Onn 3

କେରଳରେ ନିପା ଭାଇରସ ଆତଙ୍କ; ୨୪ ଯାଏ ଶିକ୍ଷାନୁଷ୍ଠାନ ଛୁଟି

National & International

keral

କେରଳରେ ଆତଙ୍କ ସୃଷ୍ଟି କରିଥିବା ନିପା ଭାଇରସକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର। ଏଯାଏ କେରଳରେ ଏହି ଭାଇରାସରେ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚି ସାରିଲାଣି। ମହାମାରୀ କରୋନା ଭାଇରସ ତୁଳନାରେ ନିପା ଭାଇରସର ମୃତ୍ୟୁହାର ଯଥେଷ୍ଟ ଧିକ ବୋଲି ଆଇସିଏମଆର ପକ୍ଷରୁ ସୂଚନା ଦିଆଯିବ ପରେ କେରଳ ସରକାରଙ୍କ ପକ୍ଷରୁ ସବୁ ସ୍କୁଲ କଲେଜକୁ ସପ୍ତାହେ ପାଇଁ ବନ୍ଦ କରି ଦିଆଯାଇଛି।

କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାକୁ ଲାଗିଥିବା ବେଳେ ରାଜ୍ୟ ସରକାର ସମସ୍ତ ଶିକ୍ଷାନୁଷ୍ଠାନକ ଆସନ୍ତା ୨୪ ପର୍ଯ୍ୟନ୍ତ ବନ୍ଦ କରି ଦେଇଛନ୍ତି। ସମସ୍ତ ସ୍କୁଲ, କଲେଜ, କୋଚିଂ ସେଣ୍ଟର, ବୈଷୟିକ ଶିକ୍ଷାନୁଷ୍ଠାନ ଆଦି ପାଇଁ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ ହେବ । ନିପା ଭାଇରସ ଆତଙ୍କକୁ ଦେଖି କେରଳର ବିଭିନ୍ନ ସ୍ଥାନରେ ଲୋକେ ନିଜ ଅଞ୍ଚଳକୁ ଘେରାବନ୍ଦୀ କରି କଣ୍ଟେନମେଣ୍ଟ ଜୋନ୍‌ କରି ଦେଉଛନ୍ତି। ଏହାଦ୍ୱାରା ସେମାନେ ନିଜ ଅଞ୍ଚଳରେ ବାହାର ଲୋକଙ୍କ ଯାତାୟତକୁ ରୋକି ପାରୁଛନ୍ତି।

ଗତକାଲି କେରଳରେ  ଜଣେ ଯୁବକ ନିପା ଭାଇରସରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହେବା ପରେ ରାଜ୍ୟ ସରକାର କଠୋର ପଦକ୍ଷେପ ଉଠାଇବାକୁ ପଦକ୍ଷେପ ନେଇଛନ୍ତି। ପୂର୍ବରୁ ନିପା ଭାଇରସରେ ଆକ୍ରାନ୍ତ ହୋଇ ଦୁଇ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ କେରଳ ସରକାର ହାଇ ଆଲର୍ଟ ମୋଡ୍‌ରେ ରହିଛନ୍ତି। ୨୦୧୮ ପରେ ଏହି ନିପା ଭାଇରସ୍ ଚତୁର୍ଥ ଥର ପାଇଁ କେରଳରେ ବ୍ୟାପିବାରେ ଲାଗିଛି।

କେରଳରେ ବ୍ୟାପୁଥିବା ଏହି ନିପା ଭାଇରସର ଷ୍ଟ୍ରେନ୍ ବାଙ୍ଗଲାଦେଶ ଭେରିଏଣ୍ଟ ବୋଲି ଜଣାପଡ଼ିଛି। ତେବେ କେରଳରେ ବ୍ୟାପୁଥିବା ଏହି ମାରାତ୍ମକ ନିପା ଭାଇରସ ଉପରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞର ଏକ ଟିମ୍‌ କଡ଼ା ନଜର ରଖିଛନ୍ତି।

ନିପା ଭାଇରସରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୧୦୮୦ ଜଣ ଆସି ସାରିଥିବା ବେଳେ ଗତକାଲି ଏହି ସଂଖ୍ୟା ଆଉ ୧୩୦ ବଢ଼ି ଯାଇଛି। ସେମାନଙ୍କ ମଧ୍ୟରେ ୩୨୭ ଜଣ ସ୍ୱାସ୍ଥ୍ୟ କର୍ମୀ ଥିବା ଜଣାଯାଇଛି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସୁଥିବା ଲୋକଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି କେରଳର ସ୍ୱାସ୍ଥ୍ୟ ମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି।

ଗତ ୧୨ ତାରିଖରେ କେରଳରେ ଭାଇରସଜନିତ ଜ୍ୱରରେ ଆକ୍ରାନ୍ତ ହୋଇ ୨ ଜଣଙ୍କ ମୃତ୍ୟୁ ହେବା ପରେ ସେମାନଙ୍କ ନମୁନା ଟେଷ୍ଟ ପାଇଁ ପୁଣେ ପଠାଯାଇଥିଲା। ସେଠାରେ ତାହା ନିପା ଭାଇରସ ବୋଲି ଚିହ୍ନଟ ହେଲା।

ନିପା ଭାଇରସ୍ କଣ, କାହିଁକି ଏହି ରୋଗ ବ୍ୟାପେ, ଏହାର ଲକ୍ଷଣ ବାବଦରେ ଜାଣନ୍ତୁ

ସଙ୍କ୍ରମିତ ବାଦୁଡ଼ି ଓ ଘୁଷୁରିଙ୍କ ସହ ସିଧାସଳଖ ସଂସ୍ପର୍ଶରେ ଆସିଲେ ମଣିଷ ଏହି ଭୂତାଣୁରେ ସଙ୍କ୍ରମିତ ହୋଇଥାଏ। ପରେ ମଣିଷଠାରୁ ମଣିଷକୁ ନିପା ଭାଇରସ୍ ବ୍ୟାପିଥାଏ। ଏହାକୁ ଜୁନୋଟିକ୍ ଭାଇରସ୍ ମଧ୍ୟ କୁହାଯାଏ। ଏହାର ଅନେକ ଲକ୍ଷଣ ଠିକ୍ ସାଧାରଣ ଭାଇରାଲ୍ ଜ୍ୱର ପରି।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) କହିବା ଅନୁସାରେ ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମେ ଜ୍ୱର, ଶ୍ୱାସକ୍ରିୟାରେ ଅସୁବିଧା, ମୁଣ୍ଡବିନ୍ଧା ଏବଂ ବାନ୍ତି ଭଳି ଲକ୍ଷଣ ଦେଖାଯାଇଥାଏ। ସେହିଭଳି ନିପା ଭୂତାଣୁ ସଂସ୍ପର୍ଶରେ ଆସିବା ପରେ ଜଣେ ବ୍ୟକ୍ତିଙ୍କଠାରେ ଏହାର ଲକ୍ଷଣ ୫ରୁ ୧୫ ଦିନ ପର୍ଯ୍ୟନ୍ତ ଦେଖାଯାଏ।

ପ୍ରାୟ ୭୦ପ୍ରତିଶତ ମୃତ୍ୟୁ ହାର ଥିବା ନିପା ଭାଇରସର ସଙ୍କ୍ରମଣକୁ ରୋକିବା ପାଇଁ ଏପର୍ଯ୍ୟନ୍ତ କୌଣସି ଟିକା ଉପଲବ୍ଧ ହୋଇନାହିଁ। ସେହିଭଳି ୨୦୧୮ରେ କେରଳରେ ନିପା ଭାଇରସ୍ ବ୍ୟାପିବା ଯୋଗୁ ୨୧ ଜଣଙ୍କର ମୃତ୍ୟୁ ଘଟିଥିଲା।