Onn 3

ବନ୍ଧା ହେଲେ ଶିକାରୀ ବାପଝିଅ; ଘରୁ ମିଳିଲା ଦେଶୀ ବନ୍ଧୁକ ଓ ବଜ୍ରକାପ୍ତା କାତି

Crime State

ବୌଦ୍ଧ: ଶିକାରୀ ବାପଝିଅ ଗିରଫ। ଦେଶୀ ବନ୍ଧୁକ, ଟାଙ୍ଗିଆ ସମେତ ଶୀକାରରେ ବ୍ୟବହୃତ ବହୁ ସାମଗ୍ରୀ ଜବତ । ବୌଦ୍ଧ ଜିଲ୍ଲା କୁସଙ୍ଗ ବନ୍ୟପ୍ରାଣୀ ବିଭାଗର ସର୍ଚ୍ଚ ଅପରେସନ ବେଳେ ଦୁଇ ଜଣ ଶିକାରୀ ଗିରଫ ହୋଇଛନ୍ତି । ସେମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ବାପା ଉତ୍ତମ ପ୍ରଧାନ ଓ ଝିଅ ସାବିତ୍ରୀ ମାଝୀ ।

ଗତକାଲି କୁସଙ୍ଗ ରେଞ୍ଜରଙ୍କ ନେତୃତ୍ୱରେ ଏକ ସ୍କ୍ୱାର୍ଡ ଗଠନ କରାଯାଇ ପଦ୍ମତୋଲା ବିଟ୍ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଇଥିଲା । ତେବେ ସେହି ସମୟରେ ସେଠାରେ ରହୁଥିବା ଉତ୍ତମ ପ୍ରଧାନଙ୍କ ଘରେ ବନ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ତାଙ୍କ ଘରୁ ଦୁଇଟି ଦେଶୀ ବନ୍ଧୁକ ସହିତ ଗୋଟିଏ ଟାଙ୍ଗିଆ ଜବତ ହୋଇଥିବା ବେଳେ ଶିକାରରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ତାର, ବିଷାକ୍ତ ଗୋଳା ଫାସ ସମେତ ବହୁ ବଜ୍ରକାପ୍ତା କାତି ମଧ୍ୟ ଜବତ ହୋଇଥିଲା ।

ଏନେଇ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ ସେମାନଙ୍କୁ ଗୁଡ଼ାଇତୁଡ଼ାଇ ପ୍ରଶ୍ନ ପଚାରିଥିଲେ। ବାପ ଝିଅ ଦୁହେଁ ଏହି ଶିକାର କାର୍ଯ୍ୟରେ ସାମିଲ ଥିବାରୁ ଦୁଇ ଜଣକୁ ଗିରଫ କରାଯାଇ ଚରିଛକ କୋର୍ଟଚାଲାଣ କରାଯାଇଥିବା ସୂଚନା ମିଳିଛି।