Onn 3

ONN ପ୍ରଭାବ: ଖବର ପ୍ରକାଶ ପରେ ନିର୍ମାଣ ହେଲା ତୁମ୍ଭାପଦୀ ଗାଁ ରାସ୍ତା

State

ଆଗରପଡ଼ା: ଗତ ଅଗଷ୍ଟ ମାସ ୨୦ ତାରିଖ ସୋମବାର “ତୁମ୍ଭାପଦୀ ଗାଁ ରାସ୍ତା ଶୋଚନୀୟ, ପ୍ରଶାସନର ନୀରବତାକୁ ନେଇ ପ୍ରଶ୍ନବାଚୀ” ଶୀର୍ଷକ ଖବର ‘ONN’ରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ଇତି ମଧ୍ୟରେ ପଂଚାୟତ ସମିତି ବନ୍ତ ପକ୍ଷରୁ ଏସଏଫସି ଯୋଜନାରେ ଏକ ଏକ୍ଷ ପଚାଶ ହଜାର ଅଟକଳ ମୂଲ୍ୟରେ କଂକ୍ରିଟ୍ ରାସ୍ତା ନିର୍ମାଣ ହୋଇଥିବା ଜଣାପଡ଼ିଛି । ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତ ଅର୍ନ୍ତଗତ ୪ ନଂ ୱାର୍ଡ଼ରେ ରହିଛି ତୁମ୍ଭାପଦୀ ଗାଁ । ଏହି ଗାଁ ସ୍ୱାଧିନତା ପରେ ମଧ୍ୟ ପ୍ରଶାସନିକ ଅଧିକାରୀଙ୍କ ଆଡ଼ୁଆଳରେ ରହିଛି । ଗାଁର ଲୋକ ସଂଖ୍ୟା ପାଖାପାଖି ୯୦୦ । ତନ୍ମଧ୍ୟରୁ ଭୋଟର ପାଖାପାଖି ୩୫୦ ; ମାତ୍ର ଏଠାକୁ ଭଲ ରାସ୍ତାଟିଏ ନାହିଁ । ବାଙ୍କତିରା ସ୍କୁଲ ଠାରୁ ଏକ କାଦୁଅ ରାସ୍ତା ଏହାକୁ ସଂଯୋଗ କରୁଛି । ଏହି ରାସ୍ତାକୁ ଖରା ଦିନିଆ ରାସ୍ତା କହିଲେ ଅତ୍ୟୁକ୍ତି ହେବ ନାହିଁ । ଅନ୍ୟ ଦିନମାନଙ୍କରେ ଦୁଇ ଚକିଆ ଯାନ ଯିବା ଦୂରେ ଥାଉ, ଖାଲି ପାଦରେ ଯିବା କଷ୍ଟକର । ଛାତ୍ରଛାତ୍ରୀ ଏହି ରାସ୍ତାଦେଇ ପ୍ରତିଦିନ ବାଙ୍କତିରା ସ୍କୁଲକୁ ,ଆଗରପଡ଼ା କଲେଜକୁ, କୋମଳମତୀ ଶିଶୁ ବାଙ୍କତିରା ଅଙ୍ଗନବାଡ଼ି କେନ୍ଦ୍ର କୁ ଅଧ୍ୟୟନ ପାଇଁ ଆସିଥାନ୍ତି । ଏବେ ବର୍ଷାଋତୁ ଚାଲୁଥିବାରୁ ଏବଂ ଲଘୁଚାପ ପ୍ରଭାବରୁ ବର୍ଷା ହେବାରୁ ଜଳନିଷ୍କାସନର କୌଣସି ବ୍ୟବସ୍ଥା ନଥିବାରୁ ରାସ୍ତାରେ ଖାଲ ସୃଷ୍ଟି ହୋଇ ଆଣ୍ଠୁଏ ଲେଖାଏଁ ପାଣି ଜମା ହୋଇ ରହିଛି । ଯଦ୍ୱାରା ଗମନା ଗମନରେ ଘୋର ଅସୁବିଧା ସୃଷ୍ଟି ହେଉଛି । ଏହି ରାସ୍ତାଟି ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ଅର୍ନ୍ତଗତ ସରମରା ଗାଁକୁ ମଧ୍ୟ ସଂଯୋଗ କରୁଛି । ରାସ୍ତା ବିପର୍ଯ୍ୟସ୍ତ ଥିବାରୁ ଗ୍ରାମବାସୀମାନେ ପ୍ରତିଦିନ ବ୍ଲକ ଓ ତହସିଲ ଆଦି କାର୍ଯ୍ୟାଳୟକୁ ଅଧିକ ଦୂରବର୍ତ୍ତୀ ରାସ୍ତାଦେଇ ଯାଆଆସ କରୁଛନ୍ତି ।

ଗତ ୬ବର୍ଷ ମଧ୍ୟରେ ବିଭିନ୍ନ ଅନୁଦାନରେ ଭକ୍ତ ରାସ୍ତା ମରାମତି ହେଇଥିଲେ ସୁଦ୍ଧା ସ୍ଥାୟୀ ରାସ୍ତାଟିଏ ହୋଇପାରୁନାହିଁ । ବିଭିନ୍ନ ସମୟରେ ଗ୍ରାମବାସୀ ମାନେ ରାସ୍ତା ବାବଦରେ ସ୍ୱର ଉତ୍ତୋଳନ କଲେ ମଧ୍ୟ କିଛି ସୁଫଳ ପାଇପାରୁନଥିବା ଅଭିଯୋଗ କରିଥାନ୍ତି । ଉକ୍ତ ରାସ୍ତାକୁ ସ୍ଥାୟୀ ରାସ୍ତାରେ ପରିଣତ କରିବା ପାଇଁ ଗ୍ରାମବାସୀ ଦାବି କରିଥିଲେ ସୁଦ୍ଧା ପଂଚାୟତ ସମିତି ବନ୍ତର ୮ଟି ବିଭିନ୍ନ ରାସ୍ତା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର ହୋଇଥିବା ବେଳେ ଉକ୍ତ ରାସ୍ତାକୁ ତାଲିକା ଭୁକ୍ତ କରାଯାଇନଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲେ ସୁଦ୍ଧା ଉକ୍ତ ରାସ୍ତାକୁ ନେଇ ପ୍ରଶାସନର ନୀରବତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେଣୁ ଉକ୍ତ ରାସ୍ତାକୁ ସ୍ଥାୟୀ ରାସ୍ତାରେ ପରିଣତ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଥିବା ଖବର ‘ଓଏନଏନ’ରେ ପ୍ରକାଶ ପାଇଥିଲା ।

ତୁମ୍ଭାପଦୀ ଗାଁ ରାସ୍ତା ଶୋଚନୀୟ, ପ୍ରଶାସନର ନୀରବତାକୁ ନେଇ ପ୍ରଶ୍ନବାଚୀ