Onn 3

କାଗଜ କଲମରେ ସୀମିତ ବଣୁଆଙ୍କ ଆବାସ

State

ଆଗରପଡ଼ା: ବିଭାଗୀୟ ଅଧିକାରୀମାନେ ସରକାରଙ୍କ ନିର୍ଦ୍ଦେଶାନୁସାରେ କାର୍ଯ୍ୟ କରୁନଥିବାରୁ ପ୍ରକୃତ ହିତାଧିକାରୀ ସରକାରୀ ଯୋଜନା ପାଇବାରୁ ବଂଚିତ ହେଉଥିବା ଜଣାପଡ଼ିଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଗୋପିନାଥପୁର ପଂଚାୟତରେ । ଉକ୍ତ ପଂଚାୟତ ଅନ୍ତର୍ଗତ ତାଜିପୁର ଗ୍ରାମ ଆଦିବାସୀ ସାହିରେ ବଣୁଆଙ୍କ ଘର । ବଣୁଆ ମୁଣ୍ଡା ଜଣେ ଜନଜାତି ସଂପ୍ରଦାୟର ବ୍ୟକ୍ତି ହେବା ସହ ଅତ୍ୟନ୍ତ ଗରୀବ ଶ୍ରେଣୀୟ ବ୍ୟକ୍ତି ଅଟନ୍ତି । ୩ ପୁଅ ଓ ସ୍ତ୍ରୀଙ୍କୁ ନେଇ ତାଙ୍କ ସଂସାର । ସେ ଦିନମଜୁରିଆ ହିସାବରେ କାର୍ଯ୍ୟକରି ସେଥିରେ ତାଙ୍କ ପରିବାର ଚଳାଇଥାନ୍ତି । ପ୍ରତିଦିନ ଦୁଇ ମୁଠା ପେଟ ପୁରା ଦାନା ମିଳିବା ତାଙ୍କ ପରିବାର ପକ୍ଷେ ସମ୍ଭବପର ହୋଇପାରେ ନାହିଁ । ନୂଆଣିଆ ଚାଳଘରକୁ ପ୍ରତିବର୍ଷ ଛାଉଣି କରିପାରୁ ନଥିବାରୁ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର କିରଣ ଘର ଭିତରକୁ ପଡ଼ିଥାଏ । ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ପଲିଥିନ ଖଣ୍ଡମାନ ଛପର ସାରା ଭର୍ତ୍ତି । ରେସନ କାର୍ଡ଼ ମାଧ୍ୟମରେ କେବଳ ସରକାରୀ ସହାୟତା ତାଙ୍କ ପାଇଁ ସୀମିତ ।

ସେ ଆବାସ ଟିଏ ପାଇବା ପାଇଁ ବ୍ଲକ୍ କୁ ଦୌଡ଼ିଦୌଡ଼ି ନୟାନ୍ତ ହେବା ସତ୍ୱେ ଏହା ତାଙ୍କ ଭାଗ୍ୟରେ ଆଜିଯାଏ ଜୁଟି ପାରି ନାହିଁ । ସୂଚନା ଅନୁଯାୟୀ;୨୦୨୦-୨୧ଆର୍ଥିକ ବର୍ଷରେ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରକାଶିତ ହିତାଧିକାରୀ ତାଲିକାରେ ବଣୁଆଙ୍କ କ୍ରମିକ ସଂଖ୍ୟା ୪୭ ଏବଂ ଅଗ୍ରାଧିକାର ଭିତ୍ତିରେ ମିଳିଥିବା କ୍ରମିକ ସଂଖ୍ୟା ୯ଥିବାବେଳେ ତାଙ୍କ ଆଇଡ଼ି ନଂ୨୫୩୩୧୮୭ ଥିଲା । ସେ ସବୁ ଦୃଷ୍ଟି କୋଣରୁ ଆବାସ ପାଇବାକୁ ଯୋଗ୍ୟ ଥିବାବେଳେ ପରବର୍ତ୍ତି ମୁହୁର୍ତ୍ତରେ ତାଙ୍କୁ ଭୂମିହିନ ଦର୍ଶାଇ ଏଥିରୁ ବଂଚିତ କରାଯାଇଥିଲା । କିନ୍ତୁ ପ୍ରକୃତପକ୍ଷେ ବଣୁଆ ଜଣେ ପଟ୍ଟାଧାରୀ ହିତାଧିକାରୀ, ସରକାରଙ୍କ ତରଫରୁ ମିଳିଥିବା ପଟ୍ଟା ଅନୁଯାୟୀ ବଣୁଆଙ୍କ ଖତିୟାନ ନଂ୨୬୩/୬୮ ଥିବା ଜଣାପଡ଼ିଥିଲା । ଏହି ଖବର ଗତ୨୦୨୧ ଜୁଲାଇ ମାସରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବାପରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଇ ବଣୁଆ ମୁଣ୍ଡା ପ୍ରକୃତରେ ଗୃହ ପାଇବାକୁ ଯୋଗ୍ୟ ଏବଂ ଭୁଲବଶତଃ ତାଙ୍କ ନାମ ପିଡ଼ବ୍ଲ୍ୟଏଲ କିମ୍ବା ହିତାଧିକାରୀ ତାଲିକାରୁ କଟିଯାଇଥିଲା ଏବଂ ତାଙ୍କୁ ଖୁବଶୀଘ୍ର ଘର ମିଳିବାର ସବୁ ବନ୍ଦୋବସ୍ତ କରାଯାଇଥିବାର ସୂଚନା ଜିଲ୍ଲାପାଳଙ୍କ ଟ୍ୱିଟର ପେଜରୁ ଜଣାପଡ଼ିଥିଲା । ଘଟଣାକୁ ଇତି ମଧ୍ୟରେ ୨ବର୍ଷ ବିତିଯାଇଥିଲେ ସୁଦ୍ଧା ବଣୁଆଙ୍କୁ ଆବାସ ମିଳିବାର ପ୍ରକ୍ରିୟା କେବଳ କାଗଜ କଲମରେ ସୀମିତ ରହିଯାଇଥିବା ଜଣା ପଡ଼ିଛି ।

ଉକ୍ତ ସମସ୍ୟାକୁ ନେଇ ତତ୍କାଳୀନ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ଭୂମିହିନ ଦର୍ଶାଇ ବଂଚିତ କରାଇଥିବା)ଙ୍କୁ ଯୋଗାଯୋଗ କରିବାରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ତଦନ୍ତ ପରେ ସେ ଗୃହ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ଏବଂ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ନୂତନ ତାଲିକା ପ୍ରସ୍ତୁତ ସମୟରେ ବଣୁଆଙ୍କ ନାମକୁ ତାଲିକାରେ ଅର୍ନ୍ତଭୂକ୍ତ କରାଯିବା କଥା ବୋଲି ସେ କହିଥିଲେ । କିନ୍ତୁ ବର୍ତ୍ତମାନର ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବଣୁଆଙ୍କ ନାମକୁ କାହିଁକି ତାଲିକରେ ଅର୍ନ୍ତଭୂକ୍ତ କଲେ ନାହିଁ ତାହାର ସରକାରୀ ସ୍ତରୀୟ ତଦନ୍ତ ହେବା ସହ ଉକ୍ତ ପଂଚାୟତରେ କେତେ ପ୍ରକୃତ ହିତାଧିକାରୀ ଆବାସ ପାଇବାରୁ ବଂଚିତ ହୋଇଛନ୍ତି ତାର ତଦନ୍ତ କରାଗଲେ ସ୍ପଷ୍ଟଚିତ୍ର ସାମ୍ନାକୁ ଆସିବ ବୋଲି ବିଭିନ୍ନ ମହଲରୁ ଦାବି ହେଉଛି । ତେଣୁ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ବୋଲି ଖବର ଗତ ଜୁଲାଇ ମାସରେ ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା । ଉକ୍ତ ଖବର ପ୍ରକାଶ ପାଇବା ପରେ ବିକାଶ ଧଳ ନାମକ ଜନୈକ ସୂଚନା ଅଧିକାର କର୍ମୀ ସୂଚନା ଅଧିକାର ଆଇନ ବଳରେ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ସେ କାର୍ଯ୍ୟାଳୟ ଚିଠି ନଂ ୧୭୧୬/୧୨.୦୭.୨୦୨୩ରେ ଗୋପିନାଥପୁର ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ତଦନ୍ତ କରି ଯଥା ଶୀଘ୍ର ଏହାର ସୂଚନା ପ୍ରଦାନ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । କିନ୍ତୁ ଇତି ମଧ୍ୟରେ ବିଡ଼ିଓଙ୍କ ନିର୍ଦ୍ଦେଶକୁ ୩ ମାସ ବିତିଯାଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ବଣୁଆଙ୍କ ଆବାସ କାଗଜ କଲମରେ ସୀମିତ ରହିଯିବା ଜଣାପଡ଼ିଛି ।