ମସ୍କୋ: କ୍ରେମ୍ଲିନ୍ ଆଦେଶକ୍ରମେ ‘ୱାଗ୍ନର୍’ ମୁଖ୍ୟ ୟେଭ୍ଗେନି ପ୍ରିଗୋଜିନ୍ଙ୍କୁ ହତ୍ୟା କରାଯାଇଛି ବୋଲି ପାଶ୍ଚାତ୍ୟ ରାଷ୍ଟ୍ର କରୁଥିବା ଦାବି ‘ଡାହା ମିଛ’ ବୋଲି ଶୁକ୍ରବାର ଦିନ ରୁଷ୍ କହିଛି। କିନ୍ତୁ, ପ୍ରିଗୋଜିନ୍ଙ୍କ ମୃତ୍ୟୁର କାରଣ ବିଷୟରେ କିଛି ସୁନିଶ୍ଚିତ ନ କରି ରୁଷ୍ କହିଛି ଯେ, ସେ ସଂକ୍ରାନ୍ତରେ ଚାଲିଥିବା ପରୀକ୍ଷା ଫଳାଫଳକୁ ଅପେକ୍ଷା କରାଯାଇଛି।
କ୍ରେମ୍ଲିନ୍ ମୁଖପାତ୍ର ଡିମିତ୍ରି ପେସ୍କୋଭ୍ କହିଛନ୍ତି, ଯାହା ସବୁ ଅଭିଯୋଗ କରାଯାଉଛି ସେ ସବୁ ମିଥ୍ୟା। ସାମ୍ବାଦିକମାନଙ୍କୁ ସେ କହିଛନ୍ତି, ବିମାନ ଦୁର୍ଘଟଣା ଓ ସେଥିରେ ଥିବା ୟେଭ୍ଜେନି ପ୍ରିଗୋଜିନ୍ଙ୍କ ସମେତ ଅନ୍ୟ ଯାତ୍ରୀମାନଙ୍କର ଦୁଃଖଦ ମୃତ୍ୟୁକୁ ନେଇ ନାନା ଧରଣର କଳ୍ପନାଜଳ୍ପନା ଚାଲିଛି। ଅବଶ୍ୟ ଏକ ନିର୍ଦ୍ଦିଷ୍ଟ ଦୃଷ୍ଟିକୋଣ ନେଇ ପାଶ୍ଚାତ୍ୟରୁ ହିଁ ଏହି କଳ୍ପନାଜଳ୍ପନା ଉପସ୍ଥାପନ କରାଯାଉଛି। ଏ ସବୁ ଡାହା ମିଛ। ତେଣୁ, ଏ ବିଷୟରେ ରିପୋର୍ଟ କରିବା ବେଳେ ଆପଣମାନେ ପ୍ରକୃତ ତଥ୍ୟ ଜାଣିବା କଥା। କିନ୍ତୁ, ଏପର୍ଯ୍ୟନ୍ତ ବିଶେଷ କିଛି ତଥ୍ୟ ମିଳିନାହିଁ। ତଦନ୍ତ ପରେ ହିଁ ସବୁ ଜଣାପଡ଼ିବ ବୋଲି ସେ କହିଛନ୍ତି।