Onn 3

ଡେରାସରେ ଜବରଦଖଲ ଅଭିଯୋଗ ପରେ କାର୍ଯ୍ଯାନୁଷ୍ଠାନ ପାଇଁ ସରକାରଙ୍କ ନିର୍ଦ୍ଦେଶ

State

ଭୁବନେଶ୍ୱର: ଡେରାସ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ବେଆଇନ ଜବରଦଖଲ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏ ନେଇ ଏକ ଚିଠି ଲେଖିବା ପରେ ରାଜ୍ୟ ସରକାର ଏହାକୁ ଗ୍ରହଣ କରିଛନ୍ତି। ଆଉ ପ୍ରଶାସନ ପକ୍ଷରୁ ତହସିଲଦାର ଓ ନିର୍ବାହୀ ଯନ୍ତ୍ରୀଙ୍କୁ ଜମିକୁ ଜବରଦଖଲମୁକ୍ତ କରି ଅବରୋଧ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ସ୍ଥାନୀୟ ଚାଷୀଙ୍କ ଅଭିଯୋଗ ପାଇବା ପରେ ଶ୍ରୀମତୀ ଷଡ଼ଙ୍ଗୀ ସେଠାକୁ ଯାଇ ସେମାନଙ୍କ ସହ ଆଲୋଚନା କରିଥିଲେ। ଏ ସମ୍ପର୍କରେ ଅନୁଧ୍ୟାନ କରିବା ପରେ ତିନି ଦିନ ମଧ୍ୟରେ ବେଆଇନ ଜବରଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ ନେବାକୁ ସେ ମୁଖ୍ୟମନ୍ତ୍ରୀ ଓ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।

ଚିଠିରେ ଦର୍ଶାଯାଇଛି ଯେ, ଜବରଦଖଲ ଜମି ମଧ୍ୟରେ ଥିବା ଜଳସେଚନ କେନାଲକୁ ୨ ବର୍ଷ ତଳେ “ଏନକ୍ଲୋଚର” ପକ୍ଷରୁ ଅବରୋଧ କରାଯାଇ ପ୍ରାୟ ୩୦୦ ଏକର ଜମିକୁ ଜଳସେଚନରୁ ବଞ୍ଚିତ କରାଯାଇଛି। ଫଳରେ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି, ହେଲେ ରାଜ୍ୟ ସରକାର ଏଯାଏଁ କୌଣସି ପଦକ୍ଷେପ ନେଉନାହାନ୍ତି।

ରାଜ୍ୟ ସରକାର ଏବେ ଶ୍ରୀମତୀ ଷଡ଼ଙ୍ଗୀଙ୍କ ଅଭିଯୋଗକୁ ଗ୍ରହଣ କରି ଚାଷୀଙ୍କ ସମସ୍ୟାର ସମାଧାନ ଦୂର କରିବା ସହ ଜମିକୁ ଜବରଦଖଲମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୃଥିକା ପ୍ରଭାକରନ ନାମକ ମହିଳା ବ୍ୟକ୍ତି ଜଳସେଚିତ ଜମିକୁ ଜବରଦଖଲ କରିଥିବା ଅପରାଜିତା କହିଥିଲେ। ଏହାପରେ ସେ ନିଜେ ଯାଇ ତିନି ଦିନ ତଳେ କେନାଲ ଖୋଳି ଦେଇଥିଲେ।