Onn 3

ଖୋର୍ଦ୍ଧା-ଚଣ୍ଡିଖୋଲ ମଧ୍ୟରେ ଥିବା ବ୍ଲାକସ୍ପଟର ମରାମତି ପାଇଁ ଏନଏଚଆଇକୁ ରାଜ୍ୟ ସରକାରଙ୍କ ନିବେଦନ

State

ଭୁବନେଶ୍ୱର : ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଉଦବେଗଜନକ ଭାବେ ବୃଦ୍ଧି ପାଇଛି। ଏହାକୁ ନେଇ ବାରମ୍ବାର ଅଭିଯୋଗ ପାଇବା ସହିତ ଏହି ରାସ୍ତା ଦେଇ ଯାଉଥିବା ଯାତ୍ରୀ ଅସନ୍ତୋଷ ପ୍ରକାଶ କରିବା ପରେ ଜାତୀୟ ରାଜପଥ କଡ଼ରେ ଚିହ୍ନଟ ହୋଇଥିବା ବ୍ଲାକ୍ ସ୍ପଟ୍ ଗୁଡ଼ିକୁ ତୁରନ୍ତ ସୁଧାରିବା ସହ ଜବରଦଖଲ ଉଚ୍ଛେଦ କରିବା ପାଇଁ ରାଜ୍ୟ ସରକାର ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ନିବେଦନ କରିଛନ୍ତି।

ସୂତ୍ରରୁ ପ୍ରକାଶ ଯେ ଖୋର୍ଦ୍ଧା ଠାରୁ ଚଣ୍ଡିଖୋଲ ଯାଏ ଲମ୍ବିଥିବା ଜାତୀୟ ରାଜପଥ-୧୬ର ୯୦ କିଲୋମିଟର ଅଞ୍ଚଳ ରାଜ୍ୟର ଅନ୍ୟତମ ଦୁର୍ଘଟଣା ପ୍ରବଣ ଅଞ୍ଚଳ ଭାବେ ପରିଗଣିତ ହେଉଛି। ଆଶ୍ଚର୍ଯ୍ଯର କଥା ହେଉଛି, ମୋଟ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟାର ଏହା ପ୍ରାୟ ୧୨ ପ୍ରତିଶତ।

ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲାକୁ ନେଇ ଗଠିତ ଏହି ରାସ୍ତାରେ ୩୬ଟି ବ୍ଲାକ୍ ସ୍ପଟ୍ ରହିଥିବା ପରିସଂଖ୍ୟାନରୁ ଜଣାପଡ଼ିଛି। ବର୍ଦ୍ଧିତ ମୃତ୍ୟୁହାରକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ବିଭାଗ ଏନ୍ଏଚ୍ଏଆଇକୁ ଭେଟି ବ୍ଲାକ୍ ସ୍ପଟ୍ଗୁଡ଼ିକର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ ଏବଂ ସମ୍ପୂର୍ଣ୍ଣ ସଂଶୋଧନ ପ୍ରକ୍ରିୟା ଉପରେ ସତର୍କ ଦୃଷ୍ଟି ରଖିବାକୁ ଅନୁରୋଧ କରିଛନ୍ତି।

କ୍ରମାଗତ ଭାବେ ଅବହେଳିତ ହେଉଥିବା ବ୍ଲାକସ୍ପଟକୁ ନେଇ ଉଦବେଗ ପ୍ରକାଶ କରି ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ ଜାତୀୟ ରାଜପଥ ପ୍ରାଧିକରଣର ମୁଖ୍ୟ ମହାପ୍ରବନ୍ଧକଙ୍କୁ ବିଧିବଦ୍ଧ ଭାବେ ଚିଠି ପଠାଇଛନ୍ତି।