Onn 3

ଶବ ସତ୍କାର କରିବାକୁ ଯାଇ ନିଜେ ପାଲଟି ଗଲେ ଶବ

State

ଆସିଲା ଅକାଳ ମୃତ୍ୟୁ । ଶ୍ମଶାନକୁ ଯାଇଥିଲେ ଶବ ସତ୍କାର ପାଇଁ କିନ୍ତୁ ନିଜେ ପାଲଟିଗଲେ ଶବ । ମୃତ୍ୟୁ ଯେ କାହା ଭାଗ୍ୟରେ କେତେବେଳେ ଆସେ ତାହା କହିବା ମୁସ୍କିଲ । ଆଉ ଜଣେ ଜୀବିତ ବ୍ୟକ୍ତି ମୃତ ବ୍ୟକ୍ତିଙ୍କ ଶବ ସତ୍କାର ପାଇଁ ଯାଇଥିବା ସମୟରେ ସେଠାରେ ନିଜେ ଶବ ପାଲଟି ଯିବା କଥା ଶୁଣିଲେ ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ । ଏମିତି ଏକ ଶବ ସତ୍କାର କରିବାକୁ ଯାଇଥିବା ସମୟରେ ଜଣେ ବ୍ୟକ୍ତି ନିଜେ ଶବ ପାଲଟି ଯାଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ଝରିଗାଁ ଅଂଚଳରେ ଦେଖିବାକୁ ମିଳିଛି । ଯୁବକଙ୍କ ହଠାତ ଏପରି ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଛି । କାହିଁକି ଏପରି ସମସ୍ତଙ୍କୁ ଏକା କରି ଚାଲିଗଲେ ସେ । କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ ଦାଣ୍ଡ । ଶବ ନେଇ ଯାଇଥିଲେ ସତ୍କାର ପାଇଁ କିନ୍ତୁ ତାଙ୍କ ସହ ଏପରି ହେବ କେହି ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ ।

ସୂଚନା ଅନୁସାରେ ଝରିଗାଁ ରେ ବାସ କରୁଥିବା ସ୍ୱର୍ଗତ କମଳ ଲୋଚନ ନାୟକଙ୍କ ପତ୍ନୀ ସୁଲୋଚନା ନାୟକଙ୍କ ବୟସ୍କ ଓ ପକ୍ଷପାତ କାରଣରୁ ଗତ ରାତିରେ ନବରଙ୍ଗପୁର ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ସୁଲୋଚନାଙ୍କ ଶବକୁ ଝରିଗାଁ ଅଣାଯାଇଥିଲା ଏବଂ ସକାଳ ୯ଟା ସମୟରେ ସୁଲୋଚନାଙ୍କ ଶବ ସତ୍କାର ପାଇଁ ସ୍ଥାନୀୟ ଶ୍ମଶାନକୁ ନିଆ ଯାଇଥିଲା । ସମସ୍ତଙ୍କ ଭଳି ସୁଲୋଚନାଙ୍କ ଜଣେ ସମ୍ପର୍କୀୟ ନାତି ରଇନୁ ନାୟକ ମଧ୍ୟ ଶବ ସତ୍କାର ପାଇଁ ଶ୍ମଶାନକୁ ଯାଇଥିଲେ । ସେଠାରେ ସେ ଶବ ସତ୍କାର କାମରେ ସାହାଯ୍ୟ ବି କରିଥିଲେ । ଖୁଣ୍ଟ ପୋତିବା ପାଇଁ ଗାତ ଖୋଲିବା ଠାରୁ ଆରମ୍ଭ କରି ଯୁଇରେ କାଠ ସଜାଡ଼ିବା ଯାଏଁ ସବୁ କାମ କରିଥିଲେ ରଇନୁ । କିନ୍ତୁ ଏସବୁ କାମ କରୁଥିବା ସମୟରେ ସେ ହାଲିଆ ହୋଇ ବସି ପଡ଼ିଥିଲେ । ପରେ ହଠାତ ସେ ସେଠାରେ ମୂର୍ଚ୍ଛା ହୋଇ ଯାଇଥିଲେ । ପରେ ତାଙ୍କୁ ୧୦୮ରେ ଝରିଗାଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଶ୍ମଶାନରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା ବୋଲି ଡାକ୍ତର ସୂଚନା ଦେଇଛନ୍ତି । ରଇନୁଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରାଯିବ ।

ଝରିଗାଁ ରେ ଏମିତି ଘଟଣା ପ୍ରଥମ ହୋଇଥିବାରୁ ଏହି ଘଟଣା ପରେ ଝରିଗାଁ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ମୃତ୍ୟୁକୁ ନେଇ ସମସ୍ତେ ସ୍ତବ୍ଧ ହୋଇଛନ୍ତି । ତେବେ ମୃତ୍ୟୁର କିଛି ସମୟ ନଥାଏ ତାହା ଏହି ଘଟଣାରୁ ପ୍ରମାଣିତ ହୋଇଯାଇଛି । ମୃତ୍ୟୁ କେତେବେଳେ ଯେ ଆସି ମଣିଷକୁ ନିଜ ଆଡ଼କୁ ନେଇଯିବ ତାହା କେହି କହି ପାରିବେ ନାହିଁ ।