Onn 3

ନକ୍ସାରେ ସୀମିତ ଶ୍ରେଣୀ ଗୃହ ପ୍ରସଙ୍ଗ : ବଦଳିପାରୁନି ୧୧୨ବର୍ଷ ବିଦ୍ୟାଳୟର ରୂପରେଖ

State

ଆଗରପଡ଼ା (ଓଏନ୍‌ଏନ୍‌)  : ସରକାର ପ୍ରାଥମିକ ଶିକ୍ଷାକୁ ସୁଦୃଢ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରିବା ସହ ବିଦ୍ୟାଳୟରେ ପିଲାଙ୍କ ଉପସ୍ଥାନ ସଂଖ୍ୟାକୁ ଦେଖି ବିଦ୍ୟାଳୟ ଗୁଡ଼ିକୁ ବନ୍ଦ କରିବା ଓ ପାଖ ବିଦ୍ୟାଳୟ ସହ ମିଶ୍ରଣ ମଧ୍ୟ କରିଛନ୍ତି ଯାହାକି ଏକ ଉଚିତ ପଦକ୍ଷେପ କିନ୍ତୁ ଯେଉଁ ବିଦ୍ୟାଳୟରେ ଆବଶ୍ୟକୀୟ ପିଲା ଅଛନ୍ତି ସେଇ ବିଦ୍ୟାଳୟ ଗୁଡ଼ିକର ଶୈକ୍ଷିକ ବାତାବରଣରେ ପରିବର୍ତ୍ତନ ଆଣିବାକୁ ବିଭାଗୀୟ ଅଧବକାରୀ ଚେଷ୍ଟିତ ହେଉନଥିବାରୁ ଶିକ୍ଷାବ୍ୟବସ୍ଥାରେ ପରିବର୍ତ୍ତନ ଏକ ପ୍ରହସନରେ ପରିଣତ ହେବାକୁ ଯାଉଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଡ଼ାଳପଙ୍କସ୍ଥ ଯୋଗୀନ୍ଦ୍ର ପ୍ରାଥମିକ ବିଦ୍ୟାଳୟଠାରେ । ଶିକ୍ଷକ ଅଛନ୍ତି, ପିଲାବି ଅଛନ୍ତି କିନ୍ତୁ ଶ୍ରେଣୀ ଗୃହ ଅଭାବରୁ ଏଠାରେ ଶିକ୍ଷା ଦାନରେ ଘୋର ସମସ୍ୟା ଉପୁଜୁଛି । ୧୯୧୧ ମସିହାରେ ସ୍ଥାପିତ ଏହି ପ୍ରାଥମିକ ବିଦ୍ୟାଳୟରେ ପାଂଚଟି ଶ୍ରେଣୀ ପାଇଁ ଦୁଇଟି ଗୃହ ଉର୍ଦ୍ଦିଷ୍ଟ ଥିବା ବେଳେ ୫ ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି ।

ଏହା ମଧ୍ୟରେ ୧୧୨ ବର୍ଷ ଅତିକ୍ରମ କରି ସାରିଥିଲେ ସୁଦ୍ଧା ବିଦ୍ୟାଳୟଟିର ଶୈକ୍ଷିକ ପରିବେଶରେ ଉନ୍ନତି ହୋଇପାରିନାହିଁ । ଉକ୍ତ ବିଦ୍ୟାଳୟରେ ଦୁଇଟି ଗୃହରେ ପାଂଚଟି ଶ୍ରେଣୀର ପାଠ ପଢା କିପରି ଚାଲିଛି ଏବଂ ଏଠାରେ କିପରି ଅଧ୍ୟାପନା କାର୍ଯ୍ୟ ସଂପାଦନ ହେଉଛି ସେଥିନେଇ ଅଭିଭାବକଙ୍କ ଚିନ୍ତା ବଢିଯାଇଛି । ଗୋଟିଏ କୋଠରୀରେ ୩ଟି ଶ୍ରେଣୀ ଓ ଅନ୍ୟ କୋଠରୀରେ ୨ଟି ଶ୍ରେଣୀର ପାଠପଢା ଚାଲିଆସୁଛି । ଦୁଇଟି ଗୃହ ଅଛି ସତ କିନ୍ତୁ ତାର ଅବସ୍ଥା କହିଲେ ନ ସରେ । ବିଦ୍ୟାଳୟ ପରିସରରେ ଏକ ପୋଖରୀ ଥିବାରୁ ଏହା ମଧ୍ୟ କୋମଳମତି ପିଲାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ବିଦ୍ୟାଳୟ କାର୍ଯ୍ୟାଳୟଟିର ମରାମତି କରାଯାଇଥିଲେ ସୁଦ୍ଧା ଶ୍ରେଣୀ ଗୃହ ଅଭାବରୁ ସାଂସଦଙ୍କ ପାଣ୍ଠିରୁ ଅନୁମୋଦିତ କମ୍ପ୍ୟୁଟର ଅଫିସ ଗୃହରେ ବ୍ୟବହାର ଯୋଗ୍ୟ ହୋଇ ନପାରି ଖତ ଖାଉଛି । ସର୍ବ ଶିକ୍ଷା ଅଭିଯାନ ମାଧ୍ୟମରେ ମିଳିଥିବା ରୋଷେଇ ଗୃହ ଅବସ୍ଥା କହିଲେ ନସରେ । ବର୍ଷାହେଲେ ବାହାରେ ରୋଷେଇ କାର୍ଯ୍ୟ ସଂପାଦନା ହେଉଛି । ତେଣୁ ଏତେ ପୁରାତନ ବିଦ୍ୟାଳୟଟିରେ ଏହିପରି ଅବ୍ୟବସ୍ଥା ଯଦି ଲାଗି ରହେ ତେବେ ଏହା ନିଶ୍ଚିନ୍ତ ଭାବେ କୋମଳମତି ଛାତ୍ରଛାତ୍ରୀଙ୍କ ଉପରେ କୁପ୍ରବାହ ପକାଇବା ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରୁଛନ୍ତି ।

ବିଭାଗୀୟ ଅଧିକାରୀମାନେ ବିଭିନ୍ନ ସମୟରେ ବିଦ୍ୟାଳୟ ପରିଦର୍ଶନରେ ଆସି ସମସ୍ୟା ବିଷୟରେ ଅନୁଧ୍ୟାନ କରି କୈାଣସି କାର୍ଯ୍ୟନୁଷ୍ଠାନ ଆଜି ପର୍ଯ୍ୟନ୍ତ ନେଉ ନଥିବାର ବେଳେ ସ୍ଥାନୀୟ ସରପଂଚଙ୍କ ସହାୟତାରେ ବିଦ୍ୟାଳୟ ଶ୍ରେଣୀ ଗୃହ ପାଇଁ ନକ୍ସା ପ୍ରସ୍ତୁତକୁ ଇତି ମଧ୍ୟରେ ବର୍ଷାଧିକ କାଳ ବିତି ଯାଇଥିଲେ ସୁଦ୍ଧା ଏଥିରେ କୌଣସି ଅଗ୍ରଗତି ହୋଇପାରିନଥିବା ଜଣାପଡ଼ିଛି । ବିଦ୍ୟାଳୟଟିର ସମସ୍ୟା ବିଷୟରେ ପ୍ରଧାନ ଶିକ୍ଷକଙ୍କୁ ଯୋଗଯୋଗ କରିବାରୁ ସେ ବିଦ୍ୟାଳୟରେ ଲାଗିରହିଥିବା ସମସ୍ୟା ବିଷୟରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦୃଷ୍ଟି ଗୋଚର କରିଥିବା ପ୍ରକାଶ କରିଥିଲେ । ଶିକ୍ଷା ବ୍ୟବସ୍ଥାରେ ଏହିପରି ପ୍ରହସନ ଆଉ କେତେ ଦିନ ବୋଲି ସାଧାରଣ ଲୋକମାନଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ସବୁ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।