Onn 3

ପରଲୋକରେ ପ୍ରଖ୍ୟାତ ଗୀତିକାର ବିନୋଦିନୀ ଦେବୀ

State

 

bin

କଟକ: ପ୍ରଖ୍ୟାତ ଗୀତିକାର ବିନୋଦିନୀ ଦେବୀଙ୍କ ପରଲୋକ। ୮୬ ବର୍ଷ ବୟସରେ ଅନୁଗୁଳ ଠାରେ ତାଙ୍କର ଦେହାନ୍ତ ହୋଇଛି। ମସ୍ତିଷ୍କାଘାତରେ ଦୀର୍ଘଦିନ ଧରି ସେ ଶଯ୍ୟାଶାୟୀ ଥିଲେ। ୧୯୩୭ ମସିହାରେ କଟକ ଜିଲ୍ଲା ତିଗିରିଆ ଠାରେ ଜନ୍ମଗ୍ରହଣ କରିଥିଲେ ବିନୋଦିନୀ ଦେବୀ। ଓଡ଼ିଆ ସୁଗମ ଏବଂ ଚଳଚ୍ଚିତ୍ର ସଂଗୀତର ଅପ୍ରତିଦ୍ୱନ୍ଦ୍ୱୀ ଗୀତିକାର ଥିଲେ । ୧୯୬୫ ମସିହାରେ ମଲାଜହ୍ନ ଚଳଚ୍ଚିତ୍ର ପାଇଁ ଗୀତ ରଚନା ଆରମ୍ଭ କରିଥିଲେ। ସେ ଓଡ଼ିଆ ଚଳଚ୍ଚିତ୍ରର ପ୍ରଥମ ନାରୀ ଗୀତିକାର।

୧୯୫୮ ମସିହାରୁ ଆକାଶବାଣୀର ସ୍ୱୀକୃତିପ୍ରାପ୍ତ ଗୀତିକାର ଥିଲେ ବିନୋଦିନୀ ଦେବୀ। ଅର୍ଦ୍ଧଶତାବ୍ଦୀରୁ ଉର୍ଦ୍ଧ୍ୱକାଳ ଧରି ଆକାଶବାଣୀ, ଦୂରଦର୍ଶନ, ଚଳଚ୍ଚିତ୍ର ଓ ଅନ୍ୟ ପ୍ରସାରଣ ମାଧ୍ୟମ ପାଇଁ ଗୀତ ରଚନା କରିଛନ୍ତି। ୧୯୭୮ରେ ‘ତଅପୋଇ’, ୧୯୭୯ରେ ‘ଶ୍ରୀଜଗନ୍ନାଥ’, ୧୯୮୩ରେ ‘ମହାସତୀ ସାବିତ୍ରୀ’ ଓ ୨୦୦୭ରେ ‘ଜୟ ଜଗନ୍ନାଥ’ ଚଳଚ୍ଚିତ୍ର ପାଇଁ ଗୀତ ରଚନା କରି ସେ ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ। ତାଙ୍କ ରଚିତ କବିତାରେ ଓଡ଼ିଆ ଲୋକଭାଷା ଓ ଲୋକକଳ୍ପନାର ଚମତ୍କାର ଶବ୍ଦ ରସାୟନ ସବୁ ରହିଛି ।

ସେ ଲେଖିଥିବା ଗୀତ ମଧ୍ୟରେ ‘ଚୋରାବାଲିରେ’, ‘ରକତ ଟଳମଳ ଖଇର ପାଞ୍ଚପଳ’, ‘ମୁଁ ଯେ ଭରା ବସନ୍ତ ଶାଖାରେ ଏକାକୀ କଜଳ ପାତି’, ‘ମୁଁ ତୁମ ବଧୂ ନୁହେଁ ବନ୍ଧୁ’, ‘କାଳିଆ ଆସିଲା’, ‘ନିରିମାଖୀ କୁଆଁରୀ ମୁଁ’ ଓ ‘ଏଇ କଳା ମୋର କଳଙ୍କ’ ଆଦି ଏବେ ବି ସିନେପ୍ରେମୀଙ୍କୁ ଆନମନା କରେ। ବିନୋଦିନୀ ଦେବୀ ଜଣେ ଉଚ୍ଚକୋଟିର ସାହିିତ୍ୟିକା ମଧ୍ୟ ଥିଲେ। ତାଙ୍କ ରଚିତ ଶିଶୁଗୀତି ସଙ୍କଳନ ‘ଖୋକାଟିଏ ଖୋକିଟିଏ’ ଭକ୍ତିଗୀତି ସଙ୍କଳନ ‘ଅମୃତା’ , ଶିଶୁଗୀତି ସଙ୍କଳନ ଟିକି ଟିକି ନାଲି କାଇଁଚ , ଆଧୁନିକ ଗୀତ ସଂକଳନ ‘ଏଇ କଳା ମୋର କଳଙ୍କ’ ଆଦି ପାଠକ ମହଲରେ ବେଶ ଆଦୃତ ହୋଇଥିଲା। ୨୦୨୦ ମସିହାରେ ‘କାଦମ୍ବିନୀ ସାହିତ୍ୟ ସମ୍ବର୍ଦ୍ଧନା ପାଇଥିଲେ ବିନୋଦିନୀ ଦେବୀ