Onn 3

୮ଶ୍ରେଣୀକୁ ୨କୋଠରୀ, ବାରଣ୍ଡାରେ ଚାଲିଛି ୪ଟି ଶ୍ରେଣୀର ପାଠପଢା

State

ଆଗରପଡ଼ା:ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୂଦୃଢ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦୁର ଦୃଷ୍ଟିର ଅଭାବ ଯୋଗୁଁ ଏହା ପ୍ରହସନରେ ପରିଣତ ହେବାକୁ ଯାଉଛି । ଭଦ୍ରକ ଜିଲା ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତ ଅନ୍ତର୍ଗତ ଭରସିଂହପୁର ସରକାରୀ ଉଚ୍ଚପ୍ରାଥମିକ ମଧ୍ୟଇଂରାଜୀ ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବରୁ ୨ଟି କୋଠରୀରେ ୮ଟି ଶ୍ରେଣୀ ଚାଲୁଥିବା ଦେଖିବାକୁ ମିଳିଛି । ୧୯୭୧ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଚଳିତ ବର୍ଷ ୫୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ବର୍ତ୍ତମାନ ଉକ୍ତ ବିଦ୍ୟାଳୟଟି ନାନାଦି ସମସ୍ୟା ମଧ୍ୟ ଦେଇ ଗତି କରୁଥିବାର ଜଣାପଡ଼ିଛି । ସରକାରଙ୍କ ପ୍ରଦତ୍ତ ନୂତନ ନିୟମ ଅନୁସାରେ ୧୯୨୬ ମସିହାରେ ପ୍ରତିଷ୍ଠିତ ଭରସିଂହପୁର ପ୍ରାଥମିକ ବିଦ୍ୟାଳୟଟିକୁ ଗତ ୨୦୧୮ ନଭେମ୍ବର ୨୬ ତାରିଖରେ ୟୁପିଏମଇ ବିଦ୍ୟାଳୟ ସହିତ ମିଶାଇ ଦିଆଯାଇଥିଲା । ତେବେ ବିଭାଗୀୟ ଅଧିକାରୀଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ ଉକ୍ତ ୟୁପିଏମଇ ବିଦ୍ୟାଳୟରେ ଆବଶ୍ୟକୀୟ ଶ୍ରେଣୀ ଗୃହ ନଥିବାରୁ ସର୍ବଶିକ୍ଷା ଅଭିଯାନ ଦ୍ୱାରା ନିର୍ମିତ ଦୁଇଟି କୋଠରୀ ୮ଟି ଶ୍ରେଣୀର ପିଲାଙ୍କ ପାଠପଢା ପାଇଁ ଉଦ୍ଧିଷ୍ଟ ଥିବା ବେଳେ ୩ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି । ୩ଜଣ ଶିକ୍ଷକ ୮ଟି ଶ୍ରେଣୀର ପାଠ କିପରି ପଢାଉଥିବେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ ଗୃହ ପିଲାମାନେ ବାରଣ୍ଡାରେ ବସି ପାଠ ପଢୁ ଥିବାର ଦେଖିବାକୁ ମିଳିଛି ।

ପୂର୍ବରୁ ବିଦ୍ୟାଳୟ ପରିସରରେ ଥିବା ଏକ ପୁରାତନ ଆଜ୍‌ବେସଟସ୍ ଘରେ ପିଲା ପଢୁଥିଲେ । ତେବେ ଗତ ଫନି ବାତ୍ୟାରେରେ ଏହାର ଛାତ ଦବିଯିବାରୁ ଓ ଏହା ପରିସରରେ ବିଷଧର ସାପ ରହୁଥିବାରୁ ଏହା ଶିକ୍ଷା ଉପଯୋଗୀ ହୋଇପାରୁ ନାହିଁ । ସ୍ଥାୟୀ ରୋଷେଇ ଗୃହ ନଥିବାରୁ ବିପଦ ସଂକୁଳ ଆଜ୍‌ବେସଟସ୍ ଗୃହରେ ରୋଷେଇ ହେଉଛି । ସେହିପରି ବିଦ୍ୟାଳୟ ପରିସରରେ ନିର୍ମିତ ନୂତନ ଗୃହ ଅଧପନ୍ତରିଆ ଅବସ୍ଥାରେ ଥିବାରୁ ଶ୍ରେଶୀଗୃହକୁ ନେଇ ଚିନ୍ତାରେ ଅଭିଭାବକମାନେ ଅଛନ୍ତି । ଉକ୍ତ ସମସ୍ୟାକୁ ନେଇ ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ପକ୍ଷରୁ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ବାରମ୍ବାର କରାଯାଉଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରୁନଥିବା ଜଣାପଡ଼ିଛି । ଏଥିପ୍ରତି ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।