Onn 3

ଶିକ୍ଷାଗତ ପ୍ରମାଣପତ୍ରରେ ଜାଲିଆତି ପ୍ରସଙ୍ଗ, ଅଭିଯୋଗ ପରେ ତଦନ୍ତ ଆରମ୍ଭ

State

ଆଗରପଡ଼ା: ବନ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧିନରେ ଶିକ୍ଷାଗତ ପ୍ରମାଣପତ୍ରରେ ଜାଲିଆତି କରି ଜନୈକ ଶିକ୍ଷୟିତ୍ରୀ ବଷଁବର୍ଷ ଧରି ଶିକ୍ଷକତା କରୁଥିବା ସୂଚନା ମିଳିବା ପରେ ଉକ୍ତ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗୋଷ୍ଠୀଶିକ୍ଷାଧିକାରୀଙ୍କ ଠାରେ ଚଳିତ ମାସ ପ୍ରଥମ ସପ୍ତାହରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବାପରେ ବିଭାଗ ତରଫରୁ ଏହାର ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ସଂପୃକ୍ତ ଶିକ୍ଷୟିତ୍ରୀଙ୍କୁ ଏହାର ଜବାବ ରଖିବା ପାଇଁ ବିଭାଗ ତରଫରୁ ଚିଠି ହୋଇଥିବା ଜଣାପଡ଼ିଛି । ବନ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧିନ ତରାଗୋ ନୋଡ଼ାଲ ୟୁପି ସ୍କୁଲରେ ଶିକ୍ଷକତା କରୁଥିବା ଶିକ୍ଷୟିତ୍ରୀ ତପସ୍ୱିନୀ ଜେନା ବର୍ଷ ୨୦୧୧ରେ ଶିକ୍ଷା ସହାୟିକା ଭାବେ ନିଯୁକ୍ତି ପାଇଥିଲେ ।

ସେ ନିଯୁକ୍ତି ସମୟରେ +୨ ସିଟି ପ୍ରମାଣପତ୍ର ପ୍ରଦାନ କରିଥିଲେ । ସାମ୍ବାଦିକ ବିନୋଦ ଧଳ ସାମନ୍ତ ସୂଚନା ଅଧିକାର ଆଇନ ବଳରେ ଶ୍ରୀମତି ଜେନାଙ୍କ ସମସ୍ତ ଶିକ୍ଷାଗତ ପ୍ରମାଣପତ୍ର ମାଗିଥିଲେ । ଉକ୍ତ ତଥ୍ୟରୁ ଶ୍ରୀମତି ଜେନା ବର୍ଷ ୨୦୦୮ରେ +୨ରେ ପ୍ରଥମ ଶ୍ରେଣୀରେ ଉର୍ତ୍ତୀର୍ଣ୍ଣ ହେବାପରେ ଉକ୍ତ ପ୍ରମାଣପତ୍ରରେ ସିଟିରେ ନାମ ଲେଖାଇ ବର୍ଷ ୨୦୧୦ରେ ସିଟି ପରୀକ୍ଷାରେ ମଧ୍ୟ ପ୍ରଥମ ଶ୍ରେଣୀରେ ଉର୍ତ୍ତୀର୍ଣ୍ଣ ହୋଇଥିବା ଦର୍ଶାଇଥିଲେ । କିନ୍ତୁ ଶ୍ରୀମତି ଜେନା ବର୍ଷ ୨୦୦୭ରେ ଆଗରପଡ଼ା କଲେଜରୁ +୨ ବିଜ୍ଞାନ ପରୀକ୍ଷାରେ ୨ୟ ଶ୍ରେଣୀରେ ଉର୍ତ୍ତୀର୍ଣ୍ଣ ହୋଇଥିବା ନେଇ ଆଗରପଡ଼ା କଲେଜ ଜନ ସୂଚନା ଅଧିକାରୀଙ୍କ ଠାରୁ ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି । ତେଣୁ ଶ୍ରୀମତି ଜେନା ସରକାରଙ୍କ ନିୟମର ଖୋଲା ଉଲ୍ଲଂଘନ କରି ଜାଲ ଏସ୍‌ଏଲସି ମାଧ୍ୟମରେ ଭିନ୍ନଭିନ୍ନ ସମୟରେ ଭିନ୍ନିଭିନ୍ନ କଲେଜରେ ନାମ ଲେଖାଇ ଶିକ୍ଷାଗତ ପ୍ରମାଣପତ୍ର ସଂଗ୍ରହ କରି ୧୨ ବର୍ଷ ଧରି ସମସ୍ତ ତଥ୍ୟକୁ ଗୋପନ ରଖି ନିଜର ସ୍ୱାର୍ଥ ସାଧନା କରିବା ସହ ସରକାରୀ ଅର୍ଥକୁ ହାତେଇଥିବା ଅଭିଯୋଗ କରି ଶ୍ରୀ ସାମନ୍ତ ବିଇଓଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ ।