Onn 3

ମୋଦି-ବାଇଡେନ ଆଲୋଚନା ପୂର୍ବରୁ MQ-9B ହଣ୍ଟର୍ କିଲର ଡ୍ରୋନ୍ ମାଗିଲା ଭାରତ

National & International

ଆମେରିକାଠୁ ଭାରତ କିଣିବ MQ-9B ହଣ୍ଟର୍ କିଲର ଡ୍ରୋନ୍। ଏଥିପାଇଁ ଆନୁଷ୍ଠାନିକ ଭାବେ ଆମେରିକା ସରକାରଙ୍କୁ ଅନୁରୋଧ କରିଛନ୍ତି ଭାରତ ସରକାର। ଜି-20 ଶିଖର ସମ୍ମିଳନୀରେ ମୋଦି-ବାଇଡେନଙ୍କ ଆଲୋଚନା ପୂର୍ବରୁ ଏହି ପ୍ରସ୍ତାବ ଦେଇଛି ଭାରତ। ଭାରତ, ଆମେରିକା ସରକାରଙ୍କୁ 31 ଟି ସଶସ୍ତ୍ର MQ-9B ହଣ୍ଟର୍ କିଲର ଡ୍ରୋନ୍ କ୍ରୟ ପାଇଁ ଏକ ଆନୁଷ୍ଠାନିକ ଅନୁରୋଧ କରିଥିବା କୁହାଯାଉଛି। ଚଳିତ ଆର୍ଥିକ ବର୍ଷରେ ଚୂଡ଼ାନ୍ତ ଚୁକ୍ତିନାମା ସ୍ୱାକ୍ଷରିତ ହୋଇପାରେ ବୋଲି ଆଶା କରାଯାଉଛି।

କିଛି ଦିନ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରଣାଳୟ 31 ‘ହଣ୍ଟର୍-କିଲର୍ସ’ କିଣିବା ପାଇଁ ଏକ ବିସ୍ତୃତ LoR (ଲେଟର ଅଫ୍ ରିକ୍ୟୁଏଷ୍ଟ) ପଠାଇଥିଲା। ସୂତ୍ର ଅନୁଯାୟୀ, ବାଇଡେନ ପ୍ରଶାସନ ଗୋଟିଏ କିମ୍ବା ଦୁଇ ମାସ ମଧ୍ୟରେ ଏହାର ଜବାବ ରଖିବେ ବୋଲି କହିଥିଲେ। ଏହି ଚୁକ୍ତି ସ୍ୱାକ୍ଷର ହେଲେ ଭାରତୀୟ ସେନା ଅସ୍ତ୍ରଶସ୍ତ୍ରରେ MQ-9B ହଣ୍ଟର୍ କିଲର ଡ୍ରୋନ୍ ସାମିଲ୍ ହେବ।

ରିପୋର୍ଟ ଅନୁଯାୟୀ, ମୋଟ 31 ଟି ଡ୍ରୋନ୍ ମଧ୍ୟରୁ 15 ଟି ଭାରତୀୟ ନୌସେନାକୁ ଏବଂ ଆଠଟି ଲେଖାଏଁ ଡ୍ରୋନ୍ ସ୍ଥଳସେନା ଏବଂ ବାୟୁସେନାରେ ନିୟୋଜିତ ହେବ। ଆମେରିକାନ୍ କମ୍ପାନୀ ଜେନେରାଲ୍ ଆଟୋମିକ୍ସ ଦ୍ୱାରା ନିର୍ମିତ MQ-9B ରେପର୍ କିମ୍ବା ପ୍ରିଡେଟର୍ ଡ୍ରୋନ୍ ହେଉଛି ଏକ ମାନବ ବିହୀନ ବିମାନ ଯାନ। ଆମେରିକାର ବାୟୁସେନା ଏହାକୁ ବ୍ୟବହାର କରେ। ଏହା ଏକ MQ-1 ସିରିଜ୍ ଡ୍ରୋନ୍, ଯାହାର ବିକାଶ 1990 ଦଶକରେ ଆରମ୍ଭ ହୋଇଥିଲା।

ଭାରତ କିଣୁଥିବା ଦୁଇଟି ଡ୍ରୋନ୍ ମଧ୍ୟରୁ ଗାର୍ଡିଆନ୍ ଡ୍ରୋନ୍ ସାମୁଦ୍ରିକ ତଦାରଖ ପାଇଁ ସ୍ୱତନ୍ତ୍ର ହୋଇଥିବାବେଳେ ସ୍କାଏ ଗାର୍ଡିଆନ୍ ଡ୍ରୋନ୍ ସ୍ଥଳ ସୀମା ରକ୍ଷା ପାଇଁ ବ୍ୟବହୃତ ହେବ। ଭାରତର ସମସ୍ତ ତିନୋଟି ସଶସ୍ତ୍ର ବାହିନୀର ଜାହାଜରେ ଗାର୍ଡିଆନ୍ ଭାରିଆଣ୍ଟ ଅନ୍ତର୍ଭୁକ୍ତ ହେବ। ସମୁଦ୍ର ତଦାରଖ ହେଉ କିମ୍ବା ଆଣ୍ଟି-ସବମେରିନ ଯୁଦ୍ଧ, ଏହି ଡ୍ରୋନ୍ ବହୁ ଭୂମିକା ନିଭାଇବ।

ଏହି ଡ୍ରୋନଗୁଡିକରେ 40,000 ଫୁଟ ପର୍ଯ୍ୟନ୍ତ ଉଚ୍ଚତାରେ ଉଡ଼ିବାର କ୍ଷମତା ରହିଛି। କେବଳ ଏତିକି ନୁହେଁ, ଦୂର ଦୂରାନ୍ତର ଫ୍ଲାଇଙ୍ଗ୍ ଇଣ୍ଟେଲିଜେନ୍ସ ସଂଗ୍ରହ ଏବଂ ତଦାରଖ ସହିତ ଏହି ବିମାନଗୁଡ଼ିକୁ ବାୟୁସେନାର ପ୍ରାରମ୍ଭିକ ଚେତାବନୀ, ଇଲେକ୍ଟ୍ରୋନିକ୍ ଯୁଦ୍ଧ, ଆଣ୍ଟି-ସରଫେସ୍ ଯୁଦ୍ଧ ଏବଂ ଆଣ୍ଟି-ସବମେରିନ ଯୁଦ୍ଧରେ ବ୍ୟବହାର କରାଯାଇପାରିବ। ଏହି ଡ୍ରୋନଗୁଡ଼ିକ ବାୟୁ ମଣ୍ଡଳୀୟ ପାଗ ଦ୍ୱାରା ପ୍ରଭାବିତ ହେବେ ନାହିଁ। ଏକ ସମୟରେ ପ୍ରାୟ ତିରିଶରୁ ଚାଳିଶ ଘଣ୍ଟା ପର୍ଯ୍ୟନ୍ତ ଆକାଶରେ ଉଡିପାରିବେ।

ତେବେ ନୂଆ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱର ଶୀର୍ଷ ନେତାଙ୍କ ସମ୍ମିଳନୀ ଜି-20ରେ ଯୋଗ ଦେବାକୁ ଆଜି ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଆସନ୍ତାକାଲିଠାରୁ ସେପ୍ଟେମ୍ବର 2 ପର୍ଯ୍ୟନ୍ତ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଇଡେନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ରହିଛି। ଏହି ସମୟରେ ଦୁଇ ଦେଶର ଶୀର୍ଷ ନେତାଙ୍କ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନ ହୋଇପାରେ। ଏହାପୂର୍ବରୁ ଭାରତ MQ-9B ଡ୍ରୋନ୍ କ୍ରୟ ପାଇଁ ପ୍ରସ୍ତାବ ଦେଇସାରିଛି।