Onn 3

ନିଜ ହୀରା ଖଣିକୁ ପରିଦର୍ଶନରେ ଯାଉଥିବା ଭାରତୀୟ ବ୍ୟବସାୟୀ ଓ ତାଙ୍କ ପୁତ୍ର ସମେତ ୬ ମୃତ

National & International

 

ek

ଜୋହାନ୍‌ସବର୍ଗ: ଦକ୍ଷିଣ-ପଶ୍ଚିମ ଜିମ୍ବାେଓ୍ଵର ଏକ ହୀରା ଖଣି ନିକଟରେ ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଦୁର୍ଘଟଣା ଘଟି ଜଣେ ଭାରତୀୟ କୋଟିପତି ଖଣି ବ୍ୟବସାୟୀ ଏବଂ ତାଙ୍କ ପୁଅଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି।

ଜିମ୍ବାୱେର ଏକ ନ୍ୟୁଜ୍‌ ଏବଂ ମିଡିଆ ୱେବସାଇଟ୍‌ ‘ଇହରା’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ମାଶାଭାର ଜଓ୍ଵାମାହାଣ୍ଡେ ଅଞ୍ଚଳରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ସୁନା ଓ କୋଇଲା ଉତ୍ପାଦନ କରୁଥିବା ଏକ ଖଣି କମ୍ପାନି ରିଓଜିମ୍‌ର ମାଲିକ ହରପାଲ ରନ୍ଧାଓ୍ଵାଙ୍କ ସମେତ ତାଙ୍କ ପୁଅ ଏବଂ ଅନ୍ୟ ୪ ଜଣଙ୍କର ମୃତ୍ୟୁ ଘଟିଛି। ରିଓଜିମ୍‌ର ମାଲିକାନାରେ ଥିବା ସେସ୍ନା-୨୦୬ ବିମାନ ହରାରେରୁ ମୁରୋଆ ହୀରା ଖଣି ଅଭିମୁଖେ ଯାଉଥିବା ବେଳେ ଶୁକ୍ରବାର ଏହି ଦୁଃଖଦ ଘଟଣା ଘଟିଛି।

ରିଓଜିମ୍‌ର ଆଂଶିକ ମାଲିକାନାରେ ଥିବା ମୁରୋଆ ଡାଇମଣ୍ଡସ୍‌ ଖଣି ନିକଟରେ ଏକ ଇଞ୍ଜିନ ବିଶିଷ୍ଟ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରିପୋର୍ଟ ଅନୁଯାୟୀ, ବିମାନଟିରେ ଯାନ୍ତ୍ରିକ ତ୍ରୁଟି ଘଟିବା ଫଳରେ ମଝି ଆକାଶରେ ବିସ୍ଫୋରଣ ହୋଇଥିଲା ଏବଂ ଏହା ପରେ ଜ୍ୱାମାହାଣ୍ଡ ଅଞ୍ଚଳରେ ଥିବା ପିଟର ଫାର୍ମରେ ବିମାନଟି ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ଯାତ୍ରୀ ଓ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ୪ ଜଣ ବିଦେଶୀ ଏବଂ ଅନ୍ୟ ଦୁଇ ଜଣ ଜିମ୍ବାେଓ୍ଵ ନାଗରିକ।

ସେପ୍ଟେମ୍ବର ୨୯ ତାରିଖ ସକାଳ ସାଢ଼େ ୭ଟାରୁ ସକାଳ ୮ଟା ମଧ୍ୟରେ ଏହି ବିମାନ ଦୁର୍ଘଟଣା ଘଟିଥିବା ଜିମ୍ବାେଓ୍ଵ ରିପବ୍ଲିକ୍‌ ପୁଲିସ ସୂଚନା ଦେଇଛି। ମୁରୋଆ ଡାଇମଣ୍ଡ କମ୍ପାନି (ରିଓଜିମ୍‌) ମାଲିକାନାରେ ଥିବା ଧଳା ଓ ଲାଲ ରଙ୍ଗର ଜ୍‌କମ୍‌ ବିମାନ ସକାଳ ୬ଟାରେ ହରାରେରୁ ଖଣି ଅଭିମୁଖେ ବାହାରିଥିଲା ଏବଂ ମଶାଓ୍ଵାଠାରୁ ପ୍ରାୟ ୬ କିଲୋମିଟର ଦୂରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରିଓଜିମ୍‌ ଦୁର୍ଘଟଣାକୁ ନିଶ୍ଚିତ କରିଛି ଏବଂ ଅଧିକ ସୂଚନା ସଂଗ୍ରହ କରିବା ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ କାମ କରୁଛି ବୋଲି କହିଛି। ଅନ୍ୟପକ୍ଷରେ ମୃତକଙ୍କ ନାମ ପୁଲିସ ଏ ପର୍ଯ୍ୟନ୍ତ ପ୍ରକାଶ କରିନାହିଁ। ରନ୍ଧାଓ୍ଵା ୪ ବିଲିୟନ ଡଲାରର ଘରୋଇ ଇକ୍ୱିଟି ଫାର୍ମ ଜିଇଏମ ହୋଲ୍‌ଡିଂସର ପ୍ରତିଷ୍ଠାତା ଥିଲେ।