Onn 3

୩ଟି ଅନୁଷ୍ଠାନକୁ ଅବହେଳା, ଅସରାଏ ବର୍ଷାରେ ଶ୍ରେଣୀ ଗୃହରେ ପାଣି

State

ଆଗରପଡ଼ା : ଗୋଟିଏ ପରିସରରେ ତିନୋଟି ଅନୁଷ୍ଠାନ କିନ୍ତୁ ସମସ୍ତେ ଅବହେଳିତ । ଏହିପରି ଦୃଷ୍ଠାନ୍ତ ଦେଖିବାକୁ ମିଳିଛି ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତ ଠାରେ । ଉକ୍ତ ପଂଚାୟତରେ ୧୯୭୫ ମସିହାରେ ଏକ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା । ତତ୍ ପରେ ଏକ ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ଏକ ଅଙ୍ଗନବାଡ଼ି କେନ୍ଦ୍ର ଏହି ବିଦ୍ୟାଳୟ ପରିସରରେ ପ୍ରତିଷ୍ଠା ହୋଇଛି । କିନ୍ତୁ ବିଭିନ୍ନ ପରିବେଶକୁ ଆକଳନକୁ ନେଲେ ଉକ୍ତ ତିନୋଟି ଅନୁଷ୍ଠାନ ବର୍ତ୍ତମାନ ଅବହେଳିତ ଅବସ୍ଥାରେ । ଅବହେଳିତ ଅବସ୍ଥାରେ ଥିଲେ ସୁଦ୍ଧା ଏହାର ସୁଧାରରେ ପ୍ରଶାସନ,ଜନ ପ୍ରତିନିଧି କିମ୍ବା ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ କେହି ଦୃଷ୍ଟି ନଦେବା ବଡ଼ ଦୁଃଖର ବିଷୟ । ଚଳିତ ଶିକ୍ଷା ବର୍ଷରେ ଉକ୍ତ ଭଗାରାମ ପ୍ରାଥମିକ ବିଦ୍ୟାଳୟରେ ୩୬ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ୫ଟି ଶ୍ରେଣୀ ପାଇଁ ୪ଟି କୋଠରୀ ରହିଛି ଏବଂ ୩ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି । କିନ୍ତୁ ବିଡ଼ମ୍ବନାର ବିଷୟ ଏହିକି ଯଦି ଅସରାଏ ବର୍ଷା ହୁଏ ତେବେ ୩ଗୋଟି କୋଠରୀରେ ପାଣି ପଶି ଯାଇଥାଏ । ପାଣି ନିଷ୍କାସନର କୌଣସି ବନ୍ଦୋବସ୍ତ ନଥିବାରୁ ଗୋଟିଏ କୋଠରୀରେ ୫ଟି ଶ୍ରେଣୀର ପାଠପଢା ଚାଲିଥାଏ ।

୧୯୯୪ ମସିହାରେ ଉକ୍ତ ବିଦ୍ୟାଳୟ ପରିସରରେ ବିପିନବିହାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟଟି ପ୍ରତିଷ୍ଠିତ ହୋଇଥିଲା ଏବଂ ବର୍ତ୍ତମାନ ଏହାର ୨ଟି ଶ୍ରେଣୀରେ ୩୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । କିନ୍ତୁ ବର୍ଷା ହେଲେ ଗୋଟିଏ ଶ୍ରେଣୀରେ ଉକ୍ତ ପିଲାମାନେ ଅଧ୍ୟୟନ କରିବାକୁ ବାଧ୍ୟ ହୋଇଥାନ୍ତି । ସେହିପରି ୨ଟି ଜାକ ଅନୁଷ୍ଠାନର ରୋଷେଇ କାର୍ଯ୍ୟ ଗୋଟିଏ ଜାଗାରେ ସଂପାଦିତ ହେଉଥିଲେ ମଧ୍ୟ ବର୍ଷା ହେଲେ ଏହା ଭିତରକୁ ପାଣି ପଶି ଯାଉଥିବାରୁ ରୋଷେଇ କାର୍ଯ୍ୟରେ ମଧ୍ୟ ଘୋର ଅସୁବିଧା ସୃଷ୍ଟି ହୋଇଥାଏ । ସେହିପରି ଉକ୍ତ ପରିସରରେ ଏକ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ରହିଛି । କେନ୍ଦ୍ରଟିରେ ପାଖାପାଖି ୨୦ଜଣ କୋମଳମତୀ ଶିଶୁ ଅଧ୍ୟୟନ କରୁଥିବା ବେଳେ ପରିବେଶ ମଧ୍ୟ ଶିକ୍ଷାଲାଭ ପାଇଁ ଅନୁପଯୋଗୀ ହୋଇପଡ଼ିଥାଏ ଅସରାଏ ବର୍ଷାରେ । ବର୍ଷା ଜଳ ନିଷ୍କାସନର କୌଣସି ସୁବନ୍ଦୋବସ୍ତ ନଥିବାରୁ ଏହା ପରିସରରେ ଜମି ରହି ଡ଼େଙ୍ଗୁ ପରି ମହାମାରୀକୁ ଆମନ୍ତ୍ରଣ କରୁଥିବା ଜଣାପଡ଼ିଛି । ବର୍ଷା ହେଲେ ଉକ୍ତ ପରିସରରେ ଏହିପରି ସମସ୍ୟା ସୃଷ୍ଟି ହେଉଥିବାରୁ ଏହି ଦିନରେ ପିଲାଙ୍କ ପାଠପଢାକୁ ନେଇ ଅଭିଭାବକଙ୍କ ଚିନ୍ତା ବଢିଯାଇଛି । ତେଣୁ ବିଭାଗୀୟ ଅଧିକାରୀ,ଜନନାୟକ ଏବଂ ପ୍ରଶାସନ ତିନିଗୋଟି ଅନୁଷ୍ଠାନର ପିଲାଙ୍କ ଜିବନ ପ୍ରତି କୌଣସି ବଡ଼ ଧରଣର ଅଘଟନ ଘଟିବା ଆଗରୁ ଅନୁଷ୍ଠାନରେ ଲାଗି ରହିଥିବା ସମସ୍ୟାର ସମାଧାନ ପ୍ରତି ବିହିତ ପଦକ୍ଷେପ ନେବାକୁ ଅଭିଭାବକମାନେ ଦାବି କରିଛନ୍ତି |