କେଉଁଆଡେ ଉଭାନ ହୋଇଯାଉଛନ୍ତି ସି ଜିନପିଙ୍ଗଙ୍କ କ୍ୟାବିନେଟ ମନ୍ତ୍ରୀ? ଜଣଙ୍କ ପରେ ଜଣ ମନ୍ତ୍ରୀଙ୍କର କାହିଁକି ମିଳୁନି ପତ୍ତା? ଚୀନର କ୍ୟାବିନେଟ ମନ୍ତ୍ରୀଙ୍କ ନିଖୋଜକୁ ନେଇ ଏପରି କିଛି ପ୍ରଶ୍ନ ସୃଷ୍ଟି ହୋଇଛି। ପ୍ରଥମେ ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗଙ୍କ ନିଖୋଜ ପରେ ପୂର୍ବତନ ରକେଟ୍ ଫୋର୍ସ ଜେନେରାଲ୍ ଆଉ ଏବେ ପ୍ରତିରକ୍ଷା ମନ୍ତ୍ରୀ ଲି ଶଙ୍ଗୁଫଙ୍କ ପତ୍ତା ମିଳୁନି।
ଏହାପରେ କିଏ ତାଙ୍କ ସ୍ଥାନରେ ନିଯୁକ୍ତ ହେବେ ବୋଲି ପ୍ରଶ୍ନ କରିଛନ୍ତି ରାଷ୍ଟ୍ରଦୂତ ରହମ। ଚୀନର ଯୁବପିଢ଼ି ନା ଜିନପିଙ୍ଗଙ୍କ କ୍ୟାବିନେଟର କେହି ମନ୍ତ୍ରୀ ହେବେ ପଚାରିଛନ୍ତି ରହମ।
ସୂଚନା ଅନୁସାରେ, ଜୁନରେ ଚୀନର ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ଦୀର୍ଘଦିନ ଧରି ତାଙ୍କର କୌଣସି ଖୋଜ ଖବର ମିଳିନଥିଲା। ଜଣେ ସାମ୍ବାଦିକାଙ୍କ ପ୍ରେମରେ ପଡ଼ି ଭୟରେ ଲୁଚିଥିବା କୁହାଯାଉଥିଲା। କାରଣ ଚୀନ୍ ସରକାରଙ୍କ ନିୟମ ଅନୁସାରେ, ଯଦି କୌଣସି ମନ୍ତ୍ରୀ ପରକୀୟା ପ୍ରୀତିରେ ରହନ୍ତି ତେବେ ତାଙ୍କୁ ମନ୍ତ୍ରୀ ପଦରୁ ବହିସ୍କୃତ ହେବାକୁ ପଡ଼େ। ଏହି ଡରରେ ସେ ନିଜକୁ ନିଜ ବନ୍ଦୀ କରିଥିବା ଚର୍ଚ୍ଚା ହେଉଥିଲା।
କିଛି ଦିନ ପରେ ୱାଙ୍ଗ ୱିଙ୍କୁ ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ ସି ଜିନପିଙ୍ଗ। ମାତ୍ର ଏହା ପରେ ବି କିନ୍ ଗ୍ୟାଙ୍ଗଙ୍କ କୌଣସି ପତ୍ତା ମିଳିନାହିଁ। ବର୍ତ୍ତମାନ କ୍ୟାବିନେଟର ଆଉ ଜଣେ ମନ୍ତ୍ରୀ ନିଖୋଜ ହୋଇଯିବା ଜିନପିଙ୍ଗଙ୍କ ରାଜନୈତିକ ଅସ୍ଥିରତାକୁ ଇଙ୍ଗିତ କରୁଛି। ଏପରି କ୍ଷେତ୍ରରେ କାହାକୁ ଜିନପିଙ୍ଗ ନୂଆ ଦାୟିତ୍ୱ ଦେବେ ତା’ ଉପରେ ବି ନଜର।