Onn 3

ସ୍ୱାମୀ ବିରୋଧରେ ଥାନାରେ ଅଭିଯୋଗ କରିବାକୁ ଯାଇଥିବା ମହିଳା ଗଣଦୁଷ୍କର୍ମର ଶିକାର

National & International

ସ୍ୱାମୀର ଅସହ୍ୟ ଯନ୍ତ୍ରଣା ସହି ନ ପାରି ଥାନାରେ ଅଭିଯୋଗ ପାଇଁ ଯାଇଥିବା ମହିଳାଙ୍କୁ ଗଣଦୁଷ୍କର୍ମ । ସବୁବେଳେ ମାରପିଟ କରୁଥିବା ସ୍ୱାମୀ ବିରୋଧରେ ଅଭିଯୋଗ ନେଇ ଥାନାକୁ ଯାଇଥିଲେ ମହିଳା । ହେଲେ ସେଠାରେ ପୋଲିସ ଏସଆଇ ଏବଂ ତାଙ୍କ ସାଙ୍ଗମାନେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ । ହରିୟାଣା ପଲବଲ ଅଞ୍ଚଳରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ଜୁଲାଇ ୨୩ ତାରିଖରେ ପୀଡିତା ମହିଳା ନିଜ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ନେଇ ହସନପୁର ପୋଲିସ ଷ୍ଟେସନ ଯାଇଥିଲେ । ଥାନାରେ ଏନେଇ ଅଭିଯୋଗ କରିବା ସମୟରେ ସବଇନ୍ସପେକ୍ଟର ଶିବ ଚରଣଙ୍କ ସହ ସାକ୍ଷାତ ହୋଇଥିଲା । ମହିଳାଙ୍କ ଅଭିଯୋଗ ଶୁଣିବା ପରେ ମାମଲା ଦାଏର କରିବା ବଦଳରେ ସବଇନ୍ସପେକ୍ଟର ମହିଳାଙ୍କୁ ତାଙ୍କର ଜଣେ ସାଙ୍ଗ ସହ ଅନ୍ୟ ସ୍ଥାନକୁ ଯିବାକୁ ବାଧ୍ୟ କରିଥିଲେ । ସେମାନେ ମହିଳାଙ୍କୁ ଲଗାତାର ୩ ଦିନ ଯାଏଁ ବାନ୍ଧି ରଖିବା ସହିତ ଗଣଦୁଷ୍କର୍ମ କରିଥିଲେ । ପରେ ଅନ୍ୟ ଜଣେ ଦଲାଲକୁ ବିକି ଦେଇଥିଲେ । ସେମାନେ ମଧ୍ୟ ମହିଳାଙ୍କୁ ଯୌନ ଉତ୍ପୀଡନ ଦେଇଥିଲେ । ଏହି ମାମଲାରେ ହସନପୁର ଥାନାର ସବଇନ୍ସପେକ୍ଟର ସମତେ ୭ ଜଣ ଲୋକଙ୍କ ବିରୋଧରେ ଏଫଆଇଆର ଦାଏର କରାଯାଇଛି ।

ସେଠାରେ ଜଣେ ଅଭିଯୁକ୍ତ ନିଜ ଫୋନ ଛାଡିଯାଇଥିବା ସମୟରେ ମହିଳା ଜଣକ ସେଥିରୁ ପୋଲିସକୁ ଫୋନ କରିଥିଲେ । ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିବା ସହ ଜଣକୁ ଗିରଫ କରିଥିବାବେଳେ ହସନପୁର ଇନ୍ସପେକ୍ଟର ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ମାମଲା ଦାଏର କରି ଯାଞ୍ଚ ଆରମ୍ଭ କରିଛି । ଏହାସହିତ ମହିଳାଙ୍କୁ ଭିଡିଓ ଭାଇରଲ କରିବାକୁ ଧମକ ଦେଇଥିଲେ ।