Onn 3

ଦେଶର ଭାଗ୍ୟ ବଦଳାଇବାରେ ସ୍ୱାସ୍ଥ୍ୟ କର୍ମୀଙ୍କର ରହିଛି ବଡ଼ ଭୂମିକା: ପ୍ରଧାନମନ୍ତ୍ରୀ

National & International

ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀରେ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଲାଲକିଲ୍ଲା ପ୍ରାଚୀରରୁ ୫୦ ଜଣ ନର୍ସ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା। ବିଭିନ୍ନ ବର୍ଗର ୧୮୦୦ ସ୍ୱତନ୍ତ୍ର ଅତିଥି ମାନଙ୍କ ମଧ୍ୟରେ ସରପଞ୍ଚ, ଶିକ୍ଷକ, କୃଷକ ଓ ମତ୍ସ୍ୟଜୀବୀମାନେ ସାମିଲ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଭାଗ୍ୟ ବଦଳାଇବା ପାଇଁ ନର୍ସ, ଡାକ୍ତର ଏବଂ ଅନ୍ୟମାନଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ କୋଭିଡ ଆମକୁ ଶିଖାଇଛି ଯେ ମାନବ କେନ୍ଦ୍ରିତ ଆଭିମୁଖ୍ୟ ବିନା ବିଶ୍ୱର ବିକାଶ ସମ୍ଭବ ନୁହେଁ।

ଦେଶର ସାର୍ବଜନୀନ ସ୍ୱାସ୍ଥ୍ୟ କଭରେଜରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ପ୍ରୟାସକୁ ଗୁରୁତ୍ୱ ଦେଇ ସେ କହିଛନ୍ତି ଯେ ଆୟୁଷ୍ମାନ ଭାରତରେ ସରକାର ୭୦,୦୦୦ କୋଟି ଟଙ୍କା ବିନିଯୋଗ କରିଛନ୍ତି, ଯାହା ବିପିଏଲ ପରିବାରମାନଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ଗ୍ୟାରେଣ୍ଟି ପ୍ରଦାନ କରିଥାଏ। ଦେଶବାସୀଙ୍କୁ ସମ୍ବୋଧିତ କରି ମୋଦୀ କହିଛନ୍ତି, ୨୦୦ କୋଟିରୁ ଅଧିକ କୋଭିଡ୍ ଟିକାକରଣର ମାଇଲଖୁଣ୍ଟ ହାସଲ କରିବାରେ ସ୍ୱାସ୍ଥ୍ୟକର୍ମୀ ବିଶେଷ କରି ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀଙ୍କ ନିଷ୍ଠା ଓ ନିରନ୍ତର ପ୍ରୟାସ ରହିଥିଲା। ସେମାନଙ୍କ ଉଲ୍ଲେଖନୀୟ ଅବଦାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। “କୋଭିଡ୍ ସମୟରେ ଏବଂ ଏହାପରେ ବିଶ୍ୱକୁ ସାହାଯ୍ୟ କରିବା ଦ୍ୱାରା ଭାରତ ବିଶ୍ୱର ବନ୍ଧୁ ଭାବରେ ପ୍ରତିଷ୍ଠିତ ହୋଇପାରିଛି”, ସେ ଉଲ୍ଲେଖ କରିଥିଲେ।

ଏକ ବିଶ୍ୱ, ଏକ ସ୍ୱାସ୍ଥ୍ୟ ଏବଂ ଏକ ଭବିଷ୍ୟତର ଲକ୍ଷ୍ୟ ଉପରେ ଆଲୋକପାତ କରି ସେ କହିଛନ୍ତି, ଜନ ଔଷଧୀ କେନ୍ଦ୍ରଗୁଡ଼ିକ ୨୦,୦୦୦ କୋଟି ଟଙ୍କା ସଞ୍ଚୟ କରି ଦେଶର ମଧ୍ୟବିତ୍ତ ବର୍ଗଙ୍କୁ ନୂତନ ଶକ୍ତି ପ୍ରଦାନ କରିଛି। ଜନ ଔଷଧି କେନ୍ଦ୍ରସଂଖ୍ୟା ବର୍ତ୍ତମାନର ୧୦,୦୦୦ରୁ ୨୫,୦୦୦କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖି ଆଗାମୀ ଦିନରେ ଦେଶ କାର୍ଯ୍ୟ କରିବାକୁ ଯାଉଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।