Onn 3

ରାଜସ୍ଥାନରେ ଆଦିବାସୀ ଗର୍ଭବତୀ ପତ୍ନୀଙ୍କୁ ଉଲଗ୍ନ କରି ବୁଲାଇଲେ ଶାଶୁଘର ଲୋକେ

National & International

ମଣିପୁର ଲଜ୍ୟା ଘଟଣା ମନରୁ ଲିଭି ନଥିବା ବେଳେ ରାଜସ୍ଥାନରେ ପୁଣି ଦେଖାଦେଇଛି ଏମିତି ଏକ ଲଜ୍ୟାଜନକ ଘଟଣା । ଜଣେ ଆଦିବାସୀ ଗର୍ଭବତୀ ମହିଳାଙ୍କୁ ଗାଁ ଦାଣ୍ଡରେ ଉଲଗ୍ନ କରି ବୁଲାଇଛନ୍ତି ଶାଶୁଘର ଲୋକେ । ରାଜସ୍ଥାନର ପ୍ରତାପଗଡ ଜିଲ୍ଲାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏହି ଘଟଣାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟ୍ଵିଟ୍‌ କରି ନ୍ୟାୟ ଦେବାକୁ କହିଛନ୍ତି । ଦୋଷୀକୁ ଉପଯୁକ୍ତ ଦଣ୍ଡ ମିଳିବ ବୋଲି କହିଛନ୍ତି ।

ଖବର ମୁତାବକ, ରାଜସ୍ଥାନ ପ୍ରତାପଗଡରେ ବୋହୂ ଅନ୍ୟ ଏକ ଯୁବକ ସହ ପଳାଇଥିବା ଅଭିଯୋଗ କରି ବୋହୂକୁ ଗାଁ ମଝିରେ ଉଲଗ୍ନ କରି ବୁଲାଇଛନ୍ତି ଶାଶୁଘର ଲୋକେ । ଏହି ସମୟରେ ମହିଳା ଜଣକ ଚିତ୍କାର କରିଥିଲେ ମଧ୍ୟ ତାଙ୍କ ସ୍ୱାମୀ କିମ୍ବା ପରିବାର ଲୋକେ ଏଭଳି ଘଟଣା ଘଟାଇଚାଲିଥିଲେ । ଏହାକୁ କିଛି ଲୋକ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ । ଏହି ଘଟଣାର ଭିଡିଓ ଭାଇରାଲ ହେବାପରେ ପୀଡିତାଙ୍କ ସ୍ୱାମୀ ସହ ଶାଶୁଘରର ଅନ୍ୟ ୨ ଜଣଙ୍କୁ ଗିରଫ କରିଛି ପୋଲିସ ।

ପୋଲିସ ଡିଜିପି ଉମେଶ ମିଶ୍ର କହିଛନ୍ତି, ମହିଳା ଜଣକ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ରହୁଥିବା ବେଳେ ତାଙ୍କ ଶାଶୁ ତାଙ୍କୁ ଅପହରଣ କରି ନେଇ ନିଜ ଗାଁରେ ଏଭଳି ଘଟଣା ଘଟାଇଥିଲେ । ଏହି ଘଟଣା ପାଇଁ ୬ ଜଣିଆ ଟିମ୍ ଗଠନ କରାଯାଇଛି । ଘଟଣାକୁ ନେଇ ପୀଡିତାଙ୍କ ସ୍ୱାମୀ ସହ ଶାଶୁଘରର ଅନ୍ୟ ୨ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି ।

ଏହି ଘଟଣାକୁ ନେଇ ବିଜେପି ଗେହଲଟ ସରକାରଙ୍କୁ ଘେରିଛି। ଏହି ଘଟଣାରେ ବିଜେପି ନେତା ସତୀଶ ପୁନିଆ ଟ୍ୱିଟ କରି ଲେଖିଛନ୍ତି, ପ୍ରତାପଗଡ଼ରେ ଆଦିବାସୀ ମହିଳାଙ୍କ ଉପରେ ଏପରି ପାଶବିକ ଅତ୍ୟାଚାର ଘଟଣା ଦେଖି ଅନ୍ତର ଆତ୍ମା କାନ୍ଦୁଛି।