Onn 3

ରାଜଧାନୀରେ ଚିହ୍ନଟ ହେଲା ଡେଙ୍ଗୁର ୨ ନୂଆ ପ୍ରଜାତିର ଭୂତାଣୁ

State

ଭୁବନେଶ୍ଵର: ରାଜଧାନୀରେ ହୁ ହୁ ହୋଇ ବଢି ଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଯାହାକୁ ନେଇ ଆତଙ୍କିତ ହୋଇପଡି଼ଛନ୍ତି ଭୁବନେଶ୍ବରବାସୀ । ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରୁ , କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ନ ଥିବାରୁ ରୋଗୀ ନାହିଁ ନ ଥିବା  ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଡେଙ୍ଗୁ ପରୀକ୍ଷା କରିବାକୁ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା  କରିବାକୁ ପଡୁଛି । ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଭୁବନେଶ୍ବରରେ ଆଉ ୨ଟି ଡେଙ୍ଗୁ ଲ୍ୟାବ ଖୋଲାଯିବାକୁ ନିଷ୍ପତ୍ତି ହୋଇଛି ବିଏମସି । ତେବେ କେବଳ ଭୁବନେଶ୍ବରରେ ନୁହେଁ,  କଟକ, ବାଲେଶ୍ୱର, ରାଉରକେଲା ଆଦି ସହରରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ମେଡିକାଲରେ ରୋଗୀଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି ।

ଏହାରି ଭିତରେ ଏକ ଚମକେଇ ଦେବା ପରି ଖବର ଦେଇଛି ସ୍ବାସ୍ଥ୍ୟ ବିଭାଗ। ସେରୋସର୍ଭିଲାନ୍ସରେ ଡେଙ୍ଗୁର ୪ ପ୍ରକାର ଭୂତାଣୁ ସାଧାରଣତଃ ଦେଖିବାକୁ ମିଳିଥାଏ । ଏବେ ରାଜ୍ୟର ୭୦ ପ୍ରତିଶତ ନମୁନାରେ ଡେଙ୍ଗୁ -୨ (ଡିଇଏନ୍‌ଭି-୨) ଚିହ୍ନଟ ହୋଇଥିବା  ଜଣାପଡ଼ିଛି । ସେହିପରି ,୨୮ ପ୍ରତିଶତ ନମୁନାରେ ଡେଙ୍ଗୁ-୧,ଗୋଟିଏ ନମୁନାରେ ଡେଙ୍ଗୁ-୩ ଓ ଦୁଇଟି ନମୁନାରେ କୋ-ଇନ୍ଫେକ୍ସନ ଚିହ୍ନଟ ହୋଇଛି । ତେବେ କେଉଁ ଭାରିଆଣ୍ଟ ଭୂତାଣୁ ରୋଗୀଙ୍କୁ ଅଧିକ ଗୁରୁତର କରୁଛି, ତାହା ଜାଣିବା ଲାଗି ଆରଏମଆରସି ପକ୍ଷରୁ ହସ୍ପିଟାଲରେ ଚିକିତ୍ସାଧୀନ ଡେଙ୍ଗୁ ରୋଗୀଙ୍କ ନମୁନାର ସିରୋଟାଇପିଂ କରାଯାଉଛି ।

ରାଜ୍ୟରେ ଡେଙ୍ଗୁ ସ୍ଥିତି ସଙ୍ଗୀନ ରହିଛି । ସେପଟେ ସିଲଭଲ ସିଟି କଥା ତ ନ କହିବା ଭଲ । ସିଡିଏ ଅଞ୍ଚଳ ପାଲଟିଛି ଡେଙ୍ଗୁର ହଟସ୍ପଟ । ଦିନକୁ ଦିନ ରାଜ୍ୟରେ ଡେଙ୍ଗୁ ସ୍ଥିତି ଖରାପ ହେବାରେ ଲାଗିଛି । କହିବାକୁ ଗଲେ ଘରେ ଘରେ ଏବେ ଡେଙ୍ଗୁ ରୋଗୀ ମଧ୍ୟ ଥିବା ଦେଖିବାକୁ ମିଳିଛି । ଖୋର୍ଦ୍ଧା ଜିଲ୍ଲାରେ ସବୁଠୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୩୪୯ ରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଥିବା ବେଳେ ଜଗତସିଂହପୁରରୁ ୧୬୪ ଡେଙ୍ଗୁ ପଜିଟିଭି ଚିହ୍ନଟ ହୋଇଛନ୍ତି । ସେହି କ୍ରମରେ,କଟକରୁ ୧୯୯ ଓ  ପୁରୀରୁ ୨୮୨ ଓ ବାଲେଶ୍ୱରରୁ ୨୪୯ ରୋଗୀ ଚିହ୍ନଟ ହୋଇଛନ୍ତି।