Onn 3

ପାରମ୍ପରିକ ବାଦ୍ୟର ଧ୍ବନିରେ କମ୍ପୁଛି ମହାନଗର

Religion and Cult State

 

imp

କଟକ: ମା ଜଗତଜନନୀ ଦୁର୍ଗାଙ୍କ ଭସାଣି ଯାତ୍ରା କଟକରେ ଆରମ୍ଭ ହୋଇଥିବାର ସୂଚନା ମିଳିଛି। ଆଜି ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ମା ଦୁର୍ଗା। କଟକ ସହର ଏବେ ପାରମ୍ପରିକ ବାଦ୍ୟର ଧ୍ବନିରେ କମ୍ପୁଛି। ବିଭିନ୍ନ ମଣ୍ଡପରୁ ଦୁର୍ଗାଙ୍କ ଭସାଣି ଯାତ୍ରା ଆରମ୍ଭ ହୋଇଛି। ଗତକାଲି ରାତିରୁ ଭସାଣି ପର୍ବ ଆରମ୍ଭ ହୋଇ ଏବେ ଏହା ଜମି ଆସୁଛି। ଛତ୍ରବଜାର ମେଢ ଏବେ ସାହି ପରିକ୍ରମା କରୁଥିବାର ସୂଚନା ରହିଛି। ଅନ୍ୟ କେତେକ ମେଢକୁ ଏବେ ଭସାଣି ଯାତ୍ରାରେ ନିଆଯାଉଛି। ଏଥିଲାଗି କଟକ ସହର ଏବେ ଲୋକାରଣ୍ୟ ହୋଇଛି।  ଆଜି ଦେବୀଗଡ଼ା ଘାଟଠାରେ ବିସର୍ଜନ ପର୍ବ ଅନୁଷ୍ଠିତ ହେବ। ଦେବୀଗଡ଼ା ଘାଟଠାରେ ବି ଜନଗହଳି ପରିଲକ୍ଷିତ ହେଉଛି। ଏଣେ ସହରର ବିଭିନ୍ନ ସ୍ଥାନରେ ମେଢମାନଙ୍କୁ ଦେଖିବା ଲାଗି ଲୋକେ ସପରିବାର ପହଞ୍ଚଥିବାର ଦେଖିବାକୁ ମିଳୁଛି।

ଏଣେ ଭସାଣିକୁ ନେଇ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଛି। ଦେବୀଗଡ଼ାଠାରେ ପୂର୍ବରୁ କୁତ୍ରିମ ପୋଖରୀ ପ୍ରସ୍ତୁତ ହୋଇଛି। ରାସ୍ତାଘାଟ ସଫା କରାଯାଇଛି। ଦେବୀଗଡ଼ାଠାରେ ଆଲୋକୀକରଣ, ପବ୍ଲିକ ଶୌଚାଳୟର ବ୍ୟବସ୍ଥା କରିଛି କଟକ ମହାନଗର ନିଗମ। କଟକରେ ୧୫୦ରୁ ଅଧିକ ମଣ୍ଡପରେ ପୂଜା ପାଉଥିବା ଦୁର୍ଗାଙ୍କୁ ମୃଣ୍ମୟୀ ମୂର୍ତ୍ତି ଆଜି ବିସର୍ଜିତ ହେବ। କଟକରେ ଏଥିଲାଗି ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ତେଣେ ଭସାଣି ଯାତ୍ରା ପାଇଁ କମିଶନରେଟ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଗାଇଡଲାଇନ୍ ଜାରି ହୋଇଛି। ଭସାଣି ବେଳେ ମୁଖ୍ୟ ରାସ୍ତାରେ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। କଲେଜ ଛକଠାରୁ ବକ୍ସିବଜାର ପର୍ଯ୍ୟନ୍ତ ଯାନବାହାନ ଚଳାଚଳ ମନା। ଠିକ୍ ସେହିପରି ତିନିକୋଣିଆ ବଗିଚାରୁ ଚାନ୍ଦିନୀଚୌକ ଯାଏଁ ରାସ୍ତାରେ ବି ଭସାଣ ବେଳେ କୌଣସି ଯାନବାହନ ଚଳାଚଳ କରିପାରିବ ନାହିଁ। ଏଣେ ଚଣ୍ଡୀଛକରୁ ଶେଖ ବଜାର ଓ ମହମ୍ମଦିଆ ବଜାର ବାଟଦେଇ ଚାନ୍ଦିନୀଚୌକ ଯାଏଁ ରାସ୍ତାରେ ବି ଗାଡ଼ି ଚଳାଚଳକୁ ବାରଣ କରାଯାଇଛି। ଠିକ୍ ସେହିପରି ଜାଉଁଳିଆପଟିରୁ ଫିରଙ୍ଗି ବଜାର ଦେଇ ଦେବୀଗଡ଼ା ଯାଏ ବି ଯାନବାହନ ଚଳାଚଳ ମନା। ତେଣେ ଚୌଧୁରୀ ବଜାରରୁ ପୂର୍ଣ୍ଣ ସାହି ଯାଏ ବି ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଏନେଇ ଜନସାଧାରଣଣଙ୍କୁ ସହଯୋଗ କରିବାକୁ କମିଶନରେଟ ପୁଲିସ ପକ୍ଷରୁ ନିବେଦନ କରାଯାଇଛି। ଉକ୍ତ ନିୟମ ଉଲ୍ଲଂଘନ କରିଲେ, ୫୦୦ ଟଙ୍କାରୁ ୧ ହଜାର ଟଙ୍କା ଯାଏ ଜରିମାନା ଆଦାୟ କରାଯିବା ନେଇବି ଚେତାବନୀ ଦିଆଯାଇଛି।