Onn 3

ଗାଡ଼ୁଭଙ୍ଗା ଗ୍ରାମରେ ମିନି ଅଙ୍ଗନୱ୍ଵାଡି ନିର୍ମାଣ ପାଇଁ କୁଆବୁଡ଼ା ପଞ୍ଚାୟତ ସମିତି ସଭ୍ୟାଙ୍କ ଦାବୀ

State

ବାରିପଦା: କୁଆବୁଡ଼ା ପଞ୍ଚାୟତ ସମିତି ସଭ୍ୟା ଲିଲି ମଣୀ ମାର୍ଣ୍ଡି ଆଜି କୁଳିଅଣା ବ୍ଲକ ସି.ଡି.ପି.ଅ ସାଲମଣୀ ସୋରେନଙ୍କୁ ସାକ୍ଷାତ କରି ଡି.ଏସ୍‌.ଡବ୍ଳୁଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ସୂଚନାମୁତାବକ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ପାଇଁ ୩୨୭୯ ଅତିରିକ୍ତ ଅଙ୍ଗନୱାଡି କେନ୍ଦ୍ରକୁ ଅନୁମତି ଦିଆଯାଇଛି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୪୨୧୭ ଅଙ୍ଗନୱାଡି କେନ୍ଦ୍ର ଏବଂ ୩୧୧୧ ମିନି ଅଙ୍ଗନୱାଡି କେନ୍ଦ୍ରକୁ ମଞ୍ଜୁର କରାଯାଇଛି। କିନ୍ତୁ ଦୁଃଖର କଥା କୁଆବୁଡା ଗ୍ରାମପଞ୍ଚାୟତ ଅଧିନରେ ଥିବା ଗାଡ଼ୁଭଙ୍ଗାଗ୍ରାମରେ ମିନି ଅଙ୍ଗନୱ୍ଵାଡି କେନ୍ଦ୍ର ନିର୍ମାଣ ପାଇଁ ବାରମ୍ଵାର ଦାବୀହେଇ ଆସୁଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଇଛି । ଉଲ୍ଲେଖଯୋଗ୍ୟ ୨୦୦୧ର ଏସ୍‌.ଏଲ୍‌.ପି. କେସ୍ ୧୯୬ରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଗୋଲ୍ ନାସ୍ ଅତିରିକ୍ତ ଏ .ଡବ୍ଲୁ.ସି ଏବଂ ମିନି ଏ.ଡବ୍ଳୁ.ସି.ଏସ୍‌. ଆରମ୍ଭ ହେବାର ମାନଦଣ୍ଡକୁ ପୁନଃ ଯାଞ୍ଚ କରିବା ପାଇଁ ଏକ ଟାସ୍କ ଫୋର୍ସ ଗଠନ କରିଥିଲେ, ଏହି ଟାସ୍କ ଫୋର୍ସର ପୁନଃ ମୂଲ୍ୟାଙ୍କନ ଅନୁଯାୟୀ, ଜନସଂଖ୍ୟା ମାପଦଣ୍ଡ ଅତିରିକ୍ତ ଅଙ୍ଗନୱାଡି କେନ୍ଦ୍ର ଏବଂ ମିନି ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକରେ ଅଧିକ ସଂଶୋଧନ କରାଯାଇଛି |

ଏପ୍ରିଲ ୨୦୦୭ର ସଂଶୋଧନ ଅନୁସାରେ ଆଦିବାସୀ ବହୁଳ ଅଞ୍ଚଳ ପାଇଁ ୧୫୦ ରୁ ୪୦୦ ମଧ୍ୟରେ ଜନସଂଖ୍ୟା ଥିଲେ ମିନି ଅଙ୍ଗନୱ୍ଵାଡି ନିର୍ମାଣର ବ୍ୟବସ୍ଥା ରହିଛି । କୁଳିଅଣା ବ୍ଲକର କୁଆବୁଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗାଡ଼ୁଭଙ୍ଗା ଗ୍ରାମର ମୋଟ ଜନସଂଖ୍ୟା ୬୨୨ । ଏହି ଗ୍ରାମରେ ଅବସ୍ଥିତ ଅଙ୍ଗନୱ୍ଵାଡି କେନ୍ଦ୍ରରୁ ସାରଜମଡିହିର ଦୂରତା ପ୍ରାୟ ୩ କି.ମି. ଓ ଏହାର ଜନସଂଖ୍ୟା ୧୯୬ I ଏହା ଏକ ଆଦିବାସୀ ଅଧ୍ୟୁଷିତ ଗ୍ରାମ । ଏହି ଗ୍ରାମର ସାରଜମଡିହିରେ ଛୋଟ ଛୋଟ ପିଲାଙ୍କ ନିମନ୍ତେ ଗୋଟିଏ ମିନି ଅଙ୍ଗନୱାଡି କେନ୍ଦ୍ର ଖୋଲିବାର ଜରୁରୀ ଆବଶ୍ୟକତା ରହିଛି । ତେଣୁ ଯଥାଶିଘ୍ର ଗାଡ଼ୁଭଙ୍ଗା ଗ୍ରାମ ଅନ୍ତର୍ଗତ ସାରଜମଡିହିରେ ମିନି ଅଙ୍ଗନୱ୍ଵାଡି କେନ୍ଦ୍ର ନିର୍ମାଣ କରିବା ପାଇଁ ଶ୍ରୀମତୀ ଲିଲି ମଣୀ ମାର୍ଣ୍ଡି ଦୃଢ଼ ଦାବୀ କରିଛନ୍ତି । ନଚେତ ଆଗାମୀ ଦିନରେ ଗ୍ରାମବାସୀଙ୍କ ସ୍ଵାର୍ଥ ପାଇଁ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ ଗ୍ରହଣ କରାଯିବବୋଲି ପ୍ରେସ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି ।