Onn 3

ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ, ବିଜେପି ପ୍ରାର୍ଥୀତ୍ୱକୁ ନେଇ ଚର୍ଚ୍ଚା

Crime State

ଆଗରପଡ଼ା: ଭଦ୍ରକ ଜିଲ୍ଲାର ଅନ୍ୟତମ ଚର୍ଚ୍ଚିତ ଭଣ୍ଡାରିପୋଖରୀ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀତ୍ୱକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଉକ୍ତ ଆସନଟି ବର୍ଷ ୨୦୦୯ରୁ ସାଧାରଣ ବର୍ଗ ନିମନ୍ତେ ଉଦ୍ଧିଷ୍ଟ ହେବା ପରଠାରୁ ବଦ୍ରି ନାରାୟଣ ଧଳ ୨୦୦୯ ନିର୍ବାଚନରେ କଂଗ୍ରେସ ଦଳରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନରେ ଅବର୍ତ୍ତୀନ ହୋଇଥିବା ବେଳେ ୨୦୧୪ ଓ ୨୦୧୯ରେ ବିଜେପି ଦଳରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ । ୨୦୦୯ରେ ସେ କଂଗ୍ରେସ ପ୍ରାର୍ଥୀ ହୋଇ ୨ୟ ସ୍ଥାନ ଅଧିକାର କରିବା ସହ ସମୁଦାୟ ୩୯ହଜାର୮୪୦ଖଣ୍ଡ ଭୋଟ ଯାହାକି ସମୁଦାୟ ଭୋଟର ୨୯.୩୪ଶତକଡ଼ା ପାଇଥିବା ବେଳେ ୨୦୧୪ରେ ବିଜେପି ଦଳର ପ୍ରାର୍ଥୀ ହୋଇ ୨୮ହଜାର୮୦୯ଖଣ୍ଡ ଭୋଟ ଯାହାକି ସମୁଦାୟ ଭୋଟର ୧୮.୫୯ଶତକଡ଼ା ପାଇ ୩ୟ ସ୍ଥାନରେ ରହିଥିଲେ କିନ୍ତୁ ୨୦୧୯ରେ ବିଜେଡ଼ିରୁ ପ୍ରଫୁଲ୍ଲ ଓ କଂଗ୍ରେସରୁ ନିରଂଜନ ଲଢିଥିବା ବେଳେ ବଦ୍ରି ବିଜେପିରୁ ଲଢି ୩ ସ୍ଥାନରେ ରହି ୩୯ହଜାର୧୪୧ଖଣ୍ଡ ଭୋଟ ଯାହାକି ସମୁଦାୟ ଭୋଟର ୨୨.୫୮ଶତକଡ଼ା ପାଇ ବିଜେପିର ସ୍ଥିତିରେ ଉନ୍ନତି ଆଣିପାରିଥିଲେ । ୨୦୦୯ ରୁ ୨୦୧୯ ମଧ୍ୟରେ ହୋଇଥିବା ନିର୍ବାଚନ ଫଳାଫଳକୁ ନଜିରକୁ ନେଲେ ବଦ୍ରିଙ୍କ ନେତୃତ୍ୱରେ ବିଜେପି ଭୋଟରେ କିଛି ମାତ୍ରାରେ ଉନ୍ନତି ହୋଇଥିଲେ ସୁଦ୍ଧା ଏହା କୌଣସି ଦଳକୁ କଡ଼ା ଟକ୍କର ଦେବାରେ ସଫଳ ହୋଇପାରିନାହିଁ ।

ତେଣୁ ଚଳିତ ନିର୍ବାଚନରେ ବଦ୍ରୀ ଦଳୀୟ ଟିକେଟରୁ ତୃତୀୟ ଥର ନିର୍ବାଚନ ଲଢିବାକୁ ସଜବାଜ ହେଉଥିଲେ ମଧ୍ୟ ନିଜ ଟିକେଟ ନେଇ ସେ ନିଶ୍ଛିତ ହୋଇ ପାରୁନାହାନ୍ତି । କାରଣ ଗତ ସେପ୍ଟେମ୍ବର ମାସ ୨୭ ତାରିଖରେ ବନ୍ତ ଆଂଚଳିକ ମହାବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧ୍ୟାପକ ଡ଼ଃ ସୁଧାଂଶୁ ଶେଖର ନାୟକ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ଭାରତୀୟ ଜନତା ପାର୍ଟିରେ ଆନୁଷ୍ଠାନିକ ଭାବେ ନିଜ ସମର୍ଥକଙ୍କ ସହ ଯୋଗ ଦେଇଥିଲେ । ଡ଼ଃ ନାୟକ ବିଜେପିରେ ଯୋଗ ଦେବା ପୂର୍ବରୁ ବିଜେଡ଼ି ପ୍ରାର୍ଥୀ ଭାବେ ତିନି ତିନି ଧର ବିଧାୟକ ହୋଇଥିବା ପ୍ରଫୁଲ୍ଲ ସାମଲଙ୍କ ବେଶ ଆନୁଗତ ଥିଲେ । ଡ଼ଃ ନାୟକଙ୍କ ଗୋଟି ଚାଳନାରେ ବନ୍ତ ବ୍ଲକରେ ବିଜେଡ଼ି ତାର ଆଧିପତ୍ୟ ବିସ୍ତାର କରିଚାଲିଥିଲା । ବ୍ଳକକୁ ନିଜ ଅକ୍ତିଆରରେ ମଧ୍ୟ ରଖି ପାରିଥିଲା । ତାଙ୍କ ସହଧର୍ମିଣୀ ବ୍ଳକ ଅଧ୍ୟକ୍ଷା ପଦରେ ଅବସ୍ଥାପିତ ମଧ୍ୟ ହୋଇ ପାରିଥିଲେ । ତେଣୁ ବର୍ତ୍ତମାନ ବିଜେଡ଼ି ଦଳରୁ ପ୍ରଫୁଲ୍ଲଙ୍କ ସୁପୁତ୍ର ଇଂ ପ୍ରୟାସ କାନ୍ତି ସାମଲ(ଲୁଲୁ) ନିର୍ବାଚନ ମଇଦାନରେ ଅବର୍ତ୍ତୀନ ହେବାକୁ ପ୍ରସ୍ତୁତ ହେଉଥିବା ବେଳେ ଡ଼ଃ ନାୟକ ବିଜେପିରେ ଯୋଗ ଦେବା ଦ୍ୱାରା ବିଜେପିକୁ ଏକ ଟାଣୁଆ ନେତା ଯିଏକି ବିଜେଡ଼ିର ରଣ କୌଶଳକୁ ଉଲ ଭାବରେ ପରଖି ପାରିଥିଲେ ତାହା ଉପହାର ସଦୃଶ ହୋଇ ପାରିଛି । ତେଣୁ ବିଜେପି ତାଙ୍କୁ ଏଠାରେ ନୂଆ ଚେହେରା ରୂପରେ ଉପସ୍ଥାପନା କରିବାର ସମ୍ଭାବନା ସୃଷ୍ଟି ହୋଇଛି । ଅପର ପକ୍ଷରେ ପାର୍ଲ୍ୟାମେଣ୍ଟରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆରକ୍ଷଣ ବିଲ ଗୃହିତ ହେବା ପରେ ଜିଲ୍ଲାରେ ଥିବା ୫ଟି ବିଧାନସଭା ଆସନ ମଧ୍ୟରୁ ସର୍ବନିମ୍ନ ଗୋଟିଏ ଆସନ ମହିଳା ବର୍ଗଙ୍କ ପାଇଁ ଉଦ୍ଧିଷ୍ଟ ରହିବ । ଯଦି ଏହା କାର୍ଯ୍ୟକାରୀ ହୁଏ ତେବେ ଭଣ୍ଡାରିପୋଖରୀ ଆସନ ମଧ୍ୟ ଚର୍ଚ୍ଚାରେ ରହିବ ବୋଲି ରାଜନୈତିକ ବିଶାରଦମାନେ ମତ ପୋଷଣ କରୁଛନ୍ତି ।

ଏହି ଦୃଷ୍ଟିରୁ ବିଜେପି ପକ୍ଷରୁ ମଙ୍ଗ ଧରିବା ପାଇଁ ପୂର୍ବତନ ଭଣ୍ଡାରିପୋଖରୀ ବ୍ଲକ ଅଧ୍ୟକ୍ଷା ସଂଘମିତ୍ରା ପଣ୍ଡା ନିଜର ପ୍ରଚାର ପ୍ରସାର ଆରମ୍ଭ କରିଥିବା ଜଣାପଡ଼ିଛି । ସଂଘମିତ୍ରା ପଣ୍ଡା ୨୦୦୭ରୁ ୨୦୧୨ପର୍ଯ୍ୟନ୍ତ ଅଧ୍ୟକ୍ଷା ଥିବା ବେଳେ ପଂଚାୟତବାସୀଙ୍କ ମୌଳିକ ସୁବିଧା ପ୍ରତି ବିଶେଷ ଦୃଷ୍ଟି ଦେବା ସହ ଜନମାନସରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ତାଙ୍କର ସେହି ପରିଚୟକୁ ପାଥେୟ କରି ସେ ବର୍ତ୍ତମାନ ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ କରୁଥିବା ଜଣାପଡ଼ିଛି । ସେହିପରି ଯଦି ମହିଳା ପ୍ରାର୍ଥୀକୁ ଚୟନ କରାଯାଏ ତେବେ ଡ଼ଃ ସୁଧାଂଶୁ ଶେଖର ନାୟକଙ୍କ ସହଧର୍ମିଣୀ ରେବତୀ ନାୟକ ମଧ୍ୟ ଏହି ଦୌଡ଼ରେ ସାମିଲ ହୋଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । କାରଣ ସେ ମଧ୍ୟ ଦୁଇ ଦୁଇ ଥର ବନ୍ତ ବ୍ଲକ ର ଅଧ୍ୟକ୍ଷା ହୋଇ ପାରିଥିଲେ । ଏବଂ ବିଜେଡ଼ି ସଂଗଠନକୁ ସୁଦୃଢ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ତେଣୁ ତାଙ୍କ ସ୍ୱାମୀ ଡ଼ଃ ନାୟକ ବିଜେପିରେ ଯୋଗ ଦେଇଥିବାରୁ ନିଜ ରାଜନୈତିକ ଅଭିଜ୍ଞତାରୁ ସେ ରେବତୀଙ୍କ ପ୍ରର୍ଥୀତ୍ୱକୁ ଦୃଢ ସମର୍ଥନ କରିବା ସହ ବିଜେଡ଼ି ଓ କଂଗ୍ରେସକୁ କଡ଼ା ଟକ୍କର ଦେବା ପରି ଗୋଟିଚାଳନା କରିପାରନ୍ତେ ବୋଲି ଚର୍ଚ୍ଚା ଜୋର ଧରିଛି । ତେଣୁ ବିଜେପିର ବରିଷ୍ଠ ନେତୃତ୍ୱ ଏହି ନିର୍ବାଚନମଣ୍ଡଳୀକୁ ନେଇ କିପରି ରଣକୌଶଳ ଅବଲମ୍ବନ କରୁଛନ୍ତି ତାହା ଆଉ କିଛି ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ ।