Onn 3

ଅଙ୍ଗନୱାଡ଼ି ଗୃହ ନିର୍ମାଣରେ ଅନିଶ୍ଚିତତା,୨୩୮ ରୁ ସରିଛି ୧୪୭ କେନ୍ଦ୍ରର ଗୃହ ନିର୍ମାଣ

State

ଆଗରପଡ଼ା:୧୯୭୫ ମସିହାରେ ଭାରତ ସରକାର ଶିଶୁ ଓ ମହିଳାଙ୍କର ସର୍ବାଙ୍ଗୀନ ଉନ୍ନତି ଲକ୍ଷ୍ୟରେ ଅଙ୍ଗନବାଡ଼ି କେନ୍ଦ୍ରମାନ ପ୍ରତିଷ୍ଠା କରିଥିଲେ । ଓଡ଼ିଶାରେ ୧୯୯୪-୯୫ ମସିହାରେ ଏହା କାର୍ଯ୍ୟକାରୀ ହୋଇଥିଲା । ଜନ୍ମ ଠାରୁ ୬ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରତି ଶିଶୁଙ୍କୁ ଟୀକାକରଣ, ସ୍ୱାସ୍ଥ୍ୟ, ପୃଷ୍ଟିହୀନତା ଦୂରୀକରଣ, ଶିକ୍ଷା, ପ୍ରାପ୍ତ ବୟସ୍କାଙ୍କୁ ଶାରୀରିକ ଶିକ୍ଷା ପ୍ରଦାନ ଆଦି ଅଙ୍ଗନବାଡ଼ି କେନ୍ଦ୍ରର କାର୍ଯ୍ୟ ରହିଛି । କିନ୍ତୁ ବହୁ କେନ୍ଦ୍ର ଅବ୍ୟବସ୍ଥା ମଧ୍ୟରେ ଗତି କରୁଥିବାରୁ ଏହି ସବୁ କାର୍ଯ୍ୟର ସଫଳ ରୂପାୟନ ହୋଇ ପାରୁ ନଥିବା ପରିଲକ୍ଷିତ ହେଉଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଠାରେ । ଏହି ବ୍ଲକର ୨୫ଟି ପଂଚାୟତରେ ୨୩୮ଟି ଅଙ୍ଗନବାଡ଼ି କେନ୍ଦ୍ର କାର୍ଯ୍ୟ କରୁଛି । ୨୫ଟି ପଂଚାୟତକୁ ୧୧ ଗୋଟି ସେକ୍ଟରରେ ଭାଗ କରାଯାଇଛି । ଉକ୍ତ ସେକ୍ଟର ଗୁଡ଼ିକର ଦାଇତ୍ୱ ସୁପରଭାଇଜର ମାନଙ୍କୁ ନ୍ୟସ୍ତ କରାଯାଇଛି । ଏହି ବ୍ଲକର ୨୩୮ଟି ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟରୁ ହସ୍ତଗତ ତଥ୍ୟ ଅନୁଯାୟୀ ଅଦ୍ୟାବଧି ୧୪୭ଟି କେନ୍ଦ୍ରର ଗୃହ ସମ୍ପୂର୍ଣ୍ଣ ହୋଇଥିବା ବେଳେ ୨ଟିର ଗୃହ ବିଭାଗକୁ ହସ୍ତାନ୍ତର କରାଯାଇନାହିଁ । ୨୪ଟିକେନ୍ଦ୍ରର ଗୃହ ଅଧପନ୍ତରିଆ ଅବସ୍ଥାରେ ରହିଥିବାବେଳେ ବାକି ୬୭ଟି କେନ୍ଦ୍ର ମଧ୍ୟରୁ ୪ଟି କେନ୍ଦ୍ରର ସମସ୍ୟା ଯୋଗୁ ଗୃହ ନିର୍ମାଣ ହୋଇପାରିନାହିଁ । ୫ଟି କେନ୍ଦ୍ରର ଗୃହ ନିର୍ମାଣ ପାଇଁ ସ୍ଥାନ ନିରୂପଣ ହୋଇପାରିନଥିବାବେଳେ ୧୫ଟି କେନ୍ଦ୍ରର ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିବା ଜଣାପଡ଼ିଛି ।

ବାକି ୪୩ଟି କେନ୍ଦ୍ରର ଗୃହ କେବେ ନିର୍ମାଣ ହେବ ତାହାର କୌଣସି ସୂଚନା ନାହିଁ । ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନଥିବାରୁ ଏହି କେନ୍ଦ୍ରରେ ଅଧ୍ୟୟନରତ କୋମଳମତୀ ଶିଶୁମାନେ ବାରଦୁଆର ଶୁଣ୍ଡିପିଣ୍ଡା ହେଉଛନ୍ତି । କେତେବେଳେ ସ୍କୁଲ ଗୃହରେ ତ କେତେବେଳେ ଖୋଲା ଆକାଶ ତଳେ ତ ଆଉ କେତେବେଳେ କାହା ଗୃହ ବାରଣ୍ଡାରେ ଶିକ୍ଷା ଲାଭ କରୁଛନ୍ତି । ସେମାନଙ୍କ ପାଇଁ ଅସ୍ୱାସ୍ଥ୍ୟକର ପରିବେଶରେ ରୋଷେଇ କାର୍ଯ୍ୟ ସଂପାଦନା କରାଯାଉଥିବା ଜଣାପଡ଼ିଛି । ଏହି କେନ୍ଦ୍ର ଗୁଡ଼ିକର ଅନ୍ୟାନ୍ୟ କାର୍ଯ୍ୟ ଯେପରିକି ଶିଶୁଙ୍କୁ ଟୀକାକରଣ, ସ୍ୱାସ୍ଥ୍ୟ, ପୃଷ୍ଟିହୀନତା ଦୂରୀକରଣ, ପ୍ରାପ୍ତ ବୟସ୍କାଙ୍କୁ ଶାରୀରିକ ଶିକ୍ଷା ପ୍ରଦାନ ଆଦି କାର୍ଯ୍ୟ ମଧ୍ୟ ଠିକ୍ ଭାବେ ସଂପାଦନା ହୋଇପାରୁନାହିଁ । ଏହି ସବୁକୁ ନେଇ ଅଭିଭାବକମାନଙ୍କ ଚିନ୍ତା ଦ୍ୱିଗୁଣିତ ହୋଇଯାଇଛି । ଅଙ୍ଗନୱାଡ଼ି କେନ୍ଦ୍ର ହେଉଛି ଗୋଟିଏ ଶିଶୁର ଶିକ୍ଷାକ୍ଷେତ୍ରର ମୂଳଦୁଆ ପଡ଼ିବାର ପ୍ରଥମ ସୋପାନ । ଏହିଠାରୁ ହିଁ ତାର ଶିକ୍ଷା ଆରମ୍ଭ ହୋଇଥାଏ । ମାତ୍ର ଏହି ଆରମ୍ଭ ବୟସରୁ ଅଙ୍ଗନୱାଡ଼ି କେନ୍ଦ୍ରରେ ଅଧ୍ୟୟନ କରୁଥିବା ପିଲାମାନେ ଅଙ୍ଗନୱାଡ଼ି କେନ୍ଦ୍ରର ବ୍ୟବସ୍ଥାକୁ ନେଇ ନିଜର ହତାଶଭାବ ପ୍ରକାଶ କରୁଛନ୍ତି । ଅର୍ଥ ମଂଜୁର ହେଉଛି କିନ୍ତୁ ବିଭାଗୀୟ ଅଧିକାରୀ ମାନଙ୍କ କାର୍ଯ୍ୟ ପନ୍ଥା ଯୋଗୁଁ ସରକାରଙ୍କ ଯୋଜନା ଲକ୍ଷଚ୍ୟୁତ ହେବାକୁ ଯାଉଥିବାର ଅଭିଯୋଗ ହେଉଛି । ଏଥିପ୍ରତି ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀ ,ବୁଦ୍ଧିଜିବୀ ତଥା ଅଭିଭାବକମାନେ ଦାବି କରିଛନ୍ତି ।