ଭୁବନେଶ୍ୱର: କାରିଗରମାନେ ସମାଜର ସୌନ୍ଦର୍ଯ୍ୟ କରଣ କରୁଛନ୍ତି କିନ୍ତୁ ତାଙ୍କ ବିଷୟରେ ସମାଜରେ କେହି ଚିନ୍ତା କରୁନଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ “ବିଶ୍ୱକର୍ମା ଯୋଜନା”ର ଆରମ୍ଭ କରିଛନ୍ତି। ଏହି ଯୋଜନା ଦ୍ୱାରା ଗ୍ରାମୀଣ ଓ ସହରାଚଂଳର ପାରମ୍ପରିକ କାରିଗର ଓ ଶିଳ୍ପକାରମାନେ ଉପକୃତ ହେବେ। କୌଳିକ ବୃତିକୁ ଆପଣାଇ ଯେଉଁମାନେ ଜୀବିକା କରୁଛନ୍ତି ସେମାନଙ୍କ କୌଶଳ ଅଭ୍ୟାସକୁ ସୁଦୃଢ଼ କରିବା ପାଇଁ “ବିଶ୍ୱକର୍ମା ଯୋଜନା”ରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। “ବିଶ୍ୱକର୍ମା ଯୋଜନା” ଭଳି ଅଭିନବ ଓ କ୍ରାନ୍ତିକାରୀ ଯୋଜନା ଦ୍ୱାରା ସାଧାରଣ କାରିଗରମାନେ ଉପକୃତ ହେବେ । ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କର ଅନ୍ତୋଦୟର ବିଚାର ଉପରେ ଆଧାରିତ “ବିଶ୍ୱକର୍ମା ଯୋଜନା” ଦ୍ୱାରା ସମାଜର ତଳସ୍ତରଲୋକମାନେ ଲାଭାନ୍ୱିତ ହେବେ ବୋଲି ସାଂସଦ ପ୍ରତାପ ଷଡଙ୍ଗୀ ସୂଚନା ଦେଇଛନ୍ତି।
ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପାରମ୍ପରିକ କାରିଗର, ହସ୍ତଶିଳ୍ପୀ ଏବଂ କୌଳିକ ବୃତିଧାରୀମାନଙ୍କ ନିମନ୍ତେ ପିଏମ୍ “ବିଶ୍ୱକର୍ମା ଯୋଜନା” ମଞ୍ଜୁର କରିଛନ୍ତି । ଏହି ଯୋଜନା ପାଇଁ ୨୦୨୩-୨୪ ଆର୍ôଥକ ବର୍ଷଠାରୁ ୨୦୨୭-୨୮ ଆର୍ôଥକ ବର୍ଷ ଭିତରେ ମୋଟ ପ୍ରାୟ ୧୩ହଜାର କୋଟି ଟଙ୍କା ବ୍ୟୟରେ ଏହି ‘ସେଂଟ୍ରାଲ ସେକ୍ଟର ସ୍କିମ୍’ ୫ବର୍ଷ ପାଇଁ ଲାଗୁ ହେବ । ଏଥିରେ ପ୍ରଥମ ପର୍ଯ୍ୟାୟରେ ଦେଶର ୧୮ଟି ପାରମ୍ପାରିକ ବୃତିକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହି ମଧ୍ୟରେ ରହିଛି ବଢ଼େଇ, ଡଙ୍ଗା ନିର୍ମାତା, ଅସ୍ତ୍ର ନିର୍ମାତା, କମାର, ହାତୁଡି ଓ ଉପକରଣ ନିର୍ମାତା, ତାଲା କାରିଗର, ବଣିଆ, କୁମ୍ଭାର, ମୁର୍ତ୍ତି କାରିଗର, ପଥର କଟାଳି, ମୋଚି, ରାଜମିସ୍ତ୍ରୀ, ମସିଣା/ଝାଡୁ/କପା ବୁଣାକାର, ଖେଳନା ଓ କଣ୍ଢେଇ କାରିଗର(ପାରମ୍ପରିକ), ଭଣ୍ଡାରୀ, ମାଳୀ, ଧୋବା, ଦରଜି ଓ ମାଛ ଜାଲ ନିର୍ମାତା ଓଡ଼ିଶାରେ ପଛୁଆ ବର୍ଗର ବହୁ ମହିଳା ଯେଉଁମାନେ ନିଜେ ଓ ନିଜ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଏହି କାମ ଗୁଡିକୁ କରୁଛନ୍ତି, ସେମାନେ ଏହି ଯୋଜନାରୁ ଲାଭାନ୍ୱିତ ହେବେ ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି ।
ଏହି “ବିଶ୍ୱକର୍ମା ଯୋଜନା”ରେ ସ୍କିଲ ଅପ-ଗ୍ରେଡେସନ୍, ଟୁଲ୍-କିଟ୍ ଇନସେଂଟିଭ୍, ମାର୍କେଟିଂ ସପୋର୍ଟ୍ ଓ ଡିଜିଟାଲ୍ କାରବାର ପାଇଁ ଇନସେଂଟିଭ୍ ସୁବିଧା ମଧ୍ୟ ଦିଆଯିବ । ଦକ୍ଷତା ଅନୁଯାୟୀ ହିତାଧିକାରୀ ଚିହ୍ନଟ କରାଯିବା ସହ ୫ଦିନର ବେସିକ୍ ଟ୍ରେନିଂ ଦିଆଯିବ । ଏହାପରେ ୧୫ଦିନିଆ ଆଡଭାନ୍ସ୍ ଟ୍ରେନିଂ ଦିଆଯିବ ସହ ୫ଶହ ଟଙ୍କା ଦୈନିକ ଭତା ମିଳିବ । ବ୍ୟବସାୟଗତ ସାମଗ୍ରୀ ପାଇଁ ୧୫ହଜାର ଟଙ୍କାର ଅନୁଦାନ ମିଳିବ । ଏହାଛଡା କାରିଗରମାନଙ୍କୁ ମାର୍କେଟ ସହାୟତା ଯୋଗାଇ ଦେବେ ମୋଦି ସରକାର ବୋଲି ଶ୍ରୀ ଷଡଙ୍ଗୀ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ସଜ୍ଜନ ଶର୍ମା, ରାଜ୍ୟ ଗଣମାଧ୍ୟମ ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ଉପସ୍ଥିତ ଥିଲେ ।