Onn 3

ମୋ ଓଡିଶା ଏବେ ସବୁ କ୍ଷେତ୍ରରେ ଦେଶ ପାଇଁ ଆଦର୍ଶ ହୋଇଛି : ମୁଖ୍ୟମନ୍ତ୍ରୀ

State

ଭୁବନେଶ୍ୱର: ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେଉଛି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଛନ୍ତି । ଏହାସହ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି । ଜଣେ ଭାରତୀୟ ଭାବରେ ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କ ସମେତ ଦେଶ ପାଇଁ ସହିଦ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ନବୀନ ।

ଭାରତର ସ୍ଵାଧୀନତା ସଂଗ୍ରାମ ବିଶ୍ଵ ଇତିହାସରେ ଏକ ନୂଆ ଯୁଗ ଆରମ୍ଭ କରିଥିଲା । ସାରା ବିଶ୍ଵର ଗରିବ ଜନତା, ଶୋଷିତ ଜନତାଙ୍କ ପାଇଁ ଏ ସଂଗ୍ରାମ ଏକ ପ୍ରେରଣା । ମହାତ୍ମା ଗାନ୍ଧୀଙ୍କ ସତ୍ୟ ଓ ଅହିଂସାର ମନ୍ତ୍ର ଥିଲା ସେମାନଙ୍କ ଶକ୍ତି । ଜନତାର ଶକ୍ତି ହେଉଛି ଶ୍ରେଷ୍ଠ ଶକ୍ତି । ଆମ ସ୍ଵାଧୀନତା ସଂଗ୍ରାମ ଏହାର ସବୁଠାରୁ ବଡ ଉଦାହରଣ । ଭାରତ ବିଶ୍ଵର ଏକ ପ୍ରମୁଖ ଶକ୍ତି ଭାବରେ ନିଜକୁ ପ୍ରତିଷ୍ଠା କରିପାରିଛି । ବିଭିନ୍ନ କ୍ଷେତ୍ରରେ ବିକାଶ ଆମର ଆତ୍ମବିଶ୍ୱାସ ବୃଦ୍ଧି କରିଛି । ଚନ୍ଦ୍ରଯାନ-୩ ମହାକାଶ ଗବେଷଣା କ୍ଷେତ୍ରରେ ଭାରତର ଗୌରବ ବୃଦ୍ଧି କରିଛି ।

ରାଜ୍ୟବାସୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଓଡ଼ିଶାର ବିକାଶରେ ସମସ୍ତେ ସାମିଲ ହୋଇଛନ୍ତି। ଅର୍ଥନୀତିରେ ସମୃଦ୍ଧ ହୋଇଛି। ଓଡ଼ିଶାକୁ ଏବେ ଲକ୍ଷ ଲକ୍ଷ କୋଟି ପୁଞ୍ଜି ଆସୁଛି। ମିଶନ ଶକ୍ତି ଜରିଆରେ ମା’ମାନେ ସମୃଦ୍ଧ ହୋଇଛନ୍ତି। ସମସ୍ତ ପଞ୍ଚାୟତରେ ବ୍ୟାଙ୍କିଙ୍ଗ ସୁବିଧା ଉପଲବ୍ଧ କରାଯାଇଛି। ବିଏସକେୱାଇ ଯୋଜନାରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବଡ଼ ସହାୟକ ହେଉଛି। ଆମର ୫ଟି ରୂପାନ୍ତର କାର୍ଯ୍ୟକ୍ରମ ଆଜି ଏକ ଆନ୍ଦୋଳନରେ ପରିଣତ ହୋଇଛି । ସେହିପରି ଆମର ‘ମୋ ସରକାର’ କାର୍ଯ୍ୟକ୍ରମ ଶାସନରେ ଲୋକମତର ଗୁରୁତ୍ଵ ବୃଦ୍ଧି କରିଛି । ଓଡିଶାର ଅର୍ଥନୀତି ମଜବୁତ୍ ହେଉଛି । ଗରିବୀ କମିଛି । ଓଡିଶାକୁ ଏବେ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆସୁଛି । ଯୁବକମାନଙ୍କ ପାଇଁ ନିଯୁକ୍ତିର ବିପୁଳ ସୁଯୋଗ ଆସୁଛି । ଚାଷୀ, ଶ୍ରମିକ ତଥା ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କ କଲ୍ୟାଣ ପାଇଁ ମୋ ସରକାର କାମ କରୁଛି । ନିକଟରେ ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଆଉ ୫୦ଟି ଗୋଷ୍ଠୀର ଶ୍ରମିକମାନଙ୍କୁ ଏବେ କଲ୍ୟାଣମୂଳକ କାର୍ଯ୍ୟକ୍ରମରେ ସାମିଲ କରାଗଲା । ମଧୁବାବୁ ପେନ୍‌ସନ୍ ଯୋଜନାରେ ମଧ୍ୟ ଆଉ ୪ ଲକ୍ଷରୁ ଅଧିକ ଲୋକଙ୍କୁ ସାମିଲ କରାଗଲା । ଓଡିଶାର ବିକାଶରେ ସମସ୍ତଙ୍କର ଭାଗୀଦାର ଅଛି । ଅଧିକାର ଅଛି । ସମସ୍ତଙ୍କୁ ସାଥୀରେ ନେଇ ଆମେ ଆଗକୁ ବଢୁଛୁ।

ମା’ମାନଙ୍କ ସଶକ୍ତିକରଣ ଓଡିଶାର ସଶକ୍ତିକରଣ । ମିଶନ ଶକ୍ତି ଆଜି ମା’ମାନଙ୍କ ରୂପାନ୍ତରଣର ଇଂଜିନ୍ ହୋଇଛି । ସେମାନେ ଏବେ ବିକାଶର ପରବର୍ତ୍ତୀ ସ୍ତରରେ ପହଞ୍ଚିଛନ୍ତି । ଉଦ୍ୟୋଗୀ ହେବା ରାସ୍ତାରେ ଯାତ୍ରା ଆରମ୍ଭ କରିଛନ୍ତି । ମା’ମାନେହିଁ ଏକ ସମୃଦ୍ଧ ଓଡିଶା, ଏକ ନୂଆ ଓଡିଶାର ଆଧାର ହୋଇଛନ୍ତି । ୪୩୭୩ ପଂଚାୟତରେ ବ୍ୟଙ୍କିଙ୍ଗ ସୁବିଧା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥି ସହିତ ଏ ଲକ୍ଷ ଯୁବକମାନଙ୍କୁ ନୂଆ ଓଡ଼ିଶା ଯୋଜନା ରେ ତାଲିମ ଦିଆଯିବ। ମୋ ଓଡିଶା ଏବେ ସବୁ କ୍ଷେତ୍ରରେ ଦେଶ ପାଇଁ ଆଦର୍ଶ ହୋଇଛି । ବିପର୍ଯ୍ୟୟ ପରିଚାଳନା ହେଉ ବା ମହିଳା ସଶକ୍ତିକରଣ, ସ୍ଵାସ୍ଥ୍ୟସେବା ହେଉ ବା ଶିକ୍ଷା, ଭିତ୍ତିଭୂମି, ସବୁ କ୍ଷେତ୍ରରେ ମୋ ଓଡିଶା ଏବେ ମଡ଼େଲ ହୋଇଛି ।

ସେପଟେ ରଙ୍ଗୀନ ଆଲୋକମାଳାରେ ଝଲସୁଛି ବିଭିନ୍ନ ସରକାରୀ ଅନୁଷ୍ଠାନ ଓ ବିଲଡିଂ । ରାଜଭବନ, ବିଧାନସଭା, ଲୋକସେବା ଭବନ, କମିଶନରେଟ ପୋଲିସ ଅଫିସ ଆଲୋକମାଳାରେ ସଜେଇ ହୋଇଛି । ବିଭିନ୍ନ ସ୍ଥାନରେ କାନ୍ଥବାଡ଼, ଓଭରବ୍ରିଜ୍ ତଳେ ବି ତ୍ରିରଙ୍ଗା ରଙ୍ଗର ଆଲୋକ ପରିବେଶକୁ ରଙ୍ଗୀନ କରିଛି ।