Onn 3

ଆରମ୍ଭ ହେଲା ବିଜେଡିର ଜନସମ୍ପର୍କ ପଦଯାତ୍ରା, ଶୁଭାରମ୍ଭ କଲେ ନବୀନ ପଟ୍ଟନାୟକ

State

 

bj

ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେଲା ବିଜେଡିର ଜନସମ୍ପର୍କ ପଦଯାତ୍ରା। ଭୁବନେଶ୍ବର ଏକାମ୍ର ନିର୍ବାଚନମଣ୍ଡଳୀରୁ ରାଜ୍ୟବ୍ୟାପୀ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବଡଗଡ଼ ବ୍ରିଟ୍ କଳିଙ୍ଗ ବିଜୁ ଆଦର୍ଶ କଲୋନୀରେ ପଦଯାତ୍ରାରେ ସାମିଲ ହୋଇଥିଲେ ନବୀନ ।

ନେତାଜୀ ଖେଳପଡ଼ିଆରେ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ନବୀନ କହିଛନ୍ତି, ଗାନ୍ଧୀଜୀ ଆମ ପାଇଁ ପ୍ରେରଣାର ଉତ୍ସ। ଗାନ୍ଧୀଜୀଙ୍କ ପ୍ରେରଣା ଆମକୁ ବାଟ ଦେଖାଇଛି। ଗରିବ ମାଆ ଓ SHG ମହିଳାଙ୍କ ପାଇଁ କାମ କରୁଛି BJD। ରୂପାନ୍ତର କ୍ଷେତ୍ରରେ ଆଗେଇ ଚାଲିଛି ଓଡ଼ିଶା। ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ବାସ ବଢ଼ିଛି।

ତେବେ ଓଡ଼ିଶାର ପ୍ରଗତିରେ ବିରୋଧୀ ଖୁସି ନାହାଁନ୍ତି ବୋଲି କହିଛନ୍ତି ନବୀନ।  ଅକ୍ଟୋବର ୧୧ ତାରିଖ ଲୋକନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀ ଯାଏ ସବୁ ନିର୍ବାଚନମଣ୍ଡଳୀରେ ଚାଲିବ ଜନସମ୍ପର୍କ ପଦଯାତ୍ରା । ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନାକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବ ଦଳ ।

ତୃଣମୂଳସ୍ତରରେ ଲୋକଙ୍କ ସହ ଯୋଡ଼ିହେବାକୁ ଦଳୀୟ ନେତାଙ୍କୁ ଆହ୍ବାନ ଦେଇଛନ୍ତି ବିଜେଡି ସୁପ୍ରିମୋ । ୨୦୨୪ ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବା ବେଳେ ଜନସମ୍ପର୍କ ମାଧ୍ୟମରେ ସାଙ୍ଗଠନିକ ସ୍ଥିତି ମଜଭୁତ କରିବା ଲକ୍ଷ୍ୟ ରଖିଛି ।

ପଦଯାତ୍ରା ପରେ ଅକ୍ଟୋବର ୧୨ ତାରିଖରୁ ମାସେ ବ୍ୟାପୀ ଦଳର ସକ୍ରିୟ ସଦସ୍ୟ ଓ ସଦସ୍ୟାମାନଙ୍କୁ ନେଇ ପ୍ରତି ନିର୍ବାଚନ ମଣ୍ଡଳୀରେ ଜିଲ୍ଲାପରିଷଦ ଜୋନ୍ ସ୍ତରୀୟ ଓ ପୌରାଞ୍ଚସ୍ତରରେ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ।