Onn 3

ଶ୍ରେଣୀ ଗୃହ ଅଭାବରୁ ମିଳୁନି ଗୁଣାତ୍ମକ ଶିକ୍ଷା, ୯୦ ବର୍ଷର ବିଦ୍ୟାଳୟ ଅବହେଳିତ

State

୩ କୋଠରୀରେ ୮ ଶ୍ରେଣୀର ପାଠପଢା

ଆଗରପଡ଼ା: ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବା ପାଇଁ ସରକାର ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ କରିବା ସହ ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେବା ପାଇଁ ମାଗଣା ବହି,ପୋଷାକ,ମଧ୍ୟାହ୍ନ ଭୋଜନ ଆଦିର ସୁବନ୍ଦୋବସ୍ତ କରିଛନ୍ତି । ହେଲେ ବିଭାଗୀୟ ଅଧିକାରୀଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ ବାସ୍ତବ କ୍ଷେତ୍ରରେ ଏହା ଶିକ୍ଷାର ମାନ ବୃଦ୍ଧିରେ ସହାୟକ ହୋଇପାରୁନାହିଁ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ବଡ଼ମହିଁଷଗୋଠ ପଂଚାୟତ ଅନ୍ତର୍ଗତ କୁଆଁଶମଢିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଦେଖିଲେ ଏଠାରେ ଗୁଣାତ୍ମକମାନର ଶିକ୍ଷା କିପରି ମିଳୁଛି ତାହା ଜାଣି ହେବ । ୧୯୩୩ ମସିହାରେ ସ୍ଥାପିତ ଏହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରେ ୧୧୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୮ଟି ଶ୍ରେଣୀ ପାଇଁ ୩ଟି ଗୃହ ଉର୍ଦ୍ଦିଷ୍ଟ ଥିବା ବେଳେ ୬ ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି । ଏହା ମଧ୍ୟରେ ୯୦ ବର୍ଷ ଅତିକ୍ରମ କରିଯାଇଥିଲେ ସୁଦ୍ଧା ବିଦ୍ୟାଳୟଟିର ଶୈକ୍ଷିକ ପରିବେଶରେ ଉନ୍ନତି ହୋଇପାରିନାହିଁ । ବିଦ୍ୟାଳୟରେ ମାତ୍ର ୩ଟି ଶ୍ରେଣୀଗୃହ ରହିଥିବାରୁ ୨ଟି ଗୃହରେ ୩ଟି ଲେଖାଏଁ ଶ୍ରେଣୀର ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଆଉ ଗୋଟିଏ ଗୃହରେ ୨ଟି ଶ୍ରେଣୀର ପାଠପଢା ଯାଇଥାଏ । ଆବଶ୍ୟକ ସ୍ଥଳେ ବିଦ୍ୟାଳୟର କାର୍ଯ୍ୟାଳୟରେ ବସି ଛାତ୍ରଛାତ୍ରୀମାନେ ଅଧ୍ୟୟନ କରିଥାନ୍ତି ।

ଗୋଟିଏ ଗୃହରେ ୩ଟି ଶ୍ରେଣୀର ପିଲାଙ୍କୁ ୨/୩ଜଣ ଶିକ୍ଷକ ଏକ କାଳୀନ ଶିକ୍ଷାଦାନ କରୁଥିବାରୁ ଏଠାରେ ଗୁଣାତ୍ମକ ମାନର ଶିକ୍ଷା କିପରି ଭାବରେ ପ୍ରଦାନ କରାଯାଉଥିବ ତାହା ସହଜରେ ଅନୁମେୟ । ବିଦ୍ୟାଳୟ ପରିସରରେ ଏକ ଭଙ୍ଗା ଘରେ ରୋଷେଇ କାର୍ଯ୍ୟ ସଂପାଦନା ହେଉଛି । ପରିବେଶ ଏପରି ହୋଇଛି ଯାହାକି କୋମଳମତି ପିଲାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ସେହିପରି ଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ମଧ୍ୟ ନାହିଁ । ବିଦ୍ୟାଳୟଟିର ସ୍ଥାୟୀ ପାଚେରୀ ନଥିବାରୁ ଏହା ବୁଲା ଗୋରୁଗାଈଙ୍କ ଆଶ୍ରୟସ୍ଥଳୀ ପାଲଟିଛି । ଏତେ ପୁରାତନ ବିଦ୍ୟାଳୟଟିରେ ଏହିପରି ଅବ୍ୟବସ୍ଥା ଲାଗି ରହିଥିବାରୁ ଏହା କୋମଳମତି ଛାତ୍ରଛାତ୍ରୀଙ୍କ ଉପରେ କୁପ୍ରବାହ ପକାଉଥିବା ବେଳେ ବର୍ତ୍ତମାନ ପଂଚାୟତ ତରଫରୁ ମଂଜୁର ଅର୍ଥରେ ଏଠାରେ ଏକ ଶ୍ରେଣୀଗୃହ ନିର୍ମାଣ ଚାଲିଛି ଯାହାକି ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧିରେ ଯଥେଷ୍ଟ ନୁହେଁ । ତେଣୁ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷାର ବିକାଶ ସହ ସେମାନଙ୍କ ଭବିଷ୍ୟତକୁ ଆଖିଆଗରେ ରଖି ଉକ୍ତ ବିଦ୍ୟାଳୟରେ ଲାଗି ରହିଥିବା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିଭାଗୀୟ ଅଧିକାରୀ ଚେଷ୍ଟିତ ହେବାକୁ ଅଭିଭାବକଙ୍କ ପକ୍ଷରୁ ଦାବି ହେଉଛି ।