Onn 3

ଲୋକଙ୍କୁ ନାହିଁ ପିଇବା ପାଣି, ପ୍ରଚାର ସର୍ବସ୍ୱ ବିକାଶ କାହାଣୀ : ବିଜେପି

Politics State

bj

ଭୁବନେଶ୍ୱର:ଲୋକଙ୍କୁ ନାହିଁ ପିଇବା ପାଣି ।  ପ୍ରଚାର ସର୍ବସ୍ୱ ବିକାଶ କାହାଣୀ  । କେନ୍ଦ୍ର ସରକାର ପାନୀୟ ଜଳ ଯୋଗାଣ ପାଇଁ ଅନୁଦାନ ଦେଉଥିଲେ ହେଁ ରାଜ୍ୟ ସରକାର ଖର୍ଚ୍ଚ କରୁନାହାନ୍ତି । ଟଙ୍କା ଫେରି ଯାଉଛି, ଅଥଚ ଲୋକେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ।   ରାଜ୍ୟ ସରକାରଙ୍କ ପାନୀୟ ଜଳ ଯୋଗାଣ  ପ୍ରତିଶ୍ରୁତି ଲୋକଙ୍କ ପାଇଁ ପାଣିର ଗାର ହୋଇଛି । ଏମିତି କହି ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି ।  ୨୦୨୪ ସୁଦ୍ଧା ଗାଁ ଓ ସହରୀବାସୀଙ୍କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାର କହିଥିଲେ ।  ରାଜ୍ୟରେ ଘର ସଂଖ୍ୟା ୮୮ଲକ୍ଷ ୩୩,୫୩୬ । ପାଇପ ଜଳ ସଂଯୁକ୍ତ ଘର ୨୦୨୨ସୁଦ୍ଧା ୪୪ପ୍ରତିଶତ ଥିଲାବେଳେ ବର୍ତମାନ ୨୦୨୩-୨୪ରେ ଏହା ୫୮ପ୍ରତିଶତ ଥିବା କୁହାଯାଉଛି । ଅଧିକାଂଶ ଗାଁ ଓ ପଡା ଗାଁରେ ପାଇପର ଜଳ ସଂଯୋଗ ହୋଇନାହିଁ ବୋଲି କହିଛନ୍ତି ବିଜେପି ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବଳିୟାରସିଂହ କହିଛନ୍ତି ଯେ, ଓଡ଼ିଶା ଦେଶର ଚତୁର୍ଥ ଡାଇରିଆ ପ୍ରବଣ ରାଜ୍ୟ । କଲେରା,  ନିକଟରେ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ପଂଚଧାରା ଅଂଚଳର ୪ଟି ଗାଁ(ଧଣ୍ଡାତୋଗା, ବାସୁଦେବପୁର, ଆରାମପୁର, ଅମାସମାବାଶି)ରେ ପାନୀୟ ଜଳ ସଂକଟରୁ ୯୦ପ୍ରତିଶତରୁ ଅଧିକ ଲୋକ କୀଡନି ରୋଗାକ୍ରାନ୍ତ ହେଲାବେଳେ ୧୮ଜଣଙ୍କ ମୃତ୍ୟୁ ଘଟିଛି ।  ସେହିପରି ବଲାଙ୍ଗିର ଜିଲ୍ଲାର ବ୍ରୁଡା, ବାଦିବାହାଲ, କଦଳୀପାଲି, ଅଗଲାପାଲି, ଭାଲୁପାଲି ଆଦି ଅଂଚଳରେ ୩୦ପ୍ରତିଶତରୁ ଅଧିକ ଲୋକ କୀଡନି ରୋଗରେ ଆକ୍ରାନ୍ତ ।  ସାରା ରାଜ୍ୟର ବିଭିନ୍ନ ଅଂଚଳ ଫ୍ଲୋରାଇଡ ଆଇରନ ପ୍ରଦୂଷିତ ଜଳ ସମସ୍ୟା କାରଣରୁ ଲୋକେ କିଡନୀ ଭଳି ଦୁରାରୋଗ୍ୟ ରୋଗ ଭୋଗୁଛନ୍ତି ବୋଲି ଶ୍ରୀ ବଳିୟାରସିଂହ କହିଛନ୍ତି ।

୨୦୧୯ ଗତ ଅଗଷ୍ଟ ୧୫ରେ  ପ୍ରଧାନମନ୍ତ୍ରୀ “ଜଳ ଜୀବନ ମିଶନ” ଘୋଷଣା କରିଥିଲେ । ରାଜ୍ୟକୁ ୨୦୨୧-୨୨ ରୁ ୨୦୨୫-୨୬ମଧ୍ୟରେ ପଂଚଦଶ ଅର୍ଥ କମିଶନ ୫୨୮୦କୋଟି ଗ୍ରାଂଟ ଆସିଥିଲାବେଳେ ୨୦୧୯-୨୦ରୁ ୨୦୨୩-୨୪ମଧ୍ୟରେ ଜଳ ଜୀବନ ମିଶନରେ ୧୦,୨୧୫କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ ମିଳିଥିଲା । ହେଲେ  ୨୦୨୦-୨୧ରେ ୨୦୩କୋଟି, ୨୦୨୧-୨୨ରେ ୮୩୦ କୋଟି, ୨୦୨୨-୨୩ରେ ୧,୮୩୯କୋଟି ଟଙ୍କା ମୋଟ ୨,୮୬୩କୋଟି ଟଙ୍କା ରାଜ୍ୟ ସରକାରଙ୍କ ଅଯୋଗ୍ୟତା ଓ ଅପାରଗତା କାରଣରୁ ଖର୍ଚ୍ଚ ନହୋଇ ଫେରିଯାଇଛି । ସାଧାରଣ ଲୋକ ମୁନ୍ଦାଏ ପାଣି ପାଇଁ ଡହଳ ବିକଳ ହେଉଥିଲାବେଳେ ୨,୮୬୩କୋଟି ଟଙ୍କା ଫେରିଯିବା ସରକାରଙ୍କ ଅପାରଗତା ଓ ସମ୍ବେଦନହୀନତାକୁ ଦର୍ଶାଉ ନାହିଁ କି ବୋଲି ଶ୍ରୀ ବଳିୟାରସିଂହ ପ୍ରଶ୍ନ କରିଛନ୍ତି ।

ରାଜ୍ୟ ସରକାର ବିଭିନ୍ନ ମେଗା ୱାଟର ସପ୍ଲାଏ ପ୍ରୋଜେକ୍ଟ ସମ୍ପର୍କରେ ଉଲ୍ଲେଖ କରିଛନ୍ତି ଯାହାକି ମହାଦୁର୍ନୀତିର ମେଗା ଉତ୍ସ ।  ଭଦ୍ରକ ଜିଲ୍ଲା, ଚାନ୍ଦବାଲି, ତିହିଡି, ବାସୁଦେବପୁର, ଧାମନଗର ଅଚଂଳରେ ହାଇଦ୍ରାବାଦ ସ୍ଥିତ ମେଗା ଇଣ୍ଡଷ୍ଟ୍ରି ଆଣ୍ଡ ଇନ୍‌ଫାଷ୍ଟକ୍ଟର କମ୍ପାନୀ ସହ ରାଜ୍ୟ ସରକାର ୨୦୧୯ରେ ଚୁକ୍ତି କରିଥିଲେ । ୨୦୧୪ ଫେବୃୟାରୀ ୨୦୨୧ ସୁଦ୍ଧା ସମ୍ପୂର୍ଣ୍ଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେବାରେ ଥିଲେ ମଧ୍ୟ ଧାର୍ଯ୍ୟ ସମୟର ଅଢ଼େଇବର୍ଷ ପରେ ବି ମାତ୍ର ୭୬ପ୍ରତିଶତ ସମ୍ପର୍ଣ୍ଣ ହୋଇଛି । ଦୁର୍ଭାଗ୍ୟର କଥା ପ୍ରକଳ୍ପର ଆକଳନ ମୂଲ୍ୟ ୭୫୦କୋଟି ଟଙ୍କା ଥିଲାବେଳେ ଚୁକ୍ତିର ୯୩ପ୍ରତିଶତ ୬୯୩କୋଟି ଟଙ୍କା ସମ୍ପୃକ୍ତ କମ୍ପାନୀକୁ ଦିଆସରିଛି । ନିୟମ ଅନୁଯାୟୀ ସମ୍ପୂର୍ଣ୍ଣ କାମ ସରିବା ପରେ ୯୦ପ୍ରତିଶତ ଟଙ୍କା ପେମେଂଟ ହେବା କଥା  । ବାକି ୧୦ପ୍ରତିଶତ ରକ୍ଷଣା ବେକ୍ଷଣ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ସ୍ଥଗିତ ରହିବା ପାଇଁ ନିୟମ ଥିଲାବେଳେ ୨୪ପ୍ରତିଶତ କାମ ବାକି ଥିବାବେଳେ ୯୩ପ୍ରତିଶତ ପେମେଂଟ ବ୍ୟାପକ ଦୁର୍ନୀତି, ଭ୍ରଷ୍ଟାଚାରର ଜ୍ୱଳନ୍ତ ଉଦାହରଣ ବୋଲି କହିଛି ବିଜେପି ।

୨୩ ବର୍ଷରେ ରାଜ୍ୟ ସରକାରଙ୍କ ବିକାଶର ନାରା ବୃଥା । ରାଜ୍ୟ ସରକାର ପାଣି ପାଇଁ ଡହଳ ବିକଳ ହେଉଥିବା ଲୋକଙ୍କୁ ମୁନ୍ଦାଏ ପାଣି ଦେବାରେ ଅସମର୍ଥ । ଯଥାଶୀଘ୍ର ଯୁଦ୍ଧକାଳୀନ ଭିତିରେ ରାଜ୍ୟର ସମସ୍ତ ଗାଁ ଓ ପରିବାରକୁ ଟ୍ୟାପ ୱାଟର ଯୋଗେ ଜଳଯୋଗାଣ କରାଯାଉ ବୋଲି ଶ୍ରୀ ବଳିୟାରସିଂହ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଏବଂ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।