Onn 3

ସୁଦାମ ମାର୍ଣ୍ଡିଙ୍କୁ ମିଳିଲା ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ

State

sudam marandi

ଭୁବନେଶ୍ବର: ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପଦରୁ ବରିଷ୍ଠ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ଇସ୍ତଫା ଦେବା ପରେ ସେହି ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ। ପୂର୍ବରୁ ଶ୍ରୀ ମାର୍ଣ୍ଡି ମଧ୍ୟ ସେହି ବିଭାଗର ଦାୟିତ୍ବରେ ଥିଲେ। ମାତ୍ର ପରେ ତାଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପଦରୁ ହଟାଯାଇଥିଲା। ଏହାପରେ ସେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ।

ଉଲ୍ଲେଖଯୋଗ୍ୟ, ମୟୂରଭଞ୍ଜ ଜିଲ୍ଲା ରାଜନୀତିରେ ସୁଦାମ ମାର୍ଣ୍ଡିଙ୍କ ଦବ୍‌ଦବା ଜୋର୍‌ ରହିଛି। ଜେଏମ୍‌ଏମ୍‌ରୁ କ୍ୟାରିୟର ଆରମ୍ଭ କରି ଜେଏମ୍‌ଏମ୍‌ ପ୍ରାର୍ଥୀ ଭାବେ ଦୁଇ ଥର ବିଧାନସଭା ଓ ଥରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ପରେ ବିଜେଡିରେ ଯୋଗ ଦେଇ ୨୦୧୪ ଓ ୨୦୧୯ରେ ଦୁଇ ଥର ବିଜେଡି ପ୍ରାର୍ଥୀ ଭାବେ ବାଙ୍ଗିରୀପୋଷିରୁ ନିର୍ବାଚିତ ହୋଇ ଆସୁଛନ୍ତି। ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ସେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ରାଷ୍ଟ୍ର ମନ୍ତ୍ରୀ ଥିଲେ। ୨୦୧୯ରେ କ୍ୟାବିନେଟ୍‌ ମନ୍ତ୍ରୀ ହୋଇ ରାଜସ୍ବ ବିଭାଗ ପାଇଥିଲେ। ଗତ ବର୍ଷ ମନ୍ତ୍ରିମଣ୍ଡଳ ଅଦଳବଦଳ ବେଳେ ସେ ବାଦ୍ ପଡ଼ିଥିଲେ। କିନ୍ତୁ ବର୍ଷକ ପରେ ପୁଣି ଥରେ ଦଳର ସୁପ୍ରିମୋ ତାଙ୍କ ଉପରେ ଆସ୍ଥା ସ୍ଥାପନ କରି ମନ୍ତ୍ରିମଣ୍ଡଳକୁ ଫେରାଇ ଆଣିଥିଲେ। ମୟୂରଭଞ୍ଜରେ ବିଜେଡି ସଂଗଠନ ସେତେଟା ମଜବୁତ୍ ନଥିଲା ବେଳେ ସୁଦାମ ନିଜେ ଅସନ୍ତୁଷ୍ଟ ଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ଏହାକୁ ନେଇ ବିଜେଡି ଅକଳରେ ପଡ଼ିଯାଇଥିଲା। ସୁଦାମଙ୍କୁ ପୁନର୍ବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ଦିଆଯାଇଥିଲା।