କଟକ : ବ୍ରିଜ ଆଣ୍ଡ ରୁଫ ଲାଞ୍ଚ କାରବାର ମାମଲାରେ ବରିଷ୍ଠ ଆଇଏଏସ ଅଫିସର ବିଷ୍ଣୁପଦ ସେଠୀଙ୍କ ଅନ୍ତରୀଣ ସୁରକ୍ଷାକୁ ଆସନ୍ତା ମେ ୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରଖିଛନ୍ତି ହାଇକୋର୍ଟ । ବିଷ୍ଣୁପଦ ସେଠୀଙ୍କ ସମେତ ତାଙ୍କ ପତ୍ନୀ ଓ ଝିଅଙ୍କ ଅନ୍ତରୀଣ ସୁରକ୍ଷା ମଧ୍ୟ ବଳବତ୍ତର ରହିଛି । ଏହା ଭିତରେ ବିଷ୍ଣୁପଦଙ୍କ ସମେତ ତାଙ୍କ ପତ୍ନୀ ଓ ଝିଅଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ପାରିବ ନାହିଁ ସିବିଆଇ ।
ଆସନ୍ତା ମେ ୫ ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଧାର୍ଯ୍ୟ ହୋଇଛି । ବିଷ୍ଣୁପଦ ସେଠୀ, ତାଙ୍କ ପତ୍ନୀ ଓ ଝିଅଙ୍କ ପକ୍ଷରୁ ଦାୟର ରିଟ ଆବେଦନର ଶୁଣାଣି କରି ହାଇକୋର୍ଟର ମାନ୍ୟବର ବିଚାରପତି ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।
ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ଦାୟର ରିଟ ପିଟିସନରେ ଦର୍ଶାଯାଇଛି ଯେ, ବିଷ୍ଣୁପଦ ସେଠୀଙ୍କ ସରକାରୀ ବାସଭବନରେ ଚଢ଼ାଉ ସମୟରେ ସିବିଆଇ କୌଣସି ଆପତ୍ତିଜନକ କାଗଜପତ୍ର ପାଇ ନଥିଲା। କିନ୍ତୁ ତାଙ୍କ ପତ୍ନୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯାଇଥିବା ବେଳେ ଝିଅର ପାଠପଢ଼ାରେ ବ୍ୟବହୃତ ଲାପଟପକୁ ଜବତ କରାଯାଇଛି।
ତାଙ୍କୁ ଓ ତାଙ୍କ ପରିବାରକୁ ଦିଆଯାଥିବା ଏଭଳି ନିର୍ଯାତନାରୁ ସୁରକ୍ଷା ପ୍ରଦାନ ସହିତ ମୌଳିକ ଅଧିକାର ସୁରକ୍ଷିତ ରଖାଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ବିଷ୍ଣୁପଦ ସେଠୀଙ୍କ ପକ୍ଷରୁ ଆଇନଜୀବୀ ଦେବାଶିଷ ପଣ୍ଡା ହାଇକୋର୍ଟରେ ଏହି ମାମଲା ପରିଚାଳନା କରୁଛନ୍ତି।