Onn 3

ନିଶା ଦେଇ ଲୁଟୁଥିବା ଅଭିଯୁକ୍ତ ଗିରଫ

Crime State

 

nisa

ଭୁବନେଶ୍ୱର: ଯାତ୍ରୀଙ୍କୁ ନିଶା ଦେଇ ଲୁଟୁଥିବା ମାମଲାରେ ଖାରବେଳନଗର ଥାନା ପୁଲିସ ଦୁଇଦିନ ତଳେ ଚାରିଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବାବେଳେ ଆଜି ଆଉ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ବିଶ୍ଵସ୍ତ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ଆଧାରରେ ଖାରବେଳନଗର ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ବତନ୍ତ୍ର ପୁଲିସ ଟିମ ଗତ ୧୪ ତାରିଖରେ ମାଷ୍ଟରକ୍ୟାଣ୍ଟିନ ଛକସ୍ଥିତ ରିଲାଏନ୍ସ ମାର୍ଟ ନିକଟରେ ଥିବା ଏକ ପରିତ୍ୟକ୍ତ ସ୍ଥାନରେ ଚଢ଼ାଉ କରି ଚାରିଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିବାବେଳେ, ନିମ୍ନୋକ୍ତ ଅଭିଯୁକ୍ତ ଜଣକ ଅନ୍ଧାରର ସୁଯୋଗ ନେଇ ଘଟଣାସ୍ଥଳରୁ ଖସିଯିବାରେ ସକ୍ଷମ ହୋଇଥିଲେ । ଗିରଫ ଅଭିଯୁକ୍ତମାନଙ୍କ ହେପାଜତରୁ ପୁଲିସ ସେତେବେଳେ ୪ଟି ସ୍ଟ୍ରିପ ଲୋରାଜେପମ୍ ଟାବଲେଟ୍, ଗୋଟିଏ ଛୁରୀ, କୋଲ୍ଡ ଡ୍ରିଂକ୍ସ ବଟଲ, ୪ଟି ପକେଟ କେକ୍, ଏବଂ ୨ଟି ମୋଟରସାଇକେଲ ଜବତ କରିଥିଲେ ।

ତଦନ୍ତ ସମୟରେ ପୁଲିସ ଜାଣିବାକୁ ପାଇଥିଲେ ଯେ, ନିମ୍ନୋକ୍ତ ଅଭିଯୁକ୍ତମାନେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ବିଭିନ୍ନ ବାହାନାରେ ପ୍ରଲୋଭିତ କରାଇ ସେମାନଙ୍କୁ ଥଣ୍ଡା ପାନୀୟ, ଚା କିମ୍ବା ପାଉଁରୁଟିରେ ନିଶା ଦ୍ରବ୍ୟ ମିଶ୍ରଣ କରି ଖାଇବା/ପିଇବା ପାଇଁ ଦେଉଥିଲେ ଏବଂ ଯାତ୍ରୀମାନେ ନିଶାର କବଳିତ ହେବା ପରେ ତାଙ୍କ ନିକଟରୁ ମୁଲ୍ୟବାନ ସାମଗ୍ରୀ ସବୁକୁ ଲୁଟି ନେଉଥିଲେ । ଏହି ଘଟଣାର ଅଧିକ ତଦନ୍ତ ଚାଲିଥିବା ସମୟରେ ପୁଲିସ ମିଳିଥିବା ଏକ ବିଶ୍ଵସ୍ତ ସୂତ୍ରକୁ ଆଧାର କରି ଅଭିଯୁକ୍ତଙ୍କ ଘର ଉପରେ ଚଢ଼ାଉ କରି ତାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ ।

ପଚରାଉଚରାବେଳେ ନିମ୍ନୋକ୍ତ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ଵୀକାର କରିଥିଲେ । ଅଭିଯୁକ୍ତଙ୍କର ପୂର୍ବ ଅପରାଧିକ ସମ୍ପୃକ୍ତି ନେଇ ଯାଞ୍ଚ ବେଳେ, ସେ ଜଣେ ପେଷାଦାର ଅପରାଧୀ ଥିବା ପୁଲିସ ଜାଣିବାକୁ ପାଇଥିଲେ । ତାଙ୍କ ନାମରେ ପୂର୍ବରୁ ମଧ୍ୟ ଭୁବନେଶ୍ବରର ବିଭିନ୍ନ ଥାନାରେ ମୋଟ ୨୨ରୁ ଅଧିକ ଅପରାଧିକ ମାମଲା ରହିଛି । ଅଭିଯୁକ୍ତ ଜଣକ ଅଭ୍ଯାସଗତ ଭାବେ ବିଭିନ୍ନ ଅପରାଧିକ ମାମଲାରେ ସାମିଲ ରହୁଥିବାରୁ ତାଙ୍କ ବିରୋଧରେ ସିଆରପିସି-୧୧୦ ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ପଦକ୍ଷେପ ନିଆଯାଉଅଛି । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।