Onn 3

ବାରିପଦାରେ ଅନୁଷ୍ଠିତ ହେଲା ଜିଲ୍ଲା ସ୍ତରୀୟ ଲୋକକଳା ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର

State

ବାରିପଦା: ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତତ୍ୱାବଧାନ ରେ ଜିଲ୍ଲା ସଂସ୍କୃତି ବିଭାଗ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ମିଳିତ ଆନୁକୂଲ୍ୟରେ ଶନିବାର ଦିନ ବାରିପଦା ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ), ମୟୁରଭଞ୍ଜ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ମହାନ୍ତି ଯୋଗ ଦେଇ ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥିଙ୍କ ସହ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହି ପ୍ରଶିକ୍ଷଣ ଶିବିରକୁ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ମହାନ୍ତି କହିଥିଲେ ଯେ ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରଣୀତ ୨୭୬ ଟି ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ଲକ୍ଷ୍ୟ ଓ ଆଭିମୂଖ୍ୟକୁ ଜନସାଧାରଣ ମାନଙ୍କୁ ଅବଗତ କରାଇବା ଏବଂ ଲୋକକଳା ମାଧ୍ୟମ ରେ ଏହାର ପ୍ରଚାର ପ୍ରସାର କରାଯାଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ପ୍ରଶିକ୍ଷଣ ଶିବିରର ଦାୟିତ୍ଵ।

ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ତଥା ଏହି ଲୋକକଳା କାର୍ଯ୍ୟକ୍ରମର ଉପଦେଷ୍ଟା ଶ୍ରୀ ପ୍ରଫୁଲ୍ଲ କୁମାର ସାମନ୍ତରାୟ ରାଜ୍ୟସରକାରଙ୍କ ଏହି ପଦକ୍ଷେପର କାର୍ଯ୍ୟକାରିତା ଏବଂ ଏହି ଲୋକକଳା ମାଧ୍ୟମରେ ପ୍ରଚାର ହେବାକୁଥିବା ସରକାରୀ ଯୋଜନା ମାନଙ୍କର ନିୟମାବଳୀ ବିଷୟରେ ଅବଗତ କରାଇଥିଲେ।
ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ସମ୍ମାନନୀୟ ଅତିଥି ତଥା ରାଜ୍ୟ ଲୋକକଳା ସଂସାଧନର ସଦସ୍ୟ ଶ୍ରୀ ଜ୍ଞାନପ୍ରିୟ କାନୁନଗୋ ଓଡ଼ିଶାର ଭିନ୍ନ ଭିନ୍ନ ଲୋକକଳା ଦ୍ବାରା ସଚେତନତା ବାର୍ତ୍ତା ପ୍ରେରଣାର କୌଶଳ ଏବଂ ଓଡ଼ିଶାର ପ୍ରମୁଖ ଉନ୍ନୟନ କାର୍ଯ୍ୟ ଉପରେ ଗୁରୁତ୍ଵ ବିଷୟରେ ଆଲୋଚନା କରିଥିଲେ।

ଇତ୍ୟବସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଅନନ୍ତ ସେଠୀ ପ୍ରମୁଖ ଉପସ୍ଥିତ ରହି ମୟୂରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକ ଆସିଥିବା କଳାକାର ତଥା ସଂସାଧନ ସଭ୍ୟଙ୍କୁ ଏହି ପ୍ରଶିକ୍ଷଣ ଶିବିରର ମହତ୍ତ୍ଵ ଏବଂ ଏହାର ପ୍ରୟୋଗାତ୍ମକ କ୍ରିୟାକଳାପ ବିଷୟରେ ଅବଗତ କରାଇଥିଲେ।

ଏହି ପ୍ରଥମ ଅଧିବେଶନର ପରିସମାପ୍ତି ପରେ ଅପରାହ୍ନରେ ଦ୍ଵିତୀୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଳା ସଂସ୍କୃତି ପରିଷଦର କଳାକାର ଶ୍ରୀ ମନୋରଞ୍ଜନ ଗିରି ଏବଂ ଶ୍ରୀ ହାଡିବନ୍ଧୁ କର ପାଲା ଏବଂ ଦାସକାଠିଆ ମାଧ୍ୟମରେ ସରକାରଙ୍କର ବିଭିନ୍ନ ପ୍ରକାର ଲୋକାଭିମୁଖୀ ଯୋଜନା ବିଷୟରେ ନାଟକ ଓ ଅଭିନୟ ମାଧ୍ୟମରେ ଦର୍ଶାଇଥିଲେ।
ଏହାପରେ ତାଲିମ ଗ୍ରହଣକାରୀ ପ୍ରଶ୍ନ ଉତ୍ତର ଓ ମତାମତ ଉପସ୍ଥାପନ ଏବଂ ପରିଶେଷରେ ଉଦଯାପନୀ ଉତ୍ସବ ଓ କଳାକାରଙ୍କୁ ପ୍ରମାଣ ପତ୍ର ବଣ୍ଟନ ହୋଇଥିଲା।

ସୂଚନା ଥାଉକି, ଏହି ଲୋକକଳା କାର୍ଯ୍ୟକ୍ରମ ସମସ୍ତ ବ୍ଲକ ଏବଂ ପଞ୍ଚାୟତରେ ଆଗାମୀ ସେପ୍ଟେମ୍ବର ୧୫ ତାରିଖ ରୁ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।