Onn 3

ମମତା ଦିଲ୍ଲୀ ଯିବେ, ଧାରଣା ଦେଇ ହକ ମାଗିବେ

National & International

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା କେନ୍ଦ୍ରୀୟ ଫଣ୍ଡ ରୋକାଯିବା ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ଆନ୍ଦୋଳନ କରିବ ତୃଣମୂଳ କଂଗ୍ରେସ। ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଏହି ଆନ୍ଦୋଳନର ନେତୃତ୍ୱ ନେବେ। ଅକ୍ଟୋବର ଦୁଇ ତାରିଖ ଗାନ୍ଧୀ ଜୟନ୍ତୀରେ ଟିଏମସି ଦିଲ୍ଲୀରେ ଧାରଣା ଦେବ।

ପୂର୍ବ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ବିଧାନସଭା କ୍ଷେତ୍ର ବେହାଲାରେ ଏକ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ମମତା ଏ କଥା କହିଛନ୍ତି। ଲୋକମାନେ ତାଙ୍କୁ ଭୋଟ ଦେଇଛନ୍ତି କିନ୍ତୁ ସେ ଲୋକଙ୍କ ପାଇଁ କାମ କରିପାରୁନାହାନ୍ତି ବୋଲି ମମତା କହିଛନ୍ତି।

ପୂର୍ବରୁ ଯେଉଁ ରାଜନୈତିକ ସ୍ବତନ୍ତ୍ରତା ମିଳୁଥିଲା ଏବେ ତାହା ନାହିଁ ବୋଲି ସେ କହିଛନ୍ତି। ପେଗାସସ ତାଙ୍କର ରାଜନୈତିକ ସ୍ଵାଧୀନତା ଛଡାଇ ନେଇଛି। କଥା କଥାରେ ଯୋଜନା ବନ୍ଦ କରାଯିବା ସହ ଫଣ୍ଡକୁ ରୋକିଦିଆଯାଉଛି ବୋଲି ମମତା ଅଭିଯୋଗ କରିଛନ୍ତି।

କିନ୍ତୁ ଏଭଳି ଚଳିବ ନାହିଁ ବୋଲି ସେ କହିଛନ୍ତି। ବିଜେପିକୁ ଟାର୍ଗେଟ କରି ମମତା କହିଛନ୍ତି ଯେ ସେମାନଙ୍କର ରାଗ ପଶ୍ଚିମବଙ୍ଗ ଉପରେ ରହିଛି। ଯଦି ସେ ଏଭଳି କରିବେ ତାହେଲେ ଏହାକୁ ସହ୍ୟ କରାଯିବ ନାହିଁ ବୋଲି ମମତା କହିଛନ୍ତି।

ଯଦି ଏସବୁ ଯୋଜନାକୁ ରୋକି ବେଙ୍ଗଲକୁ ମାରିବାକୁ ଚାହିଁବେ ତାହେଲେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହେବ ବୋଲି କୁହାଯାଇଛି। କେନ୍ଦ୍ର ରାଜ୍ୟର ବକେୟା ଅର୍ଥ ରୋକିଛି। ଏପରିକି ପଶ୍ଚିମବଙ୍ଗରେ ଘର, ରାସ୍ତା ତିଆରି ଅର୍ଥକୁ ରୋକିଦିଆଯାଉଛି। ଶହେ ଦିନର କାମର ବକେୟା ଅର୍ଥ ସାତ ହଜାର କୋଟି ଦିଆଯାଇ ନ ଥିବା ମମତା କହିଛନ୍ତି।

ପୂର୍ବରୁ ରାଜ୍ୟ ସେଲସ ଟ୍ୟାକ୍ସ ଓ ଭ୍ୟାଟ ଅସୁଲ କରୁଥିଲା କିନ୍ତୁ ଏବେ କେନ୍ଦ୍ର ଗୋଟିଏ ଟ୍ୟାକ୍ସ ଜିଏସଟି କରିଛି। ତେଣୁ ଏବେ ଅର୍ଥ କେନ୍ଦ୍ର ନେଉଥିବାରୁ ତାଙ୍କ ଭାଗ ଦେଇଦେବାକୁ ସେ କହିଛନ୍ତି।

ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ସେ ନିଜେ ଚାରିରୁ ପାଞ୍ଚ ଥର କହିଥିବା ବେଳେ ମଧ୍ୟ କିଛି ଫଳ ମିଳିନି। ତେଣୁ ସେ ଭିକ ମାଗୁ ନାହାନ୍ତି ବୋଲି ମମତା କହିଛନ୍ତି। ତେଣୁ ଅକ୍ଟୋବର ଦୁଇ ତାରିଖରେ ଦିଲ୍ଲୀରେ ଗାନ୍ଧୀ ମୂର୍ତି ସମ୍ମୁଖରେ ଧାରଣା ଦିଆଯିବ ବୋଲି ମମତା କହିଛନ୍ତି।

କେନ୍ଦ୍ରର ବିଜେପି ବିରୋଧରେ କରାଯାଇଥିବା ବିରୋଧୀ ମେଣ୍ଟ ଇଣ୍ଡିଆ ଆଗକୁ ବଢୁଛି। ଏଭଳି ସ୍ଥିତିରେ ମମତା ବାନାର୍ଜୀଙ୍କୁ ଇଣ୍ଡିଆର ଏକ ପ୍ରମୁଖ ଚେହେରା ଭାବେ ଗଣାଯାଉଛି। ଏପରିକି ଟିଏମସି ସାଂସଦ ଶତ୍ରୁଘ୍ନ ସିହ୍ନା ମଧ୍ୟ ମମତାଙ୍କ ଇଣ୍ଡିଆର ପ୍ରଧାନମନ୍ତ୍ରୀ ଚେହେରା ବୋଲି ଦର୍ଶାଇଲେଣି। ଏଭଳି ସ୍ଥିତିରେ କେନ୍ଦ୍ରର ବିଜେପି ସରକାର ବିରୋଧରେ ମମତାଙ୍କ ଉଗ୍ର ରୂପ ଦେଶର ରାଜନୈତିକ ଚର୍ଚ୍ଚାକୁ ଆହୁରି ତୀଵ୍ର କରିଛି।