Onn 3

ଜାଲ୍ ଶିକ୍ଷକଙ୍କ ଗୁମର ଫିଟୁଛି, ଜାଲ୍ ପ୍ରମାଣପତ୍ରରେ କବଳିତ ବନ୍ତ ବ୍ଲକ, ଯାଂଚ ପ୍ରକ୍ରିୟାକୁ ନେଇ ପ୍ରଶ୍ନବାଚୀ

State

ଆଗରପଡ଼ା: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଶିକ୍ଷା ବିଭାଗରେ ଜାଲ୍ ବିଇଡ଼ି ପ୍ରମାଣପତ୍ର ଦେଇ ବର୍ଷ ବର୍ଷ ଧରି ଚାକିରି କରି ଆସୁଥିବା ଶିକ୍ଷକଙ୍କ ଜାଲିଆତିର ପର୍ଦା ଫାସକୁ ମାସେ ନପୁରୁଣୁ ବନ୍ତ ବ୍ଲକରେ ଜାଲ୍ ବିଇଡ଼ି ପ୍ରମାଣପତ୍ରରେ ଚାକିରି କରୁଥିବା ଘଟଣା ସାମ୍ନାକୁ ଆସିଥିବା ଜଣାପଡ଼ିଛି । ବନ୍ତ ବ୍ଲକ ଶିକ୍ଷାବିଭାଗ ଅର୍ନ୍ତଗତ ଓଡ଼ଙ୍ଗ କ୍ଲଷ୍ଟର ଅଧୀନ ଏଲଏନ ବାଳିକା ଉଚ୍ଚ ବିଦ୍ୟାଳୟ,ଗୋପାଳପୁର ଠାରେ ଏହିପରି ଘଟଣା ଘଟିଛି । କିଛି ମାସ ତଳେ କେତେ ଶିକ୍ଷକ ଜାଲ ପ୍ରମାଣ ପତ୍ର ଦେଇ ଶିକ୍ଷକତା କରୁଛନ୍ତି ତାକୁ ନେଇ ରାଜ୍ୟ ସାରା ଚର୍ଚ୍ଚା ଜୋର ଧରିଥିଲା । ଏହି ପରିପ୍ରେକ୍ଷିରେ ସରକାର ପ୍ରମାଣପତ୍ରର କଡ଼ାକଡ଼ି ଯାଂଚ ମଧ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯାଂଚ ପ୍ରକ୍ରିୟା ସରିବାକୁ ଇତି ମଧ୍ୟରେ ବହୁଦିନ ବିତି ଯାଇଥିଲେ ସୁଦ୍ଧା ଭଦ୍ରକ ଜିଲ୍ଳାରେ କେତେ ଶିକ୍ଷକ ଜାଲ ପ୍ରମାଣପତ୍ରଧାରୀ ତାହା ବିଭାଗର ନାଲି ଫିତା ତଳେ ବନ୍ଧା ହୋଇ ରହି ଯାଇଥିବା ଜଣାପଡ଼ିଛି । ସୂଚନା ଅଧିକାର କର୍ମୀ ବିକାଶ ଧଳଙ୍କ ସୂଚନା ଅନୁଯାୟୀ;ବନ୍ତ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ବିଇଡ଼ି ପ୍ରମାଣ ପତ୍ର ଦେଇ ଚାକିରି କରୁଥିବା ଶିକ୍ଷକଙ୍କ ପ୍ରମାଣପତ୍ରକୁ ସୂଚନା ଅଧିକାର ଆଇନ ବଳରେ ବିଭାଗୀୟ ଅଧିକାରୀଙ୍କ ଠାରୁ ପ୍ରାପ୍ତ କରିବା ପରେ ଉକ୍ତ ପ୍ରମାଣ ପତ୍ରର ଯାଂଚ ପାଇଁ ସେ ଉତ୍କଳ ବିଶ୍ୱବିଦ୍ୟାଳୟ ,ବାଣୀବିହାର, ଭୁବନେଶ୍ୱରକୁ ପଠାଇଥିଲେ ।

ଏହି ପରିପ୍ରେକ୍ଷିରେ ଶ୍ରୀ ଧଳ ବନ୍ତ ବ୍ଲକ ଓଡ଼ଙ୍ଗ କ୍ଲଷ୍ଟର ଅଧୀନ ଏଲଏନ ବାଳିକା ଉଚ୍ଚ ବିଦ୍ୟାଳୟ,ଗୋପାଳପୁରରେ ଶିକ୍ଷକତା କରୁଥିବା ଶିକ୍ଷୟିତ୍ରୀ ଭାନୁମତୀ ମିଶ୍ରଙ୍କ ବିଇଡ଼ି ପ୍ରମାଣପତ୍ରକୁ ମଧ୍ୟ ସୂଚନା ଅଧିକାର ଆଇନ ବଳରେ ଯାଂଚ ପାଇଁ ପଠାଇଥିଲେ । ପରେ ଉତ୍କଳ ବିଶ୍ୱବିଦ୍ୟାଳୟ କଣ୍ଟ୍ରୋଲର ଅଫ ଏକ୍ସାମିନରଙ୍କ ପକ୍ଷରୁ ସେ ଚାକିରି ସମୟରେ ଦେଇଥିବା ବିଇଡ଼ି ପ୍ରମାଣପତ୍ରଟି ଜାଲ୍ ବୋଲି ସୂଚନା ତାଙ୍କ କାର୍ଯ୍ୟାଳୟ ଚିଠିରେ ଶ୍ରୀ ଧଳଙ୍କୁ ପ୍ରଦାନ କରାଯାଇଥିଲା । ଏହା ଜାଣିବା ପରେ ଶ୍ରୀ ଧଳ ଏହାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦୃଷ୍ଟିକୁ ଆଣିଥିବା ଜଣାପଡ଼ିଛି । ଜିଲ୍ଲା ଶିକ୍ଷାଧିକାରୀ ଜାଲ୍ ପ୍ରମାଣପତ୍ର ଦେଇ ଚାକିରି କରୁଥିବା ଉକ୍ତ ଶିକ୍ଷୟିତ୍ରୀଙ୍କ ପ୍ରତି କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବା ବାକି ରହିଲା । ଏଠାରେ ପ୍ରକାଶ ଥାଉକି ୧୯୯୬ ମସିହାରେ ପ୍ରତିଷ୍ଠିତ ଉକ୍ତ ହାଇସ୍ଖୁଲଟି ବ୍ଲକ ଗ୍ରାଣ୍ଡ ହାଇସ୍କୁଲ ହୋଇଥିବା ବେଳେ ବର୍ଷ ୨୦୦୪-୦୫ରେ ସରକାରୀ ସ୍ୱିକୃତି ପ୍ରାପ୍ତ କରିଥିଲା । କେବଳ ଏଲଏନ ଡାଇସ୍କୁଲ ନୁହେଁ ବନ୍ତ ବ୍ଲକରେ ଏହିପରି ଅନେକ ବ୍ଳକ ଗ୍ରାଣ୍ଡ ସ୍କୁଲ ଅଛି ଯେଉଁ ଠାରେ ଏବେବି ବହୁ ଶିକ୍ଷକ ବିଭିନ୍ନ ଅସଦ ଉପାୟରେ ଶିକ୍ଷାଗତ ଯୋଗ୍ୟତା ହାସଲ କରି ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଦେଇ ଚାକିରି କରି ସରକାରଙ୍କ ଅର୍ଥ ହଡ଼ପ କରୁଥିବା ସୂଚନା ମିଳିଛି । ବିଭାଗୀୟ ଅଧିକାରୀ ଯାଂଚ ପ୍ରକ୍ରିୟା କଡ଼ାକଡ଼ି କଲେ ଏହାର ସତ୍ୟତା ଲୋକାଲୋଚନକୁ ଆସିପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।