍ଷ ୫୫ ହଜାର ୨୧୩ ରେ ପହଞ୍ଚିଛି ।

ଏବେ ରାଜ୍ୟରେ ପୁରୁଷ-ମହିଳା ଭୋଟର ହାର ବଢ଼ି ପ୍ରତି ହଜାରେ ପୁରୁଷରେ ୯୬୧ରୁ ବଢ଼ି ୯୬୩ ହୋଇଛି । ସୋରଡ଼ା, ହିଞ୍ଜିଳି ଓ ଆସ୍କା ରେ ପୁରୁଷ – ମହିଳା ଭୋଟର ହାର ସର୍ବାଧିକ ବଢ଼ିଛି । ଭୋଟର ତାଲିକା ସଂଶୋଧନରେ ସହାୟତା ଲାଗି ସମସ୍ତ ରାଜନୈତିକ ଦଳକୁ ଜଣେ ଜଣେ ବୁଥ ସ୍ତରୀୟ ଏଜେଣ୍ଟ ଦେବାକୁ ଅନୁରୋଧ କରାଯାଇଛି । ଭୋଟର ତାଲିକା ସଂଶୋଧନକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ୧୮ ଜଣ ଆଇଏଏସ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଚଳିତ ଥର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରାଚୀନ ଜନଜାତି ଙ୍କ ଶତ ପ୍ରତିଶତ ନାମ ଭୋଟର ତାଲିକାରେ ପଞ୍ଜିକରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ।

ମହିଳା ଓ ଯୁବ ଭୋଟର ଙ୍କୁ ତାଲିକାରେ ଯୋଡ଼ିବାକୁ ଅଧିକ ଫୋକସ ଦିଆଯାଇଛି ।  ଏବର୍ଷ ର ସଂଶୋଧିତ ତାଲିକା ଅନୁଯାୟୀ ତୃତୀୟ ଲିଙ୍ଗୀ ଭୋଟରଙ୍କ ସଂଖ୍ୟା ୩ ହଜାର ୨୨୪ ରୁ ୩ ହଜାର ୪୦୬ କୁ ବୃଦ୍ଧି ପାଇଛି । ଆସନ୍ତା ସାଧାରଣ ନିର୍ବାଚନ ଲାଗି ଇଭିଏମ୍ , ଭିଭିପାଟ୍  ଆସି ସାରିଛି । ପ୍ରଥମ ପର୍ଯ୍ୟାୟରେ ୧୦ ଟି ଜିଲ୍ଲାରେ ଇଭିଏମ୍ , ଭିଭିପାଟ୍ ଯାଞ୍ଚ ଶେଷ ହୋଇଛି। ଅନ୍ୟ ୨୦ ଟି ଜିଲ୍ଲାରେ ଯାଞ୍ଚ ନଭେମ୍ବର ପହିଲାରୁ ଆରମ୍ଭ ହୋଇ ନଭେମ୍ବର ୧୫ ଭିତରେ ସରିବ ।