Onn 3

ଶ୍ରେଣୀ ଗୃହକୁ ନେଇ ଚିନ୍ତାରେ ଅଭିିଭାବକ, ୫ ଶ୍ରେଣୀକୁ ୨କୋଠରୀ

State

୫୧ବର୍ଷ ପରେବି ଅବହେଳିତ ପ୍ରାଥମିକ ବିଦ୍ୟାଳୟ

ଆଗରପଡ଼ା:ସରକାର ପ୍ରାଥମିକ ଶିକ୍ଷାକୁ ସୁଦୃଢ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରିବା ସହ ବିଦ୍ୟାଳୟରେ ପିଲାଙ୍କ ଉପସ୍ଥାନ ସଂଖ୍ୟାକୁ ଦେଖି ବିଦ୍ୟାଳୟ ଗୁଡ଼ିକୁ ବନ୍ଦ କରିବା ଓ ପାଖ ବିଦ୍ୟାଳୟ ସହ ମିଶ୍ରଣ ମଧ୍ୟ କରିଛନ୍ତି ଯାହାକି ଏକ ଉଚିତ ପଦକ୍ଷେପ କିନ୍ତ ବିଭାଗୀୟ ଅଧିକାରୀ ଯେଉଁ ବିଦ୍ୟାଳୟରେ ଆବଶ୍ୟକୀୟ ପିଲା ଅଛନ୍ତି ସେଇ ବିଦ୍ୟାଳୟ ଗୁଡ଼ିକର ଶୈକ୍ଷିକ ବାତାବରଣରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟିତ ନହେଲେ ଶିକ୍ଷାବ୍ୟବସ୍ଥାରେ ପରିବର୍ତ୍ତନ ଏକ ପ୍ରହସନରେ ପରିଣତ ହେବ ଏଥିରେ ଦ୍ୱିମତ ନାହିଁ । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କାଦବରାଙ୍ଗସ୍ଥ ସୁଆଁପଦା ପ୍ରାଥମିକ ବିଦ୍ୟାଳୟଠାରେ । ପିଲା ଅଛନ୍ତି କିନ୍ତୁ ଶ୍ରେଣୀ ଗୃହ ଓ ଶିକ୍ଷକ ଅଭାବରୁ ଏଠାରେ ଶିକ୍ଷା ଦାନରେ ଘୋର ସମସ୍ୟା ଉପୁଜୁଛି । ୧୯୭୨ ମସିହାରେ ସ୍ଥାପିତ ଏହି ପ୍ରାଥମିକ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରେ ପାଖାପାଖି୫୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ପାଂଚଟି ଶ୍ରେଣୀ ପାଇଁ ଦୁଇଟି ଗୃହ ଉର୍ଦ୍ଦିଷ୍ଟ ଥିବା ବେଳେ ୨ ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି । ଏହା ମଧ୍ୟରେ ୫୦ ବର୍ଷ ଅତିକ୍ରମ କରିଯାଇଥିଲେ ସୁଦ୍ଧା ବିଦ୍ୟାଳୟଟିର ଶୈକ୍ଷିକ ପରିବେଶରେ ଉନ୍ନତି ହୋଇପାରିନାହିଁ । ଉକ୍ତ ବିଦ୍ୟାଳୟରେ ଦୁଇଟି ଗୃହରେ ପାଂଚଟି ଶ୍ରେଣୀର ପାଠ ପଢା କିପରି ଚାଲିଛି ଏବଂ ଏଠାରେ କିପରି ଅଧ୍ୟାପନା କାର୍ଯ୍ୟ ସଂପାଦନ ହେଉଛି ସେଥିନେଇ ଅଭିଭାବକଙ୍କ ଚିନ୍ତା ବଢିଯାଇଛି ।

ଗୋଟିଏ କୋଠରୀରେ ୩ଟି ଶ୍ରେଣୀ ଓ ଅନ୍ୟ କୋଠରୀରେ ୨ଟି ଶ୍ରେଣୀର ପାଠପଢା ଚାଲିଆସୁଛି । ସ୍କୁଲଟିର ସ୍ଥାୟୀ ପାଚେରୀ ନିର୍ମାଣ ହୋଇ ନଥିବାରୁ ଓ ଏହାର ସମ୍ମୁଖ ଭାଗରେ ରାସ୍ତା ଯାଇଥିବାରୁ ଏହା ପିଲାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ସେହିପରି ସ୍କୁଲ ପରିବେଶରେ ପରିତ୍ୟକ୍ତ ଗୃହକୁ ଭାଙ୍ଗିବାର କୌଣସି ବ୍ୟବସ୍ଥା କରାଯାଉନଥିବାରୁ ଏହା ମଧ୍ୟ ପିଲାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ତେଣୁ ବିଭିନ୍ନ ସମସ୍ୟାରେ ଜର୍ଜରିତ ଉକ୍ତ ବିଦ୍ୟାଳୟ ସହିତ ଆଉ ଏକ ବିଦ୍ୟାଳୟକୁ ମିଶ୍ରଣ କରି ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ପ୍ରହସନରେ ପରିଣତ କରିବାକୁ ଯାଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟି ର ଅଭାବ ତାଙ୍କ କାର୍ଯ୍ୟ ପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ତେଣୁ ୫୧ବର୍ଷରେ ପାଦ ଥାପି ଥିବା ବିଦ୍ୟାଳୟଟିରେ ଏହିପରି ଅବ୍ୟବସ୍ଥା ଯଦି ଲାଗି ରହେ ତେବେ ଏହା ନିଶ୍ଚିନ୍ତ ଭାବେ କୋମଳମତି ଛାତ୍ରଛାତ୍ରୀଙ୍କ ଉପରେ କୁପ୍ରବାହ ପକାଇବା ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରୁଛନ୍ତି । ବିଦ୍ୟାଳୟଟିର ସମସ୍ୟା ବିଷୟରେ ପ୍ରଧାନ ଶିକ୍ଷକଙ୍କୁ ଯୋଗଯୋଗ କରିବାରୁ ସେ ବିଦ୍ୟାଳୟରେ ଲାଗିରହିଥିବା ସମସ୍ୟା ବିଷୟରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦୃଷ୍ଟି ଗୋଚର କରିବାର ସମସ୍ତ ପ୍ରୟାସ ଜାରୀ ରଖିଥିବାର ପ୍ରକାଶ କରିଥିଲେ । ଶିକ୍ଷା ବ୍ୟବସ୍ଥାରେ ଏହିପରି ପ୍ରହସନ ଆଉ କେତେ ଦିନ ବୋଲି ସାଧାରଣ ଲୋକମାନଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ସବୁ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।