Onn 3

ରାଜକୁମାର ରାଓଙ୍କୁ ଜାତୀୟ ଆଇକନ୍ ନିଯୁକ୍ତ କଲେ ଭାରତୀୟ ନିର୍ବାଚନ ଆୟୋଗ

National & International

 

rajku

ନୂଆଦିଲ୍ଲୀ: ବଲିଉଡ ଅଭିନେତା ରାଜକୁମାର ରାଓଙ୍କୁ ଜାତୀୟ ଆଇକନ୍ ଭାବେ ନିଯୁକ୍ତ କରିବା ପାଇଁ ନିଷ୍ପତ୍ତି ନେଲେ ଭାରତୀୟ ନିର୍ବାଚନ ଆୟୋଗ। ଆୟୋଗ ଆସନ୍ତାକାଲି ରାଜକୁମାର ରାଓଙ୍କୁ ଆଇକନ୍ ଭାବରେ ନିଯୁକ୍ତ କରି ଅଧିକାରୀକ ଭାବେ ଏହାର ଘୋଷଣା କରିବେ ବୋଲି ଜଣାପଡ଼ିଛି। ଯେଉଁମାନଙ୍କୁ ଜାତୀୟ ଆଇକନ୍ କରାଯାଏ, ସେମାନେ ଲୋକମାନଙ୍କୁ ଭୋଟ୍‌ ଦେବା ବିଷୟରେ ସଚେତନ କରାନ୍ତି। ସେମାନଙ୍କର ପ୍ରୟାସ ଥାଏ ଭୋଟ୍ ପ୍ରତିଶତ ବୃଦ୍ଧି କରିବା।

ଅଭିନେତା ରାଜକୁମାର ରାଓ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି ଏବଂ ତାଙ୍କର ଅନେକ ଚଳଚ୍ଚିତ୍ର ହିଟ୍ ହୋଇଛି। କିନ୍ତୁ ଫିଲ୍ମ ‘ନ୍ୟୁଟନ୍’ ଏକ ଏଭଳି ଚଳଚ୍ଚିତ୍ର ଥିଲା ଯାହା ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଥିଲା। ୨୦୧୭ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ପାଇଁ ରାଜକୁମାର ରାଓ ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାର ଗ୍ରହଣ କରିଥିଲେ। ଏହି ଚଳଚ୍ଚିତ୍ରରେ ରାଜକୁମାର ରାଓ ନୂତନ କୁମାର ନାମକ ଜଣେ ସରକାରୀ କିରାଣୀ ଭୂମିକାରେ ନଜର ଆସିଥିଲେ। ନୂତନ କୁମାର ନିରପେକ୍ଷ ନିର୍ବାଚନ କରିବାକୁ ପ୍ରତିଶ୍ରୁତିବଦ୍ଧ ଥିଲେ। ତାଙ୍କର ଏହି ଚରିତ୍ରକୁ ଦେଖି ନିର୍ବାଚନ ଆୟୋଗ ଅଭିନେତାଙ୍କୁ ଏହି ଦାୟିତ୍ବ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ତେବେ ଚଳିତ ବର୍ଷ ଅଗଷ୍ଟରେ ନିର୍ବାଚନ ଆୟୋଗ ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ଏହାର ଜାତୀୟ ଆଇକନ୍ କରିଥିଲେ। ଆସନ୍ତା ବର୍ଷ ଭାରତରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ ଅଧିକରୁ ଅଧିକ ଲୋକଙ୍କୁ ଭୋଟ୍ ଦେବା ପାଇଁ ଉତ୍ସାହିତ କରିବାକୁ ନିର୍ବାଚନ ଆୟୋଗ ପ୍ରଥମେ ସଚିନ ତେନ୍ଦୁଲକର ଓ ଏବେ ରାଜକୁମାର ରାଓଙ୍କୁ ଜାତୀୟ ଆଇକନ ଭାବେ ବାଛିଛନ୍ତି।