Onn 3

ଏଆର୍‌ ରେହମାନ୍‌ଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ବେଳେ ଟ୍ରାଫିକ୍‌ ଜାମ୍‌ରେ ଫସିଲା ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି

National & International

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ଙ୍କ ଗାଡ଼ି ଟ୍ରାଫିକ୍‌ ଜାମ୍‌ରେ ଫସିବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ରହିଛି ଯେ ଏଠାରେ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଏଆର୍‌ ରେହମାନଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ‘ମରକ୍କୁମା ନେନଜାମ୍‌’ ଚାଲିଥିଲା। ଏହି ସମୟରେ ଇଷ୍ଟ୍‍ କୋଷ୍ଟ୍‍ ରାସ୍ତାରେ ପ୍ରବଳ ଟ୍ରାଫିକ୍‌ ଜାମ୍‌ ରହିଥିଲା।

ଏହି ଭିଡ଼ ଭିତରେ ସିଏମ୍‌ ଷ୍ଟାଲିନ୍‌ଙ୍କ ଗାଡ଼ି ଫସି ଯାଇଥିଲା। ଚେନ୍ନାଇ ଉପକଣ୍ଠ ପନିୟରରେ ଭିଡ଼ ହେତୁ ସିଏମ୍‌ଙ୍କୁ ସେହିଠାରେ ହିଁ ଅଟକି ରହିବାକୁ ପଡ଼ିଥିଲା। ଖବର ରହିଛି, ମୁଖ୍ୟମନ୍ତ୍ରୀ ମାମଲ୍ଲପୁରମ୍‌ରେ ଏକ ବିବାହ ଉତ୍ସବରେ ଯୋଗଦେଇ ଚେନ୍ନାଇ ଫେରୁଥିବା ବେଳେ ଜାମ୍‌ରେ ଫସି ଯାଇଥିଲେ।

ଏହି ଘଟଣାରେ ଡିଜିପି ଶଙ୍କର ଜିଓ୍ଵାଲ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ସେପଟେ ୩ ପାଲିସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ସେମାନଙ୍କୁ ଅନ୍ୟତ୍ର ଟ୍ରାନ୍ସଫର୍‌ କରି ଦିଆଯାଇଛି। ଏହା ବ୍ୟତୀତ ଲାଇଭ୍‌ କନ୍‌ସର୍ଟ ବେଳେ ପାର୍କିଂ ଓ ଟ୍ରାଫିକ୍‌ ଅବ୍ୟବସ୍ଥାକୁ ନେଇ ଅଭିଯୋଗ ମଧ୍ୟ ଦାଖଲ କରାଯାଇଛି।

କୁହାଯାଉଛି ଯେ ଏଆର୍‌ ରେହମାନଙ୍କ କାର୍ଯ୍ୟକ୍ରମ ପୂର୍ବରୁ ହିଁ ଘଟଣାସ୍ଥଳରେ ପ୍ରବଳ ଭିଡ଼ ଜମିଥିଲା। ଯାହାଙ୍କ ପାଖରେ ଟିକେଟ୍‌ ଥିଲା, ସେମାନେ ମଧ୍ୟ ଭିତରକୁ ପ୍ରବେଶ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଥିଲେ। ଭିଡ଼ କାରଣରୁ ଅନେକ ଲୋକ କନ୍‌ସର୍ଟରେ ସାମିଲ ମଧ୍ୟ ହୋଇପାରି ନ ଥିଲେ। ତେବେ ଅଭିଯୋଗ ପାଇ ପୋଲିସ ସୁରକ୍ଷା, ଯାତାୟାତ ବ୍ୟବସ୍ଥା, ପାର୍କିଂ ଏବଂ ଚିକିତ୍ସା ସୁବିଧା ସମ୍ପର୍କରେ କାର୍ଯ୍ୟକ୍ରମର ଆୟୋଜକଙ୍କୁ ପଚରାଉଚରା କରିବ।