ଗୁରୁ-ଶିଷ୍ୟ ପରମ୍ପରା କର୍ତ୍ତବ୍ୟନିଷ୍ଠ ଆଉ ଦାୟିତ୍ୱବୋଧତାକୁ ପ୍ରତିପାଦନ କରେ। ହେଲେ ମଣିଷର ନିହିତ ସ୍ୱାର୍ଥ ବାରମ୍ୱାର ଏହି ପରମ୍ପରାକୁ କଳଙ୍କିତ କରୁଛି। ଆଗକୁ ଗୁରୁଦିବସ ଭଳି ପବିତ୍ର ଅବସର ଥିବାବେଳେ ନିକଟରେ ଏହିପରି ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଶିକ୍ଷକଙ୍କ ଗଳାକାଟି ଛାତ୍ର ହତ୍ୟା କରିବା ଭଳି ସଙ୍ଗୀନ ମାମଲା ସାମ୍ନାକୁ ଆସିଛି।
ପୁଲିସ କହିବା ଅନୁସାରେ, ଅଗଷ୍ଟ 30, 2023 ରେ, ରାତି ପ୍ରାୟ 2ଟା 15 ମିନିଟ ସମୟରେ ଜାମିଆ ନଗର ଅଞ୍ଚଳର ଏକ ଘରେ ମୃତଦେହ ପଡିଥିବାର ଖବର ମିଳିଥିଲା। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଜବତ କରାଯାଇଥିଲା। ଏକ ହତ୍ୟା ମାମଲା ରୁଜୁ କରାଯଇ ତଦନ୍ତ ଆରମ୍ଭ ହୋଇଥିଲା।
ତଦନ୍ତ ବେଳେ ମୃତ ବ୍ୟକ୍ତି ଜଣକ 28 ବର୍ଷିୟ ମହମ୍ମଦ ୱାସିମ, ସେ ଏକ କୋଚିଂ ସେଣ୍ଟରରେ ଶିକ୍ଷକତା କରୁଥିଲେ ବୋଲି ଜାଣିବାକୁ ପାଇଥିଲା ପୁଲିସ। ସିସିଟିଭି ଫୁଟେଜ ଆଧାରରେ ସେହି କୋଚିଂ ସେଣ୍ଟରର ଜଣେ 16 ବର୍ଷିୟ ନାବାଳକକୁ ତଦନ୍ତ ପରିସରଭୁକ୍ତ କରିଥିଲା। ପଚରାଉଚରା ସମୟରେ ନାବାଳକ ସବୁ ସତ ମାନିଛି। ସେହି ହିଁ ତାଙ୍କ ଶିକ୍ଷକଙ୍କ ହତ୍ୟା କରିଥିବା ସ୍ୱୀକାର କରିଛି। ଅଭିଯୁକ୍ତ ନାବାଳକ କହିଛନ୍ତି ଯେ, ୱାସିମ ଜଣେ ସମଲିଙ୍ଗୀ ଥିଲେ। ସେ ତାଙ୍କୁ ବାରମ୍ବାର ଯୌନ ଶୋଷଣ କରିଥିଲେ। ଏପରିକି ଭିଡିଓ ସୁଟ୍ କରି ତାଙ୍କୁ ବ୍ଲାକମେଲ୍ ମଧ୍ୟ କରୁଥିଲେ।
ଏଥିରେ ସେ ଅତିଷ୍ଟ ହୋଇ ଏକ ପେପର୍ କଟରରେ ତାଙ୍କ ଗଳା କାଟି ହତ୍ୟା କରିଥିବା ମାନିଛନ୍ତି। ପୁଲିସ ସମ୍ପୃକ୍ତ ନାବାଳକଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।