Onn 3

ଜନବସତି ଅଂଚଳରେ ବେଆଇନ ଇଟାଭାଟି, ଜରିମାନାରେ ସୀମିତ କାର୍ଯ୍ୟାନୁଷ୍ଠାନ

State

ଆଗରପଡ଼ା :ସରକାର ପରିବେଶକୁ ପ୍ରଦ୍ୟୂଷଣ ମୁକ୍ତ କରିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ ଏହା ସଫଳ ହୋଇପାରୁ ନାହିଁ । ଯେପରିକି ଇଟା ଭାଟି ପୋଡ଼ି ଯୋଗୁଁ ବାୟୁମଣ୍ଡଳ ପ୍ରଦ୍ୟୂଷଣ ହେବା ସହ ଜଙ୍ଗଲ ଧ୍ୱଂସ ହେଉଥିବା ବେଳେ ସରକାର ଏଥିପ୍ରତି ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନଥିବାରୁ ଏହା ବର୍ତ୍ତମାନ ଏକ ବ୍ୟବସାୟରେ ପରିଣତ ହେଲାଣି । ବନ୍ତ ତହସିଲ ଅଧିନରେ ଥିବା ୨୫ଟି ପଞ୍ଚାୟତ ମଧ୍ୟରୁ ଏବେବି ମୁଖ୍ୟତଃ ଆଗରପଡ଼ା ଓ ତାର ଆଖପାଖ ଅଞ୍ଚଳ ଯଥା:-କାଣ୍ଡବା ,ମହାନ୍ତିପଡ଼ା, ସାହୁପଡ଼ା, ଗୋପିନାଥପୁର, ଅଣିଜୋ ଆଦି ସାଳନ୍ଦି ନଦୀ କୂଳ ଗ୍ରାମର କୋଣ ଅନୁକୋଣରେ ଶହ ଶହ ବେଆଇନ ଇଟାଭାଟି ପୋଡ଼ା ଯାଉଥିବା ଦେଖିବାକୁ ମିଳୁଛି । ତହସିଲଦାର ଓ ତାଙ୍କ କର୍ମଚାରୀ ଏହି ବିଷୟରେ ଅବଗତ ଥାଇ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଓ ପରୋକ୍ଷରେ ଇଟାଭାଟି ମାଲିକଙ୍କୁ ସହଯୋଗ କରୁଥିବାର ଅଭିଯୋଗ ହେଉଛି ।

କେବଳ ହାତ ଗଣତି କେତେକ ଇଟାଭାଟି ମାଲିକଙ୍କ ଠାରୁ ରୟାଲଟି ଓ ଜୋରିମାନା ଆଦାୟ କରି ପ୍ରଶାସନିକ ଅଧିକାରୀମାନେ ସେମାନଙ୍କର କର୍ତ୍ତବ୍ୟ ସଂପାଦନ କରୁଛନ୍ତି । ପ୍ରଶାସନ ପକ୍ଷରୁ ଚିମିନି ଭାଟି ଗୁଡ଼ିକୁ ବାର୍ଷିକ ଲିଜ ସୂତ୍ରରେ ଲାଇସେନ୍ସ ପ୍ରଦାନ କରାଯାଉଥିବା ବେଳେ ଏହି ସାଧାରଣ ଇଟାଭାଟି ପାଇଁ କୈାଣସି ସୁବିଧା ନାହିଁ । କେବଳ ରୟାଲଟି ଓ ଫାଇନ ଆଦାୟ ବ୍ୟବସ୍ଥାରେ ଶହ ଶହ ଇଟାଭାଟି ପୋଡ଼ା ଚାଲିଛି । ଏହି ଫାଇନ ବ୍ୟବସ୍ଥା ପୁଣି କେତେକ ହାତଗଣତି ମାଲିକଙ୍କ କ୍ଷେତ୍ରରେ ଲାଗୁ ହୋଇଥିବା ବେଳେ ଅନେକ ଇଟା ମାଫିଆମାନେ ଲକ୍ଷ ଲକ୍ଷ ଇଟା ପୋଡ଼ି ଚାଲିଥିଲେ ମଧ୍ୟ ଇଟା ମାଫିଆ ଓ କିଛି ପ୍ରଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ତାହା ସରକାରୀ ରେକର୍ଡ଼ ଭୁକ୍ତ ହେଉନଥିବା ଅଭିଯୋଗ ହେଉଛି । ଯାହା ଫଳରେ କିଛି ପ୍ରଶାସନିକ ଅଧିକାରୀ ଓ ଇଟା ମାଫିଆମାନେ ଏହି ବ୍ୟବସ୍ଥାକୁ ଆପଣାଇ ମାଲେମାଲ ହେଉଥିବାର ଚର୍ଚ୍ଚା ହେଉଛି । ଅପର ପକ୍ଷରେ ନଦୀ ପଠାରୁ ମାଟି ଖନନ କରାଯାଇ ଏଥିରେ ବ୍ୟବହୃତ ହେଉଛି ଯଦ୍ୱାରା ନଦୀ କୁଳ ଖାଇ ଗ୍ରାମାଭିମୁଖୀ ହେବାଯୋଗୁଁ ନଦୀ କୁଳିଆ ଗ୍ରାମକୁ ବିପଦ ସୃଷ୍ଟି କରୁଛି । ଏଥିପ୍ରତି ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି ।