Onn 3

ମୁଖ୍ୟମନ୍ତ୍ରୀଙ୍କ ବିବୃତି ଉପରେ କଡ଼ା ପ୍ରତିକ୍ରିୟା ରଖିଲେ ବିରୋଧୀ ଦଳ ନେତା

Politics State

jay narayan

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବିବୃତି ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର। ସେ କହିଛନ୍ତି, ନବୀନ ପଟ୍ଟନାୟକ ହେଉଛନ୍ତି ସବୁଠାରୁ ବଡ଼ ଜନ ବିରୋଧୀ। ମୁଖ୍ୟମନ୍ତ୍ରୀ ଧମକାଇବା ଲାଗି ଚେଷ୍ଟା କରୁଛନ୍ତି। ତାଙ୍କ ଦୟାରେ ଆମେ ବିଧାନସଭାକୁ ଆସିନାହୁଁ। ସେ କେମିତି ବିଧାନସଭାକୁ ଫେରିବେ ଏକଥା ଚିନ୍ତା କରନ୍ତୁ ମୁଖ୍ୟମନ୍ତ୍ରୀ। ହୁଏତ ସେ ବୁଥ କ୍ୟାପଚର, ସରକାରୀ କଳ ର ବ୍ୟବହାର କରି ବହୁତ ପ୍ରଭାବିତ କରୁଛନ୍ତି। ତା ସତ୍ତ୍ବେ ମଧ୍ୟ ଆମେ ବିଧାନସଭାକୁ ଆସିଛୁ । ତାଙ୍କର ଦୟାରେ ନୁହେଁ ଲୋକଙ୍କ ଦୟାରେ ଆସିଛୁ । ଲୋକ ପୁଣି ଦୟା କଲେ ଆସିବୁ । ହୁଏତ ସେ ଚେଷ୍ଟା କରି ପାରନ୍ତି ଆମେ କେମିତି ବିଧାନସଭା ନ ଫେରି ପାରୁ । ୨୦୦୯ରୁ ତ ପ୍ଲାନ କରୁଛନ୍ତି ମୋତେ କେମିତି ବିଧାନସଭାରେ ପୁରେଇ ଦେବେନି। ଯିଏ ଯିଏ ତାଙ୍କ ବିରୁଦ୍ଧରେ କହୁଛନ୍ତି ସେମାନଙ୍କୁ ବିଧାନସଭାରେ ନ ପୁରେଇ ଦେବାକୁ ଚେଷ୍ଟା କରନ୍ତି ନବୀନ ପଟ୍ଟନାୟକ। ବିଜୟ ମହାପାତ୍ର, ନଳିନୀ ମହାନ୍ତି ଓ ପ୍ରଶାନ୍ତ ନନ୍ଦ ସେମାନେ ତାର ଉଦାହରଣ। ନବୀନ ପଟ୍ଟନାୟକ ଅଫସିରଙ୍କର ଦଲାଲ ସାଜିଛନ୍ତି। ସେ ଚାହୁଁଛନ୍ତି କେହି ତାଙ୍କ ବିରୁଦ୍ଧରେ ନ କୁହନ୍ତୁ। ଯିଏ କହିଲା ତାକୁ ମ୍ୟାନେଜ କରିବାକୁ ଚେଷ୍ଟା କରୁଛନ୍ତି। ଯିଏ ମ୍ୟାନେଜ ନ ହେଲା ତାକୁ ଦବେଇ ଦେବାକୁ ଚେଷ୍ଟା କରୁଛନ୍ତି। ଖବର କାଗଜକୁ ସେମିତି କରିନାହାନ୍ତି। ଯିଏ ହେଉ ନାହିଁ ତାକୁ ଦବେଇ ଦେବାକୁ ଚେଷ୍ଟା କରୁଛନ୍ତି। ଗୃହରେ ବହୁତ ଲୋକ ମ୍ୟାନେଜ ଅଛନ୍ତି। ବାଚସ୍ପତିଙ୍କର ବାଚସ୍ପତି ହେବାର ଯୋଗ୍ୟତା ନାହଁ । ବିଧାନସଭା ରୁଲ ଆଣ୍ଡ ପ୍ରୋସିଜିୟର ବିଷୟରେ ସେ କିଛି ଜାଣିଛନ୍ତି କି ? ବିଧାନସଭାରେ ବିରୋଧୀ ଦଳର ନେତାଙ୍କୁ କୁହାଇ ନ ଦେବା, ତାଙ୍କ ମାଇକକୁ କାଟି ଦେବା ପକ୍ଷପାକ୍ଷିତ କରିବା ଏହା କେଉଁ ନିୟମରେ ଅଛି?
ଆମ ଦୁଇ ଜଣ ବିଧାୟକଙ୍କୁ ସେମାନେ ବାହାର କରିଛନ୍ତି ଆମେ କାଲି ତାର ଜୋର ଦାର ପ୍ରତିବାଦ କରିବୁ । ଡାଲି କେବଳ ଗୋଟେ ପ୍ରତୀକ ଥିଲା । ଆମ ବିଧାୟକ ମାନେ ଡାଲି ଫୋପାଡ଼ି ନାହାନ୍ତି ଆମେ ଉପହାର ଦେଇଛୁ । ସଂଖ୍ୟା ଗରିଷ୍ଠତା ଅଂହକାରରେ ଅନ୍ଧ ହୋଇ ଯଦି ହାତୀ ଭଳି ଶାରୀରିକ ଶକ୍ତି ନେଇ ପାଗଳାମି କରିବ ସେତେବେଳେ ତାକୁ କାବୁ କରିବା ପାଇଁ ଶଣ୍ଡୁଆଶୀ ବ୍ୟବହାର କରାଯିବ । ସଂଖ୍ୟା ଗରିଷ୍ଠତା ଅଛି ବୋଲି ଯାହା ନାହିଁ ତାହା କରି ଯିବେ କି ?
ସେମାନେ କଣ ଆମକୁ ମହିଳା ବିରୋଧୀ କହିବେ ଆମେ ପା 33 ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛୁ। ଜଣେ ମହିଳା ଙ୍କୁ ରାଷ୍ଟ୍ରପତି କରିଛୁ । ସେମାନେ କଣ କହିବେ ।
ଏଣେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ବିକାଶରେ ବାଧକ ସାଜିଛନ୍ତି ମୁଖ୍ୟମନ୍ତ୍ରୀ। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି କ୍ଷେତ୍ରରେ ବିକାଶ ହୋଇନି। ସେଥିପାଇଁ ମୁଖ୍ୟମନ୍ତ୍ରୀ ନିଜେ ବିଧାନସଭାକୁ ଆସିବା କଥା ନୁହେଁ। ବଲାଙ୍ଗୀରରୁ ନେଇ ରାଜ୍ୟର ଅନେକ ସ୍ଥାନରେ ବିକାଶରେ ବାଧକ ସାଜିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ। ବିଧାନସଭାରେ ସମ୍ପୂର୍ଣ୍ଣ ପକ୍ଷପାକ୍ଷିତା କରାଯାଉଛି। ଚଳିତ ଥର ବିଧାନସଭାରେ ମୋତେ କହିବାକୁ ସୁଯୋଗ ଦିଆଯାଉ ନାହିଁ। ବାଚସ୍ପତି ନିରପେକ୍ଷ ହେଉ ନାହାନ୍ତି।
ତେଣେ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ବିରୋଧୀ ବିଧାନସଭାକୁ ଚଲେଇ ନ ଦେବା ଭଳି ସଂକଳ୍ପ ନେଇଛନ୍ତି। ଗତକାଲି ଯେଉଁ ଘଟଣା ଘଟିଛି, ତାହା ବିଧାନସଭା ଇତିହାସରେ କଳଙ୍କିତ ଅଧ୍ୟାୟ ହୋଇ ରହିବ। ବାଚସ୍ପତିଙ୍କ ଆସନ ବ୍ୟକ୍ତିଗତ କାହାର ନୁହେଁ ତାହା ଏକ ସାମ୍ବିଧାନିକ ଆସନ। ବାଚସ୍ପତିଙ୍କ ଚେୟାରକୁ ପ୍ୟାକେଟ ପ୍ୟାକେଟ କରି ଡାଲି ଫୋପାଡ଼ିବା ଏକ ହିଂସ୍ର ଆଚରଣ। ତାକୁ ବିଜେଡ଼ି ନିନ୍ଦା କରୁଛି। ବିଜୁ ଜନତା ଦଳ ଶାସନ କ୍ଷମତାକୁ ଆସିବା ଦିନଠାରୁ ସଂଖ୍ୟା ଗରିଷ୍ଠତା ପାଇଛି। ଆମେ କେବେ ଅହଂକାର ଦେଖାଇ ନାହୁଁ। ଆମେ ଅହଂକାର ଦେଖାଇଥିଲେ ଲୋକେ ଆମକୁ ଭୋଟ ଦେଇ ନଥାନ୍ତେ। ମୁଖ୍ୟମନ୍ତ୍ରୀ ଧମକାଉଥିବାର ବିରୋଧୀ ଦଳ ନେତା ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ କଥା। ମୁଖ୍ୟମନ୍ତ୍ରୀଙ୍କ ଆଚରଣ ଓ ଉଚ୍ଚାରଣ ସମସ୍ତେ ଭଲ ଭାବେ ଅବଗତ। ଏଠି କେହି କାହାକୁ ଧମକେଇବାର କଥା ନାହିଁ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ଟାର୍ଗେଟ୍ କରି କହିଥିଲେ, ଏହି ଗୃହରେ ମୋର ଅଭିଜ୍ଞତାରୁ ନମ୍ରତାର ସହ ଏତିକି କହିପାରିବି ଯେ ଯେଉଁମାନେ ଲୋକଙ୍କ ପାଇଁ କାମ କରନ୍ତି ସେମାନେ ଏହି ଗୃହକୁ ଫେରନ୍ତି। ଯେଉଁମାନେ ଅପରାଧକୁ ନେଇ ରାଜନୀତି କରନ୍ତି, ରାଜନୈତିକ ବିଚାର ପାଇଁ ବିକାଶରେ ବାଧକ ସାଜନ୍ତି ସେମାନେ ଏହି ପବିତ୍ର ଗୃହକୁ ଫେରନ୍ତି ନାହିଁ। ଲୋକମାନେ ବିରୋଧୀଙ୍କ ଆଚରଣ ଉପରେ ନଜର ରଖିଛନ୍ତି ଏବଂ ସେମାନେ କିପରି ହତା‌ଶ ହୋଇ ବିକାଶମୂଳକ କାର୍ଯ୍ୟରେ ବାଧକ ସାଜିଛନ୍ତି ତାହା ବି ଦେଖୁଛନ୍ତି। ଆମ ସରକାର ଓଡ଼ିଶାକୁ ‘ନୂତନ ଓଡ଼ିଶା, ସଶକ୍ତ ଓଡ଼ିଶା’ରେ ପରିଣତ କରିବାକୁ ଆଗକୁ ବଢ଼ିବ।