ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁର ଯେଉଁଠାରେ ଲ୍ୟାଣ୍ଡର ‘ବିକ୍ରମ ଓ ରୋଭର ‘ପ୍ରଜ୍ଞାନ’ ଅଛନ୍ତି, ସେଠାରେ ଆଜିଠାରୁ ରାତି ଆରମ୍ଭ ହେଉଛି। ତେଣୁ ତା’ ପୂର୍ବରୁ ରୋଭର ‘ପ୍ରଜ୍ଞାନ’ ତାକୁ ଦିଆଯାଇଥିବା କାର୍ଯ୍ୟ ସଂପୂର୍ଣ୍ଣ କରି ଦେଇଛି। ଏହା ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ପକ୍ଷରୁ ରୋଭର ‘ପ୍ରଜ୍ଞାନ’କୁ ସୁରକ୍ଷିତ ସ୍ଥାନରେ ରଖି ଶୁଆଇ ଦିଆଯାଇଛି।
ଇସ୍ରୋ ପକ୍ଷରୁ ଆହୁରି କୁହାଯାଇଛି ଯେ ରୋଭର ‘ପ୍ରଜ୍ଞାନ’ରେ ଥିବା ବ୍ୟାଟେରୀ ଫୁଲ୍ ଚାର୍ଜ ରହିଛି। ସେପ୍ଟେମ୍ବର ୨୨ ତାରିଖରେ ପୁଣି ସୂର୍ଯ୍ୟୋଦୟ ହେବାକୁ ଥିବା ବେଳେ ରୋଭରରେ ଥିବା ସୋଲାର ପ୍ୟାନେଲ ଆଲୋକ ଗ୍ରହଣ କରିବ ବୋଲି ଆଶା କରାଯାଉଛି। ରିସିଭରକୁ ଅନ୍ ରଖାଯାଇଛି।
ଇସ୍ରୋ ଆଶା ରଖିଛି ଯେ ପୁଣି ଯେତେବେଳେ ସୂର୍ଯ୍ୟୋଦୟ ହେବ, ସେତେବେଳେ ରୋଭର ‘ପ୍ରଜ୍ଞାନ’ ଆଉ କିଛି କାର୍ଯ୍ୟ ସଂପାଦନ କରିପାରିବ। ଯଦି ତାହା ଆଉ କିଛି କରିପାରିବ ନାହିଁ, ତା’ହେଲେ ସେଠାରେ ସବୁ ଦିନ ପାଇଁ ଭାରତର ଆମ୍ବାସାଡର (ଦୂତ) ଭାବେ ରହିବ।
୨୬ କେଜି ଓଜନ ଓ ୬ ଚକ ବିଶିଷ୍ଟ ରୋଭର ‘ପ୍ରଜ୍ଞାନ’ ଚନ୍ଦ୍ରପୃଷ୍ଠରେ ଶହେ ମିଟରରୁ ଅଧିକ ବାଟ ଗଡ଼ିବା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଯେଉଁ ସ୍ଥାନରେ ସେ ରହିଛି, ସେଠାରେ ସଲଫର ସହିତ ଆଲୁମିନିୟମ (Al), କ୍ୟାଲସିୟମ (Ca), ଫେରସ (Fe), କ୍ରୋମିୟମ (Cr), ଟିଟାନିୟମ (Ti), ମାଙ୍ଗାନିଜ (Mn), ସିଲିକନ (Si) ଓ ଅକ୍ସିଜେନ୍ (O)ର ସନ୍ଧାନ କରିଛି।