Onn 3

କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ୍ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ଅବରୋଧ

State

bandh

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ୍ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଦାବିରେ କଟକ -ଚାନ୍ଦବାଲି ରାସ୍ତାର ଦୁହୁରିଆ ଛକଠାରେ ୧୨ ଘଣ୍ଟିଆ ରାଜପଥ ଅବରୋଧ କରାଯାଇଛି। କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ଅର୍ଥନୈତିକ ଅବରୋଧର ଡାକରା ଦିଆଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି।

ଶତାଧିକ ଆନ୍ଦୋଳନକାରୀ ରାସ୍ତା ଉପରେ ବସି ରହି ନାରାବାଜି କରିଛନ୍ତି। ରାସ୍ତା ଅବରୋଧ ଯୋଗୁ  ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି।ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ କହିଥିଲେ କେନ୍ଦ୍ରାପଡ଼ାର ଦାୟିତ୍ବ ନିଜେ ନେବେ। ହେଲେ ଏଯାଏ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ହୋଇପାରିନାହିଁ। ଠିକ୍ ସେହିପରି କେନ୍ଦ୍ରାପଡ଼ା ସାଂସଦ, ମନ୍ତ୍ରୀ ଓ ବିଧାୟକମାନେ ମଧ୍ୟ ଏନେଇ କୌଣସି ପଦକ୍ଷେପ ନେଉନାହାନ୍ତି। ଯେପର୍ଯ୍ୟନ୍ତ ଏହି ଦାବି ପୂରଣ ହୋଇନି, ସେଯାଏ ଏହି ଆନ୍ଦୋଳନ ଜାରି ରହିବ। ଏହି ବନ୍ଦ ଡାକରାକୁ ସମର୍ଥନ ଦେଇ ବିରୋଧୀ ଦଳର ନେତାମାନେ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଏଥିରେ କ୍ରିୟାନୁଷ୍ଠାନ କମିଟିର ସଭାପତି ଅଜୟ ସାମଲ,  ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, କଂଗ୍ରେସ ନେତା ଗଣେଶ୍ବର ବେହେରା, ବିଜେପି ନେତା ତେଜେଶ୍ବର ପରିଡ଼ା ଓ ସିପିଆଇ(ଏମ୍) ନେତା ଗୟାଧର ଧଳ ପ୍ରମୁଖ ସାମିଲ ହୋଇଥିବାର ଦେଖିବାକୁ ମିଳିଛି।

ଦୀର୍ଘ ବର୍ଷ ହେବ ଏହି ଦାବି ହୋଇ ଆସୁଥିଲେ ବି ରାଜ୍ୟ ସରକାର ପୁରୀ ଓ ଯାଜପୁରରେ ମେଡିକାଲ୍‌ କଲେଜ ପ୍ରତିଷ୍ଠା ପାଇଁ ଘୋଷଣା କରିବା ପରେ କେନ୍ଦ୍ରାପଡ଼ାରୁ ଏ ଦାବି ଅଧିକ ଜୋର‌୍‌ ଧରିଥିଲା। ବିଭିନ୍ନ ସାମାଜିକ ସ˚ଗଠନ ଏଥିପାଇଁ ଆନ୍ଦୋଳନ କରିବା ସହିତ ପ୍ରତିବାଦ ସଭା କରିଥିଲା। କିନ୍ତୁ ସରକାର ଏ ଦିଗରେ କୌଣସି ପଦକ୍ଷେପ ନ ନେବାରୁ ମେଡିକାଲ୍‌ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନାତ୍ମକ ପନ୍ଥା ହାତକୁ ନେଇ ଜିଲ୍ଲାର ସମସ୍ତ ୯ଟି ବ୍ଲକ୍‌ ଏବ˚ ଦୁଇଟି ପୌରାଞ୍ଚଳରେ ପ୍ରତିବାଦ ସଭା ସହିତ ବାଇକ୍‌ ଶୋଭାଯାତ୍ରା ଓ ଗଣସମାବେଶ ଆୟୋଜନ କରିଥିଲା। କମିଟି ପକ୍ଷରୁ ବାଇକ୍ ଶୋଭାଯାତ୍ରା ସହିତ କେନ୍ଦ୍ରାପଡ଼ା ସହର ଖଡ଼ିଅଙ୍ଗସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଯେଉଁ ଗଣସମାବେଶ ହୋଇଥିଲା, ସେଥିରେ ଜିଲ୍ଲାର ୯ଟି ବ୍ଲକ୍ ଓ ଦୁଇ ପୌରାଞ୍ଚଳର ଲୋକ ସାମିଲ୍‌ ହୋଇଥିଲେ। ରାଜକନିକାର ବାସୁ ବଶୁନି ସହିଦ ପୀଠରୁ ଏଥିସକାଶେ ବାଇକ୍ ଶୋଭଯାତ୍ରା ଜିଲ୍ଲା ସଦର ମହକୁମା ଯାଏ ହୋଇଥିଲା। ପରେ ଅନୁଷ୍ଠିତ ପ୍ରତିବାଦ ସଭାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ହେଉଥିବା କ୍ରମାଗତ ଅବହେଳାକୁ ନେଇ ବକ୍ତାମାନେ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। କେନ୍ଦ୍ରାପଡ଼ା ବିଜୁ ବାବୁଙ୍କ କର୍ମଭୂମି ହୋଇଥିବା ବେଳେ ଜିଲ୍ଳାବାସୀଙ୍କ ପ୍ରତି ଯେଭଳି ଅବିଚାର କରାଯାଉଛି, ତାହାକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି କମିଟିର ସଭାପତି ପ୍ରାଧ୍ୟାପକ ଅଜୟ ସାମଲ ଚେତାବନୀ ଦେଇଥିଲେ।

ସେ କହିଛନ୍ତି ଯେ ପଡ଼ୋଶୀ ଯାଜପୁର ସମେତ ବହୁ ଜିଲ୍ଲାରେ ମେଡିକାଲ୍‌ କଲେଜ ହେଇପାରୁଛି। ଅଥଚ ବିଜୁ ବାବୁଙ୍କ କର୍ମଭୂମି ଏବଂ ମୁଖ୍ୟମନ୍ତ୍ରୀ ଜିଲ୍ଲାର ବିକାଶ ଦାୟିତ୍ବ ନିଜେ ନେଇ ମଧ୍ୟ କେନ୍ଦ୍ରାପଡ଼ାକୁ ମେଡିକାଲ୍‌ କଲେଜରୁ ବଂଚିତ କରାଯାଉଛି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଯାଇଥିଲା ମାତ୍ର ଏ ଦିଗରେ କୌଣସି ପଦକ୍ଷେପ ନିଆ ନ ଯିବାରୁ ସାରା ଜିଲ୍ଲାର ଲୋକଙ୍କୁ ନେଇ ଆନ୍ଦୋଳନ ଚାଲିଛି।  ସରକାର ଦାବି ନ ମାନିବା ଯାଏ ଆନ୍ଦୋଳନ ଚାଲିବ ବୋଲି କମିଟିର ସଭାପତି ଶ୍ରୀ ସାମଲ ଚେତାବନୀ ଦେଇଛନ୍ତି।