Onn 3

ଶକ୍ତ ଚାପୁଡ଼ା ପରେ ରେଳଧାରଣା ଉପରେ ପଡ଼ିଗଲେ ଯୁବକ, କିଛି କ୍ଷଣ ମଧ୍ୟରେ ଟ୍ରେନ୍‌ ଚକ ତଳେ ଚାଲିଗଲା ଜୀବନ

National & International

ମୁମ୍ବାଇର ସିୟନ ଷ୍ଟେସନରେ ଘଟିଛି ଅଭାବନୀୟ ଘଟଣା। ଅସଦାଚରଣ ଅଭିଯୋଗରୁ ଚାଲିଯାଇଛି ଜୀବନ। ଟ୍ରେନ ଲାଇନରେ ପଡ଼ି ୨୬ ବର୍ଷୀୟ ଜଣେ ଯୁବକ ଦିନେଶଙ୍କର ମୃତ୍ୟୁ ହୋଇଛି। ସିସିଟିଭିରେ କଏଦ ହୋଇଛି ଏହି ଭିଜୁଆଲ୍‌। ଏଥିରେ ଦିନେଶ ଧଳା ସାର୍ଟ ଓ ଟ୍ରାଉଜର ପିନ୍ଧିଥିବା ଦେଖିବାକୁ ମିଳିଛି।

ଶୀତଲ ନାମ୍ନୀ ମହିଳାଙ୍କ ସହ ଧକ୍କା ହୋଇଯାଇଥିଲେ ଦିନେଶ। ଅସଦାଚରଣ ଅଭିଯୋଗ କରି ଶୀତଲ ତାଙ୍କୁ ଛତାରେ ମାରିଥିଲେ। ସ୍ୱାମୀ ଅଭିନାଶ ମଧ୍ୟ ତାଙ୍କୁ ମାଡ଼ ମାରିଥିଲେ। ଅଭିନାଶଙ୍କ ଚାପୁଡ଼ାରେ ଦିନେଶ ଭାରସାମ୍ୟ ହରାଇ ଟ୍ରେନ ଲାଇନରେ ପଡିଯାଇଥିଲେ।

ଟ୍ରେନ ଲାଇନରୁ ବାହାରିବା ପୂର୍ବରୁ ଟ୍ରେନ ଦିନେଶଙ୍କ ଉପରେ ଚଢିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ପୋଲିସ ଏହି ଘଟଣାରେ ଅଭିନାଶ ଓ ଶୀତଲଙ୍କୁ ଗିରଫ କରିଛି। ସିୟନ ଷ୍ଟେସନରେ ଗତ ରବିବାର ଏହି ଘଟଣା ରାତି ୯ଟା ୧୫ରେ ଘଟିଛି। ମୃତ ଯୁବକଙ୍କ ନାମ ଦିନେଶ ରାଠୌର୍‌ ବୋଲି ଜଣାପଡ଼ିଛି।

ପୋଲିସ ସୂଚନା ମୁତାବକ, ଫ୍ଲାଟ୍‌ଫର୍ମରେ ଛିଡ଼ା ହୋଇଥିବାବେଳେ ଶୀତଲଙ୍କ ସହ ଦିନେଶ ପ୍ରଥମେ ଧକ୍କା ହୋଇଥିଲେ। ଏହାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଶୀତଲ ଏକ ଛତାରେ ଦିନେଶଙ୍କୁ ମାଡ଼ ମାରିଥିଲେ। ଏଥିରେ ତାଙ୍କ ସ୍ୱାମୀ ଅଭିନାଶ ମଧ୍ୟ ସାମିଲ ହୋଇଯାଇଥିଲେ। ଦିନେଶଙ୍କୁ ଅଭିନାଶ ଏତେ ଜୋର୍‌ରେ ଚାପୁଡ଼ା ମାରିଥିଲେ ଯେ ସେ ପ୍ଲାଟଫର୍ମରୁ ଭାରସାମ୍ୟ ହରାଇ ଟ୍ରେନ୍‌ ଲାଇନରେ ପଡ଼ିଯାଇଥିଲେ। ଦିନେଶ ଉପରକୁ ଉଠିବାକୁ ଚେଷ୍ଟା କରୁଥିବା ବେଳେ ଟ୍ରେନ୍‌ ତାଙ୍କ ଉପରେ ଚଢ଼ିଯାଇଥିଲା।

ସେପଟେ ଘଟଣା ପରେ ଦମ୍ପତି ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ପରେ ସିସିଟିଭି ଫୁଟେଜ୍‌ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଆଧାରରେ ପୋଲିସ ଉଭୟ ସ୍ୱାମୀ, ସ୍ତ୍ରୀଙ୍କୁ ଧରାବି ଅଞ୍ଚଳରୁ ଗିରଫ କରିଛି।