ନୂଆଦିଲ୍ଲୀ: ଜହ୍ନରେ ଯେଉଁ ସ୍ଥାନରେ ଚନ୍ଦ୍ରଯାନ ତାର ପ୍ରଥମ ପାଦ ରଖିଥିଲା ତାର ନାମକରଣ କରାଯାଇଛି । ନାମକରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ସ୍ଥାନର ନାମ ଶିବଶକ୍ତି ରଖାଗଲା ବୋଲି ପ୍ରଧାନମନ୍ତ୍ରୀ ନିଜେ ଘୋଷଣା କରିଛନ୍ତି ।
ଏହି ଅବସରରେ ବୈଜ୍ଞାନିକମାନଙ୍କୁ ମୋଦି କହିଥିଲେ, କୌଣସି ବିଫଳତା କେବେ ଶେଷ ନୁହେଁ। ତେଣୁ ଯେଉଁଠି ଚନ୍ଦ୍ରଯାନ-୨ ତାର ପାଦଚିହ୍ନ ରଖିଥିଲା ତାର ନାମ ଆଜିଠାରୁ ତ୍ରିରଙ୍ଗା ପଏଣ୍ଟ ରହିବ । ସେହିପରି ଚନ୍ଦ୍ରଯାନ ୩ ଯେଉଁଠି ପାଦ ରଖିବ ତାହାର ନାମ ଶିବ ଶକ୍ତି ରହିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ, ଏହି ତ୍ରିରଙ୍ଗା ପଏଣ୍ଟ ଭାରତର ପ୍ରତ୍ୟେକ ଚେଷ୍ଟାର ପ୍ରେରଣା ହୋଇ ରହିବ । ଏହି ତ୍ରିରଙ୍ଗା ପଏଣ୍ଟ ଆମକୁ ସବୁବେଳେ ମନେ ପକେଇଦେବ ଯେ କୌଣସି ବିଫଳତା କେବେ ଲକ୍ଷ୍ୟର ଶେଷ ନୁହେଁ । ମୋଦି କହିଛନ୍ତି, ଆମେ ସେହି ଜାଗାରେ ପହଞ୍ଚିଛେ ଯେଉଁଠି କେହି ପହଞ୍ଚି ନାହାନ୍ତି । ଆମେ ଏମିତି କାମ କରିଛୁ ଯାହା କେହି କେବେ କରି ନାହାନ୍ତି ।
ପ୍ରଧାନମନ୍ତ୍ରୀ ଭାବପ୍ରବଣ ହୋଇ କହିଛନ୍ତି, ମୋ ଆଖି ସାମ୍ନାରେ ୨୩ ଅଗଷ୍ଟର ସେହି ଦିନ ସେଇ ଗୋଟିଏ ଗୋଟିଏ ସେକେଣ୍ଡ ବାରମ୍ବାର ନାଚି ଯାଉଛି । ଯେତେବେଳେ ଚନ୍ଦ୍ରଯାନ ଭୂପୃଷ୍ଠ ଛୁଇଁବା ନିଶ୍ଚିତ ହେଲା ସେତେବେଳେ ଇସ୍ରୋ ସେଣ୍ଟରରେ, ପୁରା ଦେଶରେ ଲୋକ ଯେମିତି ଖୁସିରେ ନାଚି ଉଠୁଥିଲେ ସେ ଦୃଶ୍ୟ କ’ଣ କେହି କେବେ ଭୁଲିପାରେ ! କିିଛି ସ୍ମୃତି ଅମର ହୋଇ ରହଯାଏ । ଏହି ମୁହୂର୍ତ୍ତ ବି ଅମର ହୋଇ ରହିଗଲା ।