ୱାନ୍ ନେସନ, ୱାନ ଇଲେକ୍ସନ’ ବା ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସ୍ତାବ ଉପରେ ବିଚାର କରିବାକୁ ୮ ଜଣିଆ କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର। ଏହାପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏହି କମିଟିର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଥିଲା। ଏବେ କମିଟିର ସଦସ୍ୟ ଭାବେ ଆଉ ୭ ଜଣଙ୍କୁ ସାମିଲ କରାଯାଇଛି।
‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସଙ୍ଗ ସଂପର୍କିତ ସମସ୍ତ ଦିଗକୁ ଯାଞ୍ଚ କରି କମିଟି ସରକାରଙ୍କୁ ରିପୋର୍ଟ ଦେବ। କିମିଟିର ମୁଖ୍ୟ ଭାବେ ରାମନାଥ କୋବିନ୍ଦ କାର୍ଯ୍ୟ କରିବେ।
ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ସଂସଦର ସ୍ୱତନ୍ତ୍ର ଅଧିବେଶନ ବସିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିବା ବେଳେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ପ୍ରସଙ୍ଗକୁ ନେଇ କମିଟି ଗଠନ କରାଯାଇଛି। ତେଣୁ ସଂସଦର ସ୍ୱତନ୍ତ୍ର ଅଧିବେଶନରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍ ଉପସ୍ଥାପନ ହୋଇପାରେ।
ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ର ଅର୍ଥ ଲୋକସଭା ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଗୋଟିଏ ସମୟରେ ହେବ। ବିଜେପି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଅନେକ ସମୟରେ ଏହି ବିଷୟରେ କୁହାଯାଇଛି। ୨୦୧୪ ଲୋକସଭା ନିର୍ବାଚନ ବେଳେ ଏହା ବିଜେପିର ନିର୍ବାଚନୀ ଇସ୍ତାହାରରେ ମଧ୍ୟ ଥିଲା।ଆମ ଦେଶରେ ଲୋକସଭା ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଏକାବେଳେ ହେବା କିଛି ନୂଆ କଥା ନୁହେଁ। ୧୯୬୭ ମସିହା ପର୍ଯ୍ୟନ୍ତ ଲୋକସଭା ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଗୋଟିଏ ସମୟରେ ହୋଇଥିଲା। ମୋଟ ୪ ଥର ଏହିଭଳି ନିର୍ବାଚନ ହୋଇଥିଲା। ୧୯୬୮-୬୯ରୁ ଏହି ଧାରାରେ ପରିବର୍ତ୍ତନ ହେଲା। କାରଣ ସେହି ବର୍ଷ କିଛି ବିଧାନସଭାକୁ ଅବଧି ଶେଷ ହେବା ପୂର୍ବରୁ ଭାଙ୍ଗି ଦିଆଯାଇଥିଲା। ସେହିପରି ୧୯୭୧ରେ ପ୍ରଥମ ଥର ପାଇଁ ୫ ବର୍ଷ ଅବଧି ଶେଷ ହେବା ପୂର୍ବରୁ ଲୋକସଭାକୁ ଭାଙ୍ଗି ଦିଆଯାଇଥିଲା। ଆହୁରି ଏକ ବର୍ଷ କାର୍ଯ୍ୟକାଳ ଥିବା ବେଳେ ଲୋକସଭାକୁ ଭାଙ୍ଗି ନିର୍ବାଚନ କରାଯାଇଥିଲା।