Onn 3

ହୋ ଭାଷାର ସାମ୍ବିଧାନିକ ମାନ୍ୟତା ଦାବି, ନୂଆଦିଲ୍ଲୀଠାରେ ଧାରଣାରେ ବାମନଘାଟୀରୁ ଶତାଧିକ ସାମିଲ

State

ବାରିପଦା: ଆଦିବାସୀ ହୋ ଭାଷାକୁ ସମ୍ବିଧାନର 8ମ ଅନୁଚ୍ଛେଦରେ ସାମିଲ ଦାବିରେ ନୂଆଦିଲ୍ଲୀର ଯନ୍ତ୍ରମନ୍ତରଠାରେ ଦିନିକିଆ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି l ଆଦିବାସୀ ହୋ ଯୁବ ମହାସଭାର କେନ୍ଦ୍ରୀୟ ସଭାପତି ଡାକ୍ତର ବାବୁଲୁ ଶୁଣ୍ଡି ଏବଂ ଅଖିଳ ଭାରତ ହୋ ଭାଷା କ୍ରିୟାନୁଷ୍ଠାନ କମିଟିର କେନ୍ଦ୍ରୀୟ ସଭାପତି ରାମରାୟ ମୁନ୍ଦୁୟାଙ୍କ ନେତୃତ୍ୱରେ ଅନୁଷ୍ଠିତ ଉକ୍ତ ଧାରଣା ପ୍ରଦର୍ଶନରେ ଲୋକସଭା ସାଂସଦ ଗୀତା କୋଡ଼ା, ଝାରଖଣ୍ଡର ଜଗନ୍ନାଥପୁର ବିଧାୟକ ସୁନାରାମ ସିଙ୍କୁ, ହୋ ସମାଜ ଯୁବ ମହାସଭାର ପୂର୍ବତନ ସଭାପତି ଭୂଷଣ ପାଟପିଙ୍ଗୁଆ, ଆଦି ସଂସ୍କୃତି ଓ ବିଜ୍ଞାନ ସଂସ୍ଥାନର କେନ୍ଦ୍ରୀୟ ସଭାପତି ଦାମୋଦର ସିଂ ହାଁସଦା, ମୁଣ୍ଡା ମାନକି ସଂଘର କେନ୍ଦ୍ରୀୟ ସଭାପତି ଗଣେଶ ପାଟ ପିଙ୍ଗୁଆ, ବାମନଘାଟି ହୋ ସମାଜ ସମନ୍ୱୟ ସମିତିର ଆବାହକ ଜଲେନ ବାର୍ଦା ପ୍ରମୁଖ ଏଥିରେ ଯୋଗଦେଇ ହୋ ଭାଷାର ସାମ୍ବିଧାନିକ ମାନ୍ୟତାରେ ବିଳମ୍ବ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେନ୍ଦ୍ର ସରକାରକୁ ଦାୟୀ କରିଥିଲେ l

ସାରା ଭାରତରେ ବସବାସ କରୁଥିବା 40 ଲକ୍ଷରୁ ଅଧିକ ଜନସାଧାରଣ ବ୍ୟବହାର କରୁଥିବା ଭାଷାକୁ କେନ୍ଦ୍ର ସରକାର ସ୍ୱୀକୃତି ଦେବାରେ ଜାଣିଶୁଣି ବିଳମ୍ବ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ l ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ହୋ ଭାଷାକୁ ମାନ୍ୟତା ପ୍ରଦାନରେ ବିଳମ୍ବ ଘଟିଲେ କେନ୍ଦ୍ର ସରକାରଙ୍କ ନେତୃତ୍ୱ ନେଉଥିବା ଭାରତୀୟ ଜନତା ପାର୍ଟି(ଭାଜପା)କୁ ହୋ ଭାଷାଭାଷୀ ଉଚିତ ଶିକ୍ଷା ଦେବେ ବୋଲି ଚେତାବନୀ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଜଲେନ ବାର୍ଦା ଓ ବାବୁଲୁ ପୂର୍ତ୍ତିଙ୍କ ନେତୃତ୍ୱରେ ଶତାଧିକ ଭାଷାପ୍ରେମୀମାନେ ଯୋଗ ଦେଇ ଥିବାର ଜଣା ପଡିଛି l