Onn 3

ଓଡିଶାର ‘କପଡାଗୁନ୍ଦା’ ଶାଲ ଓ ‘ଇଡିତାଲ୍‌’ ଚିତ୍ରକୁ ମିଳିବ ଜିଆଇ ଟ୍ୟାଗ

State

ରାୟଗଡା : ଓଡିଶାର ସ୍ୱତନ୍ତ୍ର ସାତୋଟି ଉତ୍ପାଦ ସାମଗ୍ରୀକୁ ଜିଆଇ ଟ୍ୟାଗ ମାନ୍ୟତା ଦେବା ପାଇଁ  ନିଆଯାଇଥିବା ପଦକ୍ଷେପ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରାୟଗଡା ଜିଲ୍ଲାର ଡଙ୍ଗରିଆ କନ୍ଧଙ୍କ ବାନ୍ଧ କଳା ‘କପଡାଗୁନ୍ଦା ’ ଶାଲ ଓ ଗୁଣପୁରର ଲାଂଜିଆ ସଉରାଙ୍କ କାନ୍ଥ ଚିତ୍ର ‘ଇଡିତାଲ୍‌’ କୁ ଖୁବ୍ ଶିଘ୍ର ମିଳିବ ଜିଆଇ ଟ୍ୟାଗ ମାନ୍ୟତା । ଏନେଇ କେନ୍ଦ୍ରସରକାର ବିଜ୍ଞାପନ ଜାରି କରିଛନ୍ତି ।

ରାୟଗଡା ଜିଲ୍ଳାର ପୂର୍ବଘଟ ପର୍ବତମାଳା  ନିୟମଗିରି ପାହାଡର  ପାଦ ଦେଶରେ ରହୁଥିବା ବିରଳ ଡଙ୍ଗରିଆ କନ୍ଧ ଆଦିମ ଜନଜାତି  ମହିଳାମାନଙ୍କ ଦ୍ୱାରା ନିଜ ହାତରେ ବୁଣାଯାଉଥିବା ଆର୍କଷଣୀୟ ଏମ୍ବ୍ରୋଡରୀ ଶାଲ୍ ‘କପଡାଗୁନ୍ଦା ’କୁ  ଜିଆଇ ଟ୍ୟାଗ ମାନ୍ୟତା ଦେବାପାଇଁ ନିୟମଗିରି ଡଙ୍ଗରିଆ କନ୍ଧ ୱେଭେର୍ସ ଆସୋସିଏସନ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଏବଂ ପ୍ରଶିକ୍ଷଣ ଅନୁଷ୍ଠାନ ବିଭାଗର ସ୍ୱତନ୍ତ୍ର ସଚିବ ତଥା ନିର୍ଦ୍ଦେଶକ କେନ୍ଦ୍ରସରକାରଙ୍କୁ ଆବେଦନ କରିଥିଲେ । ସେହିଭଳି ଗୁଣପୁର ଉପଖଣ୍ଡରେ ରହୁଥିବା ପୁଟାସିଂ ଅଞ୍ଚଳର ଲାଜିଂଆ ସଉରାଙ୍କ ଦ୍ୱାରା କାନ୍ଥଗୁଡିକରେ ଅଙ୍କା ଯାଉଥିବା ସୁନ୍ଦର ‘ଇଡିତାଲ’ ଚିତ୍ରକୁ ଜିଆଇ ଟ୍ୟାଗ ମିଳିବା ପାଇଁ  ଇଡଲ ଇଡିତାଲ ଆସୋସିଏସନ ମଧ୍ୟ ସମଭାବେ କେନ୍ଦ୍ରସରକାରଙ୍କୁ ଆବେଦନ କରିଥିଲା ।

୨୦୨୦-୨୧ ମସିହାରେ ଡଙ୍ଗରିଆ କନ୍ଧଙ୍କ ବାନ୍ଧ କଳା ‘କପଡାଗୁନ୍ଦା’ ଶାଲ୍ ଜିଆଇ ଟ୍ୟାଗ ମାନ୍ୟତା ପାଇବା ନିମନ୍ତେ ଆବେଦନ କରାଯାଇଥିବା ବେଳେ ୨୦୨୧-୨୨ ମସିହାରେ ଲାଞ୍ଜିଆ ସଉରାଙ୍କ ‘ଇଡିତାଲ’ ଚିତ୍ର ନିମନ୍ତେ ଆବେଦନ କରାଯାଇଥିଲା । ଏବେ ଏହା ଜିଆଇ ଟ୍ୟାଗ ଦୌଡରେ ରହିଛି । ଜିଆଇ ଟ୍ୟାଗ ମାନ୍ୟତା ନେଇ କେନ୍ଦ୍ର ସରକାରଙ୍କ ଜିଆଇ ଟ୍ୟାଗ ଜୋନାଲ ମାଧ୍ୟମରେ ‘କପଡାଗୁନ୍ଦା’ ଏବଂ ‘ଇଡିତାଲ’ ଚିତ୍ରକୁ ନେଇ କାହାର କିଛି ଅଭିଯୋଗ ଥାଏ ତାହାହେଲେ ଅଭିଯୋଗ ପାତ୍ର ଦାଖଲ ପାଇଁ ବିଜ୍ଞାପନ ପ୍ରକାଶିତ ହୋଇଛି । ‘କପଡାଗୁନ୍ଦା ’ ଶାଲର ଅନ୍ତର୍ଜାତୀୟ ବଜାରରେ ବେଶ ଚାହିଦା ରହିଛି । ଇଡିତାଲ ଚିତ୍ର ମଧ୍ୟ ବିଶ୍ୱସ୍ତରରେ ପ୍ରସିଦ୍ଧ ଲାଭ କରିଛି । ତେବେ ଉଭୟ ଲାଞ୍ଜିଆ ସଉରା ଏବଂ ଡ଼ଙ୍ଗରିଆ କାନ୍ଧ ଭଳି ଆଦିମ ଜନଜାତି ଜିଆଇ ଟ୍ୟାଗ ପାଇଁ ଦୀର୍ଘବର୍ଷ ଧରି ଦାବି କରି ଆସୁଥିଲା । ବର୍ତ୍ତମାନ ଚେନ୍ନାଇ ଭିତ୍ତିକ ଭଗୌଳିକ ସୂଚକାଙ୍କ ରେଜିଷ୍ଟ୍ରି ଜିଆଇ ପଞ୍ଜିକରଣ ପାଇଁ ଜାତୀୟ ସଂସ୍ଥା ନିକଟରେ ଓଡିଶାର ନୟାଗଡର କଂଟେଇମୁଣ୍ଡି ବାଇଗଣ, କୋରାପୁଟର କଳାଜୀରା, ରାୟଗଡାର ‘କପଡାଗୁନ୍ଦା ’ ଏବଂ ‘ଇଡିତାଲ’ ସମେତ ୭ଟି ଉତ୍ପାଦ ପାଇଁ ବିଜ୍ଞାପନ ଜାରି କରିଛି । ଯଦି କେହି ଏହି ୭ଟି ଉତ୍ପାଦକୁ ବିରୋଧ ନ କରନ୍ତି ତେବେ ଏଗୁଡିକ ଜିଆଇ ମାନ୍ୟତା ପାଇବ ।

ସମସ୍ତ ଉତ୍ପାଦଗୁଡିକ ଖାଦ୍ୟ, ହସ୍ତତନ୍ତ ଏବଂ କୃଷି ବିଭାଗ ‌ଅଧିନରେ ଅନ୍ତର୍ଭୁକ୍ତ ଥିବା ଜଣାପଡିଛି । ତେବେ ଜିଆଇ ଟ୍ୟାଗ ମାନ୍ୟତା ମିଳିବା ପାଇଁ ଆହୁରି 4ରୁ5 ସମୟ ନେଇପାରେ ବୋଲି ଜଣାପଡିଥିବା ବେଳେ ଏଥି ପୂର୍ବରୁ ଜିଆଇ ରେଜିଷ୍ଟ୍ରର ବିଶେଷଜ୍ଞ ଗୋଷ୍ଠୀ ଆବେଦନକାରୀଙ୍କୁ ରାଜ୍ୟ ତଥା ଦେଶର ଅନ୍ୟାନ୍ୟ ଭାଗରେ ଏଭଳି ଉତ୍ପାଦିତ ଅନନ୍ୟତା ପ୍ରତିଷ୍ଠା କରୁଥିବା ଏକ ତୁଳନାତ୍ମକ ବିଶ୍ଳେଷଣ ରିପୋର୍ଟ ଦାଖଲ କରିବାକୁ କହିଥିଲେ । ରାୟଗଡା ଜିଲ୍ଳାର ଏହି ଦୁଇଟି ସାମଗ୍ରୀକୁ ଜିଆଇ ଟ୍ୟାଗ ମିଳିବା ଖବର ପ୍ରସାରିତ ହେବା ପରେ ଜିଲ୍ଳାରେ ଖୁସିର ଲହରି ଖେଳିଯାଇଛି । ଏହାର ପ୍ରଚାର ପ୍ରସାର ସହ ବଜାରୀକରଣ ନିମନ୍ତେ ରାୟଗଡା ଜିଲ୍ଳା ପ୍ରଶାସନ ତରପରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ରାୟଗଡ଼ା ଜିଲ୍ଲାପାଳ ।