ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସଙ୍କ ମଧ୍ୟରେ ଗତ ୪ ତାରିଖରେ ବିମଷ୍ଟେକ ସମ୍ମିଳନୀ ଅବସରରେ ଦ୍ଵିପାକ୍ଷିକ ଆଲୋଚନା ହୋଇଥିଲା। ଏହି ସମୟରେ ଦୁଇ ନେତା ଦୁଇ ଦେଶ ମଧ୍ୟରେ ରହିଥିବା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ୟୁନୁସଙ୍କ ଗଣମାଧ୍ୟମ ସଚିବ ମୋଦୀ ଏବଂ ୟୁନୁସଙ୍କ ଆଲୋଚନାକୁ ନେଇ ବାଂଲାଦେଶରେ ଭ୍ରମାତ୍ମକ ଉପସ୍ଥାପନା କରିଛନ୍ତି। ଆଲୋଚନାବେଳେ ଯେଉଁ ନିଷ୍ପତ୍ତି ହୋଇନାହିଁ ସେ ବିଷୟରେ ସେ ବାଂଲାଦେଶର ଜନସାଧାରଣ ଏବଂ ସାରା ବିଶ୍ଵକୁ ତ୍ରୁଟିପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି।
ୟୁନୁସଙ୍କ ଗଣମାଧ୍ୟମ ସଚିବ ଶଫିକୁଲ ଆଲମ ତାଙ୍କ ଫେସବୁକ ପୋଷ୍ଟରେ ଲେଖିଛନ୍ତି ଯେ, ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ନେଇ ବାଂଲାଦେଶକୁ ସକାରାତ୍ମକ ସଙ୍କେତ ଦେଇଛନ୍ତି। ଏପରି କି ହସିନା ୟୁନୁସଙ୍କ ପ୍ରତି ନିରାଦରପୂର୍ଣ୍ଣ ବ୍ୟବହାର କରୁଥିବା ନେଇ ମୋଦୀ ଆଲୋଚନା ବେଳେ କହିଥିବା ଆଲମ ଲେଖିଛନ୍ତି। ଏସବୁ ତଥ୍ୟ ଭୁଲ ଥିବାବେଳେ ସେ ଦେଶବାସୀଙ୍କ ଆଗରେ ଏହାକୁ ଉପସ୍ଥାପନ କରି ଭ୍ରମରେ ପକାଇଛନ୍ତି। ତେବେ ପରବର୍ତ୍ତୀ ସମୟରେ ଉକ୍ତ ପୋଷ୍ଟକୁ ଆଲମ ହଟାଇ ଦେଇଛନ୍ତି।